ଖୋର୍ଦ୍ଧା : ଆସନ୍ତା ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷଣ ରଖିବା ଦାବିରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପାଣିଙ୍କ ନେତୃତ୍ୱରେ କର୍ମକର୍ତା ଓ ସଦସ୍ୟମାନେ ଦଳୀୟ ପତାକା ଆଦି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ନିଜର ଦାବି ସମ୍ପର୍କରେ ଶ୍ରୀ ପାଣି କହିଛନ୍ତି ଯେ ଗତ ୫ଟି ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷିତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ରାଜ୍ୟରେ ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆବର୍ଗ ଅଟନ୍ତି । ରାଜ୍ୟ ସରକାର ଜାଣିଶୁଣି ଉଚ୍ଚ ନ୍ୟାୟାଳୟକୁ ସଠିକ ତଥ୍ୟ ଦେଇନାହାନ୍ତି ଫଳରେ ଆସନ୍ତା ପଂଚାୟତ ନିର୍ବାଚନରୁ ପଛୁଆ ବର୍ଗ ସଂରକ୍ଷଣ ହଟିଯାଇଛି । ସେହିଭଳି ରାଜ୍ୟରେ ପଛୁଆବର୍ଗ କମିଶନ ଗଠନ ହୋଇଥିଲେ ମଧ୍ୟ କମିଶନ ବିଜେଡି ସରକାରର ପ୍ରୋରଚନାରେ ନିଜର ଦାୟିତ୍ୱ ସଠିକ ନିର୍ବାହ କରିନାହାନ୍ତି ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ, ସିଦ୍ଧାର୍ଥ ଶଙ୍କର ପତି, ସୁବାସ ଜେନା, ସିଦେ୍ଧଶ୍ୱର ନାଥ, ଗୁଣନିଥି ମହାପାତ୍ର, ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ରବୀନ୍ଦ୍ର ସେଠୀ, ଶୁଭାଙ୍ଗୀ ପାଲଟାସିଂହ, ରାଜ କିଶୋର ରଣସିଂହ, ପ୍ରତାପ ମହାପାତ୍ର, ସତ୍ୟ ପରିଡ଼ା, ଗଗନ ପାଇକରାୟ, ନଗେନ୍ଦ୍ର ଚମ୍ପତ୍ତି ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ ।