ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ତୁଳାବତୀ ମିଞ୍ଜ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ସକାଳେ ଜିଲ୍ଲାର ସମସ୍ତ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟାଙ୍କ ଏକ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବ୍ଲକ ୧ ନମ୍ବର ଜୋନ୍ରୁ ବିଜୟୀ ହୋଇଥିବା ତୁଳାବତୀ ମିଞ୍ଜଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଝାରସୁଗୁଡା ଜିଲ୍ଲାର ସମସ୍ତ ୯ ଗୋଟି ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ ହୋଇଥିଲା। ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ ହେବା ପରେ ଶ୍ରୀମତୀ ମିଞ୍ଜ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ସମସ୍ତ ନୂତନ ସଦସ୍ୟ ଓ ନୂତନ ଅଧ୍ୟକ୍ଷ ଙ୍କୁ ମନ୍ତ୍ରୀ ନବ କିଶୋର ଦାସ ଅଭିନନ୍ଦନ ଜଣାଇଥିଲେ। ବିଜେଡି ସହ ପର୍ଯବେକ୍ଷକ ବିଷ୍ଣୁ କେଡ଼ିଆ ମଧ୍ୟ ଉପସ୍ଥିତ ଥିଲେ।