କୋରାପୁଟ ଅସ୍ତ୍ରାଗାର ଲୁଟ୍‌କୁ ୧୭ ବର୍ଷ ବିତିଲା; ଜାଗା ଖଣ୍ଡିଏ ପାଇଲେନି ସହିଦ ନରସିଂହଙ୍କ ପରିବାର

କୋରାପୁଟ (ଶ୍ରୀକାନ୍ତ ସାହୁ): ଦିନେ ନୁହେଁ କି ଅଧେ ନୁହେଁ। ସଶସ୍ତ୍ର ନକ୍ସଲଙ୍କ ଦ୍ବାରା କୋରାପୁଟ ଅସ୍ତ୍ରାଗାର ଲୁଟରେ ପ୍ରାଣ ହରାଇଥିବା ସହିଦ ନରସିଂହ ନାୟକଙ୍କ ଦେହାନ୍ତ ହୋଇଥିଲା। ୨୦୦୪ ମସିହା ଫେବ୍ରୁଆରି ୬ ତାରିଖରୁ ଆଜିର ତାରିଖକୁ ପୁରା ୧୭ବର୍ଷ ବିତିଛି। ହେଲେ ଏବେ ଯାଏ ପ୍ରଶାସନ ପକ୍ଷରୁ ସହିଦଙ୍କ ପରିବାରବର୍ଗଙ୍କୁ ଜାଗା ଖଣ୍ଡିଏ ମିଳିପାରିଲାନି।

ତାଙ୍କ ପଛରେ ସହିଦ ହୋଇଥିବା ପୁଲିସ କର୍ମଚାରୀଙ୍କୁ ସହଯୋଗର ହାତ ବଢାଯାଇ ଥିବାବେଳେ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଇସାରିଛି। କିନ୍ତୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଦେଇ ଦେଇ ପୁରୁଣା କୋରାପୁଟ ଅଞ୍ଚଳରେ ରହୁଥିବା ନରସିଂହଙ୍କ ପତ୍ନୀ କମଳା ନାୟକ ଥକିଥିଲେ ବି ଏବେଯାଏ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ‌କରାଯାଇ ପାରିନାହିଁ। ଆଜି ଆସ, କାଲି ଆସ, ଅମକ କାଗଜ ଆଣ, ସମକ କାଗଜ ଆଣ କହି ପ୍ରଶାସନ ଶହୀଦଙ୍କ ପରିବାରକୁ ଭୂଆଁ ବୁଲାଉଥିବାବେଳେ କେବେ ଏହି ସହାୟତା ପ୍ରଦାନ କରାଯିବ ତାହାକୁ ନେଇ ନାନା ସଂଶୟ ଦେଖାଦେଲାଣି। ଏହାସହ ସହିଦଙ୍କ ଅନ୍ତେ ତାଙ୍କ ପରିବାରବର୍ଗଙ୍କୁ ଏକ ଚାକିରି ମିଳିବା କଥା କିନ୍ତୁ କ’ଣ ହେଲା କେଜାଣି ତାହା ମଧ୍ୟ ମିଳିପାରି ନ ଥିବା ଅଭିଯୋଗ କରିଛନ୍ତି ସହିଦଙ୍କ ପତ୍ନୀ କମଳା ନାୟକ। ସେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ସହିଦଙ୍କ ପରିବାରକୁ ଯଦି ଜାଗା ଖଣ୍ଡିଏ ଦେବାକୁ ସରକାରଙ୍କୁ ୧୭ବର୍ଷ ଲାଗୁଛି ତେବେ ତାଙ୍କ ହତ୍ୟାକାରୀଙ୍କୁ ଖୋଜି ବାହାର କରିବାକୁ କେତେବର୍ଷ ଲାଗିବ। ପ୍ରଶାସନ ତୁରନ୍ତ ଆମ ଦୁଃଖ ବୁଝନ୍ତୁ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସେ କ୍ଷ‌ୋଭର ସହ କହିଛନ୍ତି ଯେ ସ୍ବର୍ଗତ ନାୟକ କନଷ୍ଟେବଳ ବ୍ୟାଚ ନମ୍ବର ୫୫୫ ଭାବେ ଅସ୍ତ୍ରାଗାର ସୁରକ୍ଷାରେ ସେହିଦିନ ରହିଥିଲେ। ହଠାତ ନକ୍ସଲମାନେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ସମୟରେ ବଡ ଝିଅ ସୁକନ୍ୟାକୁ ୬ ବର୍ଷର ହୋଇଥିବାବେଳେ ସାନ ଝିଅ ଇତିଶ୍ରୀ ଗର୍ଭରେ ରହିଥିଲା। ସ୍ବାମୀଙ୍କୁ ହରାଇ ମୁଁ ଚାପରେ ରହିଥିବାବେଳେ ମୁଖ୍ୟାଳୟରୁ କିଛି ବରିଷ୍ଠ ପୁଲିସ କର୍ମଚାରୀ ମୋ ନିକଟକୁ ଆସିଥିଲେ। ବିଭିନ୍ନ ସୁବିଧା ମିଳିବାକୁ ଥିବା ଦର୍ଶାଇ ମୋଠାରୁ ଲେଖାଇ ନେଇଥିଲେ। ଯେତେବେଳେ ମୋର ଚାକିରି ଦରକାରପଡିଲା ସେଠାକୁ ଯିବା ପରେ ମୋତେ ନିରାଶ ହେବାକୁ ପଡିଥିଲା। ଏବେ ଯାଏ ଚାକରିଟିଏ ପାଇଁ ଦୌଡୁଛି ସିନା ପ୍ରଶାସନ ମୋ କି ମୋର ପରିବାର କଥା ବୁଝୁନାହିଁ। ସେହି ସମୟରେ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଏବେ ଯାଏ ଜାଗା ଖଣ୍ଡିଏ ନ ମିଳିବା ସୁଶାସନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶହୀଦଙ୍କ ପେନସନରେ ଏବେ ସାନଝିଅ ଇତିଶ୍ରୀ ଭୁବନେଶ୍ବରରେ ଉଚ୍ଚଶିକ୍ଷା କରୁଥିବାରୁ ଘୋର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏପେଟ‌େ ପ୍ରଶାସନ ପକ୍ଷରୁ ଏହି ଜାଗା ପ୍ରଦାନ ବିଳମ୍ବ ହେଉଥିବାରୁ ନାହିଁ ନ ଥିବା ହଇରାଣ ହେଉଛନ୍ତି ଏହି ଶହୀଦଙ୍କ ପରିବାର।

ଅରୁଣ ବୋଥ୍ରା କୋରାପୁଟ ଏସପି ଭାବେ ରହିଥିବାବେଳେ ଏହି ଲୋମଟାଙ୍କୁରା ଅସ୍ତ୍ରାଗାର ଲୁଟ ଘଟଣା ଘଟିଥିଲା। ଏଥିରେ ଜୟପୁର ରାଜବଂଶରୁ ଆସି କୋରାପୁ ଅସ୍ତ୍ରାଗାରରେ ରହିଥିବା ୫୦କୋଟିରୁ ଅଧିକ ମୂଲ୍ୟର ୧୦୦୦ରୁ ଅଧିକ ଭଲ ବନ୍ଧୁକ ଓ ୧୦୦୦ରୁ ଅଧିକ ଅନ୍ୟ ଅସ୍ତ୍ରଶସ୍ତ୍ର ନେଇଯାଇଥିଲେ ନକ୍ସଲବାଦୀ। ଏନେଇ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ କହିଛନ୍ତି ଯେ ସେହିସମୟରେ ଉକ୍ତ ଶହୀଦଙ୍କ ପରିବାରକୁ ସବୁ ସୁବିଧା ପ୍ରଦାନ କରାଯାଇଛି। ତାଙ୍କୁ ଜାଗା ପ୍ରଦାନ ନେଇ ରାଜସ୍ବ ବିଭାଗକୁ ବହୁ ବାର ଚିଠି କରାଯାଇଛି। କିନ୍ତୁ ଏହାକୁ କାହିଁ ସେମାନେ ବିଳମ୍ବ କରୁଛନ୍ତି ତାହା ଜଣାପଡୁନି ‌ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର