ପୁଣି କରୋନା ଭାଙ୍ଗି ଦେଲା ପରମ୍ପରା: ବିନା ଭକ୍ତରେ ମନ୍ଦିରରେ ଗଡ଼ିବ ୫ଫୁଟିଆ ପ୍ରତୀକାତ୍ମକ ରଥ 

ଜୟପୁର: ପୁଣି ଏବର୍ଷ ବି କରୋନା ଭାଙ୍ଗିଦେଲା ପରମ୍ପରା। ଜୟପୁରରେ ଗଡ଼ିବ ପ୍ରତୀକାତ୍ମକ ୫ ଫୁଟିଆ ରଥ। ଭକ୍ତଙ୍କ ବିନା ହେବ ରଥଯାତ୍ରା। ରାଜରାଜୁଡା ଅମଳରୁ ଜୟପୁରର ରଥଯାତ୍ରାକୁ ନେଇ ଅନେକ ଜନଶ୍ରୃତି ଓ କିମ୍ବଦନ୍ତୀ ରହିଛି। । ରଥଯାତ୍ରା ଦିନ ଚତୁର୍ଦ୍ଧା ଠାକୁର ରଥକୁ ବିଜେ କରୁଥିଲେ ହେଁ ତା ପର ଦିନ ଏଠାରେ ରଥ ଟଣା ଯିବା ଧାରା ଜାରି ରହିଥିଲା। ଏଥିରେ ୩୦ରୁ ୫୦ହଜାର ଭକ୍ତଙ୍କ ସମାଗମ ହେଉଥିଲା। ତାହା ଆଉ ଏବେ ହେବ ନାହିଁ।

ଦେବୋତ୍ତର ଉପଦେଷ୍ଟା କମିଟି ବୈଠକର ନିଷ୍ପତି କ୍ରମେ ୫ଫୁଟର ଛୋଟିଆ ରଥ ନିର୍ମାଣ କରି ମନ୍ଦିର ପରିସରରେ ରଖାଯାଇଛି। ଉପଦେଷ୍ଟା କମିଟି ବୈଠକରେ ହୋଇଥିବା ନିଷ୍ପତି କ୍ରମରେ ଆସନ୍ତାକାଲି ରଥପ୍ରତିଷ୍ଠା କରାଯିବା ସହ ସବୁ ରୀତିନୀତିର ପୂଜା କରାଯିବ। ଦିନ ୩ଟା ବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଠି ପହଣ୍ଡି କରି ନାଟ୍ୟମଣ୍ଡପରୁ ଜଗମୋହନକୁ ଆଣି ରଖାଯିବ। ଏହି ସମୟରେ ଅନନ୍ତ ଶୟନଙ୍କୁ ରଥ ଉପରକୁ ବିଜେ କରାଯିବ। ଛେରାପଁହରା ବି କରାଯିବ। ପୂର୍ବ ପ୍ରଚଳିତ ଧାରା ଅନୁଯାୟୀ ଆସନ୍ତାକାଲି ଜଗନ୍ନାଥ ମନ୍ଦିର ପାର୍ଶ୍ବରେ ରଖାଯାଇଥିବା ଛୋଟ ରଥରେ ହିଁ ସେଭଳି ଅନନ୍ତଶୟନ ରହିବେ।

ପଅରଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଥମେ ରଥକୁ ଉତ୍ତରକୁ ଟଣାଯିବା ପରେ ଦକ୍ଷିଣ ମୋଡ଼ କରାଯାଇ ନାରାୟଣ ମନ୍ଦିରନିକଟକୁ ଅଣାଯିବ। ଏହି ସମୟରେ ଗୋଠି ପହଣ୍ଡି କରି ଚାରି ଠାକୁରଙ୍କୁ ବି ସାଙ୍ଗରେ ଆଣି ନାରାୟଣମନ୍ଦିର ପରିସରରେ ନେଇ ରଖାଯିବ। ଏଠାରେ ପୂର୍ବଭଳି ଠାକୁରମାନଙ୍କର ବିଭିନ୍ନ ଅବତାରର ବେଶ କରାଯିବ ଏବଂ ସେଠାରେ ହେରାପଂଚମୀ ବି କରାଯିବାର ନିଷ୍ପତି ହୋଇଛି ବୋଲି ଉପଜିଲ୍ଲାପାଳ ତଥା ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ କହିଛନ୍ତି।

ଆଜି ଉଭୟଙ୍କ ସହ ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର,ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳ, ଏଏସଆଇ ଟି.ଅହମ୍ମଦ, ପ୍ରମୁଖ ଯାତ୍ରାସ୍ଥଳ ଓ ବ୍ୟାରିକେଡ୍ ଆଦିର ଯାଂଚ କରିଥିଲେ। ରଜାନଅରରୁ ଜଗନ୍ନାଥ ମନ୍ଦିର ସମ୍ମୁଖ, ଗଙ୍ଗାନଗର ଛକ, ଜଗନ୍ନାଥମନ୍ଦିର ସମ୍ମୁଖ ଗଳି , ତାରିଣୀମନ୍ଦିର ଛକ ରାସ୍ତା ଆଦି ୫ଟି ସ୍ଥାନରେ ବ୍ୟାରିକେଡ୍ କରାଯିବ। ସେଭଳି ସେବାୟତମାନଙ୍କର ଆଣ୍ଟିଜେନ୍ କିଟରେ ପରୀକ୍ଷା କରାଯାଇଥିଲା। ନେଗେଟିଭ୍ ରିପୋର୍ଟ ଥିବା ସେବାୟତମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ପରିଚୟପତ୍ର ନଥିଲେ କାହାରିକୁ ବି ଛଡ଼ାଯିବ ନାହିଁ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।

୨ଦିନ ପର୍ଯ୍ୟନ୍ତ ବ୍ୟାରିକେଡ଼ ରହିବ, ତା ପରେ ଉଠିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ। ସେଭଳି ସମସ୍ତ ନିତୀକାନ୍ତି ଓ ରଥଟଣା ଆଦି ଫେସବୁକ୍ ଓ ୟୁଟୁବରେ ଲାଇଭ୍ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଅଧିକାରୀ ପିକେ ବିଶ୍ବାଳ।

 

ସମ୍ବନ୍ଧିତ ଖବର