ବାରିପଦା : ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ଚଢ଼ି ନାରାବାଜି କରିବା ଏବଂ ପ୍ଲାକାର୍ଡ ରଖି ଅସମ୍ମାନ କରିବା ଅଭିଯୋଗରେ ପୁଲିସ୍ ୬ ଜେଏମଏମ ନେତାଙ୍କୁ ବିରୋଧ କରିଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଖବର ପାଇ ତୁରନ୍ତ ବାରିପଦା ଟାଉନ୍ ଥାନା ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଳକୁ ଓହ୍ଲାଇ ଆସିବାକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଜେଏମଏମ କର୍ମୀମାନେ ମାନିନଥିଲେ। ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଭାଙ୍ଗିବା ଏବଂ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୁଲିସ୍ ନିଜ ଆଡ଼ୁ ଏତଲା ଦେଇ ଯୁବମୋର୍ଚ୍ଚା ସଭାପତି ଅର୍ଜୁନ ମୁର୍ମୁ(୨୮), ସୁନାରାମ ସୋରେନ୍(୪୩), ପୃଥିରାଜ ହାଁସଦା(୩୩), ବାଜୁନ ସୋରେନ୍(୩୨), ଶିବାଜୀ ମୌଲିକ୍(୬୩) ପ୍ରମୁଖଙ୍କୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ୍। ଏହି ଘଟଣାରେ ବିଜେଡି ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି ।
ବିଜୁ ବାବୁ ସମସ୍ତଙ୍କ ନେତା, କଣ ପାଇଁ ବିଜେଡି ପତାକା ଲାଗିଛି: ଜେଏମଏମ
ବାରିପଦା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହେଉଛନ୍ତି ସମସ୍ତଙ୍କ ନେତା। ସେ ଜଣେ ବିଶିଷ୍ଟ ଜନନାୟକ। ତେଣୁ ତାଙ୍କ ପ୍ରତିମୂର୍ତ୍ତିରେ କଣ ପାଇଁ ବିଜେଡି ପତାକା ଲଗାଯାଇ ଅସମ୍ମାନ କରାଯାଉଛି ବୋଲି ପ୍ରଶ୍ନ କରିଛି ଜେଏମଏମ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗରେ ୬ଜଣ ଜେଏମଏମ କର୍ମୀଙ୍କୁ ଗିରଫ କଲା ପରେ ଦଳ ପକ୍ଷରୁ ଏପରି ଅଭିଯୋଗ ହୋଇଛି।
ମାସା ଆର୍ମୀ ପକ୍ଷରୁ ପ୍ରତିବାଦ
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନକୁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଦୃଢ ବିରୋଧ କରାଯିବା ସହିତ ନିନ୍ଦା କରାଯାଇଛି। ମହାପୁରୁଷଙ୍କୁ ଅସମ୍ମାନ କରିବା ସୁସ୍ଥ ସମାଜ ପାଇଁ ଆଦୌ ଠିକ୍ ନୁହେଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏଥିସହିତ ଭଞ୍ଜପୁରଠାରେ ଥିବା ଆଦିବାସୀ ମହାପୁରୁଷ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ହୋର୍ଡିଂ ଲଗାଇବା ମଧ୍ୟ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଯଥେଷ୍ଟ ସମ୍ମାନ କରୁ କିନ୍ତୁ ତାଙ୍କର ହୋର୍ଡିଂକୁ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିକୁ ଘେରିକରି ଲଗେଇବା ଆଦିବାସୀ ସମାଜର ଭାବନାକୁ ଗଭୀର ଆଘାତ ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି ମାସା ଆର୍ମୀ ନେତା ଶୁକୁଲାଲ ମାର୍ଣ୍ଡି। ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂକୁ ଉକ୍ତ ସ୍ଥାନରୁ ହଟାଇ ଅନ୍ୟ କୌଣସି ଜାଗାରେ ଲଗାଇବାକୁ ଶୁକୁଲାଲ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/ଭଞ୍ଜବୀରଙ୍କ-ପ୍ରତିମୂର୍ତ୍ତିରେ-ନବୀନଙ୍କ-ହୋହିଁଂ.jpg)