ଗୁଡ଼ିଆଘର ପୋଖରୀ ଖନନ କାମ ଅଧାପନ୍ତରିଆ: ଦାଦନ ଖଟିବାକୁ ଯିବେଆ ୯୮ ଜଣ ଜବକାର୍ଡ଼ଧାରୀ

ବାଲିଅନ୍ତା:ବାଲିଅନ୍ତା ଅଞ୍ଚଳରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ପ୍ରହସନ ପାଲଟିଛି । ମନରେଗା ଯୋଜନାରେ ପଞ୍ଚାୟତ ପୋଖରୀ ଖନନ କାର୍ଯ୍ୟରେ ନିୟୋଜିତ ଜବକାର୍ଡ଼ଧାରୀମାନଙ୍କୁ ମଜୁରି ଟଙ୍କା ପ୍ରଦାନ କରାଯିବାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି ।

ସ୍ଥାନୀୟ ସରକଣା ପଞ୍ଚାୟତରେ ଏହି ଯୋଜନାରେ ଶ୍ରମିକମାନଙ୍କୁ ମଜୁରି ନମିଳିବାରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି । ସରକାରୀ ନିୟମାନୁଯାୟୀ ଉକ୍ତ ଯୋଜନାରେ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରି ଟଙ୍କା ୭ ଦିନ ଭିତରେ ଯିବା ପାଇଁ ନିୟମ ଥିବା ବେଳେ ମାସ ମାସ ପରେ ଟଙ୍କା ଯାଉ ନାହିଁ । ଯାହାଫଳରେ ମନରେଗା ଯୋଜନା ରାଜ୍ୟରେ ବାଟ ହୁଡ଼ିଥିବା କୁହାଯାଉଛି ।

ଅନ୍ୟପକ୍ଷରେ ଯୋଜନାରେ ପଞ୍ଜୀକୃତ ଶହ ଶହ ଶ୍ରମିକ ପରିବାର ଗୁଜୁରାଣ ମେଣ୍ଟାଇବା ଲାଗି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୂଲ ଲାଗିବା ସତ୍ବେ ମଜୁରି ମିଳୁ ନଥିବାରୁ ପଞ୍ଚାୟତ ଅଞ୍ଚଳର ୯୮ ଜଣ ଶ୍ରମିକ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି ।

କରୋନା ବେଳେ ମୁମ୍ବାଇ , କେରଳ , ଗୁଜୁରାଟ , ସୁରଟ , ପଶ୍ଚିମବଙ୍ଗ ଫେରନ୍ତା ଶ୍ରମିକ ଭୋକ ଉପାସରେ ରହି ହନ୍ତସନ୍ତ ହେବା ଅପେକ୍ଷା ପୁଣି ସେଠାରେ ଥିବା କଳକାରଖାନାରେ କାମ କରିବାକୁ ଫେରିଯିବା ପାଇଁ ମନ ବଳାଇଛନ୍ତି । ଏପରିକି ସେମାନଙ୍କ ଭିତରୁ କିଛି ଜବକାର୍ଡ଼ଧାରୀ ଟ୍ରେନ ଟିକଟ କରି ସାରିଥିବା କହିଛନ୍ତି । ଉକ୍ତ ପଞ୍ଚାୟତ ଅଧୀନ ରଣପୁର ଗ୍ରାମ ଗୁଡ଼ିଆ ଘର ପୋଖରୀ ପଙ୍କ ଉଦ୍ଧାର ଓ ଗୋଟିଏ ପାର୍ଶ୍ବରେ କଂକ୍ରିଟ ଗାର୍ଡ଼ୱାଲ ନିର୍ମାଣ ଲାଗି ଉକ୍ତ ଯୋଜନାରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ସୂଚନା ଫଳକ ଲଗାଯାଇଛି ।

ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସଙ୍କ ସୂଚନା ଅନୁଯାୟୀ ସମଗ୍ର ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପରେ ୪୮୦ ଦିନ କର୍ମ ଦିବସ ହେଲାଣି । ଏହା ମଧ୍ୟରେ ଦୀର୍ଘ ୧ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଜବକାର୍ଡ଼ଧାରୀଙ୍କ ବ୍ୟାଙ୍କଖାତାକୁ ମଜୁରି ଟଙ୍କା ଯାଇନଥିବା କହିଛନ୍ତି । କାମ କରିବା ସତ୍ବେ ମଜୁରି ଅର୍ଥ ମିଳୁନଥିବାରୁ ଶ୍ରମିକମାନେ ଅଭାବ ଅନଟନରେ ଦିନ କାଟୁଛନ୍ତି । ଟଙ୍କା ନଥିବାରୁ ରଣପୁର ଗୁଡ଼ିଆ ଘର ପୋଖରୀ ଖନନ , ଆଙ୍କୁସାର , ଶଙ୍ଖଘର ପୋଖରୀ , ରଣପୁର – କାଜିପୁର କଚ୍ଚା ରାସ୍ତା , ଲୁଣା ରାସ୍ତା , ବିଲିପଡ଼ା ଶ୍ମଶାନ ରାସ୍ତା ଆଦି ପ୍ରକଳ୍ପ କାର୍ଯ୍ୟ ଅଧାରେ ବନ୍ଦ ରଖାଯାଇଥିବା ସରପଞ୍ଚ ଦାସ କହିଛନ୍ତି ।

ଅନ୍ୟପକ୍ଷରେ ଏସଂପର୍କରେ ବିଡିଓ ଆଦିକନ୍ଦ ବେହେରାଙ୍କୁ ପଚାରିବାରେ ରାଜ୍ୟ ସରକାରଙ୍କ ମନରେଗା ଆକାଉଣ୍ଟରେ ଟଙ୍କା ନାହିଁ । ତେଣୁ କେନ୍ଦ୍ର ପଇସା ପଠାଇବା ପରେ ହି ରାଜ୍ୟ ଆକାଉଣ୍ଟରୁ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଯିବ । ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲିଙ୍କୁ ପଚାରିବାରେ କେନ୍ଦ୍ର ମନରେଗା ଅନୁଦାନ ଅର୍ଥ ଯୋଗାଣରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ସେ ଏନେଇ ଆସନ୍ତା ବିଧାନ ସଭା ଅଧିବେସନ ସମୟରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି । ଶ୍ରମିକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ମନରେଗା ଯୋଜନା ଟଙ୍କା ମଂଜୁର ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର