ଧାନବସ୍ତା ଧରି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିଲେ 

ଖୋର୍ଦ୍ଧା: ଖୋର୍ଦ୍ଧାରେ ଧାନମଣ୍ଡିରେ ଟୋକେନ୍ ମିଳିବା ପରେ ମଧ୍ୟ ଟାର୍ଗେଟ୍ ପୂରଣ ହୋଇଛି ବୋଲି ଚାଷୀଙ୍କ ଠାରୁ ଧାନ କିଣାଯାଉନଥିବା । ଚାଷୀଙ୍କ ନାମରେ ଦଲାଲଙ୍କ ଠାରୁ ଧାନ କିଣାଯାଉଥିବା ଆଦି ଅଭିଯୋଗ କରି ଆଜି ନବ ନିର୍ମାଣ କୃଷକ ସଂଘର ସଦସ୍ୟ ଓ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧାନବସ୍ତା ଧରି ଧସେଇ ପଶିଥିଲେ ।

ଏହାକୁ ନେଇ ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଜିଲ୍ଲାପାଳ ଆସି ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବାର ପ୍ରତିଶ୍ରୁତି ପରେ ବିକ୍ଷୋଭକାରୀ ଫେରିଥିଲେ ।

ଆଜି ପ୍ରାୟ ୧୨ଟା ବେଳେ ଏକ ଗାଡ଼ିରେ ଧାନବସ୍ତା ଧରି ନବ ନିର୍ମାଣ କୃଷକ ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାନବସ୍ତା ପକାଇ ଧାରଣାରେ ବସିଥିଲେ ।

ଦୀର୍ଘ ୩୦ ମିନିଟ୍ ପରେ ପୁଲିସ ସେଠାରେ ପହଞ୍ଚି  ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଅବରୋଧ ହଟାଇବାକୁ କହିଥିଲେ । ଏହାକୁ ନେଇ ପରିସ୍ଥିତି ବେଶ୍ କିଛି ସମୟ ଉତ୍ତେଜନାମୂଳକ ରହିଥିଲା । ପରେ ସଂଘର ସଦସ୍ୟମାନେ ଧାନ ବସ୍ତା ହଟାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାପାଳ ସନତ କୁମାର ମହାନ୍ତି ସେମାନଙ୍କ ନିକଟରେ ପହଞ୍ଚି ଦାବିପତ୍ର ଗ୍ରହଣ କରିବା ସହ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଚାଷୀଙ୍କ ସହ ଆଲୋଚନାବେଳେ ଯୋଗାଣ ବିଭାଗ ଅଧିକାରୀ ଅନାମ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ତେବେ ମଣ୍ଡିରେ ଏଭଳି ଅବ୍ୟବସ୍ଥା ପାଇଁ କୌଣସି ସଠିକ୍ ସ୍ପଷ୍ଟୀକରଣ ଦେଇପାରି ନଥିଲେ । ଫଳରେ ଜିଲ୍ଲାପାଳ ତାଙ୍କୁ ତାଗିଦ୍ କରି ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ ଯେଭଳି କିଣାଯିବ ସେନେଇ ବ୍ୟବସ୍ଥା କରିବାକୁ କହିଥିଲେ ।

ଚାଷୀଙ୍କ ଅଭିଯୋଗ ଥିଲା ଯେ ଯେଉଁ ଚାଷୀଙ୍କୁ ଟୋକେନ୍ ଦିଆଯାଉଛି । କିନ୍ତୁ ଚାଷୀ ଯେତେବେଳେ ଧାନ ଧରି ମଣ୍ଡିରେ ପହଁଚୁଛି ସେତେବେଳେ ସମବାୟ ସମିତି ସମ୍ପାଦକ ଟାର୍ଗେଟ୍ ପୂରଣ ହୋଇଯାଇଥିବା ଆଳ ଦେଖାଇ ଫେରାଇ ଦେଉଛି । ଚାଷୀଙ୍କ ନାମରେ ଯୋଗାଣ ବିଭାଗ, ସମବାୟ ସେକ୍ରେଟାରୀ ଓ ଦଲାଲାଙ୍କ ଶଲାସୂତ୍ରରେ ଧାନ କିଣାଯାଇ ପ୍ରକୃତ ଚାଷୀଙ୍କୁ ବାଦ ଦିଆଯାଉଛି ।
ନବ ନିର୍ମାଣ କୃଷକ ସଂଘର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମାନସିଂହ କହିଛନ୍ତି ଯେ ଗତ ୨୩ ତାରିଖରେ ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମଣ୍ଡିର ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ଲିଖିତ ଅଭିଯୋଗ କରିଥିଲେ । ସେହି ସମୟରେ ଜିଲ୍ଲାପାଳ ସେମାନଙ୍କ ସମସ୍ୟାର ସମାଧାନ ସହ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ଦୁଇଟି ମଣ୍ଡି ଦିବସ ଚାଲିଯାଇଛି, କିନ୍ତୁ ଚାଷୀଙ୍କ ଠାରୁ ଧାନ କିଣାଯାଇନାହିଁ ।

ସମ୍ବନ୍ଧିତ ଖବର