ଉଦଳା/ଖୁଣ୍ଟା: କୋଚିଂ ସେଣ୍ଟରରେ ଛାତ୍ରମୃତ୍ୟୁ ଘଟଣାରେ ଆଜି ଉଦଳା କଲେଜ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଆସିଛନ୍ତି। ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ପୁଲିସ ବିରୋଧରେ ନାରାବାଜି କରିଛନ୍ତି।
ଛାତ୍ର ଅନିମେଶ ଦାସ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ ମିଳିସାରିଥିଲେ ବି ପୁଲିସ ହାତବାନ୍ଧି ବସିଥିବାରୁ ଛାତ୍ରସଂସଦ ପ୍ରତିକ୍ରିୟାଶୀଳ ହୋଇଛି। ଶତାଧିକ ଛାତ୍ରଛାତ୍ରୀ ଗତ ଦୁଇଦିନ ଧରି ଥାନା ଘେରାଉ କରିଥିଲେ। ଆଜି ଦିନ ୧୦ଟା ସୁଦ୍ଧା ଘଟଣାର ପର୍ଦାଫାସ ହେବ ବୋଲି ଏସ୍‌ଡିପିଓ କହିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଦୀର୍ଘ ୪ ଘଣ୍ଟା ଧରି କଲେଜ ସମ୍ମୁଖରେ ରାଜପଥକୁ ଅବରୋଧ କରିଥିଲେ। ପୁଲିସର ସନ୍ଦିଗ୍ଧ ଭୂମିକାକୁ ସମାଲୋଚନା କରିବା ସହ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ। ଦିନ ପ୍ରାୟ ୧୧ଟାରେ ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂ ଉଦଳାରେ ପହଞ୍ଚିଥିଲେ ବି ଥାନାରେ ବସିରହିଥିଲେ। ଘଟଣାସ୍ଥଳକୁ ଯାଇନଥିଲେ କି ସମାଧାନ ପାଇଁ ଉଦ୍ୟମ କରିନଥିଲେ। କେତେକ ଛାତ୍ରଛାତ୍ରୀ ସେଠାକୁ ଯାଇ ପୁଲିସର ପ୍ରତିଶ୍ରୁତି ସମ୍ପର୍କରେ ଜାଣିବା ପାଇଁ ଚାହିଁଥିଲେ। ଏସ୍‌ପି କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।

Advertisment

ଫଳରେ ରାସ୍ତାରୋକ ଜାରି ରହିଥିଲା। ପ୍ରାୟ ୨ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳକୁ ଆସିଥିଲା। ହେଲେ ଉଦଳା ଆଇଆଇସି ନଥିଲେ। ଛାତ୍ରଛାତ୍ରୀମାନେ ଏସ୍‌ପିଙ୍କ ଉପସ୍ଥିତି ଦାବି କରିଥିଲେ ହେଁ ସେ ଆସିନଥିଲେ। ପରେ ଏସ୍‌ଡିପିଓ ସୁରେଶ ପାତ୍ର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ତାହା ଫଳପ୍ରଦ ହୋଇନଥିଲା। ଧାରଣାର ୪ ଘଣ୍ଟା ପରେ ଉପଜିଲ୍ଲାପାଳ ପ୍ରଭାତ କୁମାର ମହାପାତ୍ର, ସହକାରୀ ଜିଲ୍ଲାପାଳ ମନୋଜ ନାୟକ ପହଞ୍ଚି ଆଲୋଚନା କରିଥିଲେ। ଭିସେରା ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ନିକଟରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କେତେ ଦିନ ମଧ୍ୟରେ ଅଭିଯୁକ୍ତମାନେ ଗିରଫ ହେବେ ସେନେଇ ପୁଲିସ ସ୍ପଷ୍ଟ ସୂଚନା ଦେଇନାହିଁ। ଅପରପକ୍ଷେ କୋଚିଂ ସେଣ୍ଟର ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସତ୍ୟକୁ ଚପାଇ ଦେବାପାଇଁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛି ଖୁଣ୍ଟା ଅଟୋ ସଂଘ। ୧୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ସଂଘ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।