ବାରିପଦା : ମୟୂରଭଞ୍ଜରେ କରୋନା ଦେଖାଇଛି ଏହାର କରାଳ ରୂପ। ଏକଦା ଏକ ଅଙ୍କକୁ ଖସିଆସିଥିବା ଏହି ମହାମାରୀ ଏପ୍ରିଲ୍ ମଧ୍ୟଭାଗରୁ କିନ୍ତୁ ତାଣ୍ଡବ ରଚିବା ଆରମ୍ଭ କରିସାରିଛି। ମେ’ ମାସରେ ଏହି ମହାମାରୀ ଆତଙ୍କ ଦେଖାଇଚାଲିଛି। ତୀବ୍ର ବେଗରେ ବଢ଼ିଚାଲିଛି ଏହି ସଂକ୍ରମଣ। ଏନେଇ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା କରିବା ନିମନ୍ତେ ସମସ୍ତ ଚେଷ୍ଟା ଜାରି ରଖିଛି। ତଥାପି କିଛି ଅମାନିଆଙ୍କ ପାଇଁ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭଳି ମନେ ହେଉଛି। ଜିଲ୍ଲାବାସୀଙ୍କୁ କରୋନା ମହାମାରୀକୁ ନେଇ ସଚେତନ କରିବା ତଥା ଆଶ୍ବାସନା ଦେବା ଲକ୍ଷ୍ୟନେଇ ଆଜି ଉଭୟ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଏସପି ସ୍ମିତ୍ ପି ପରମାର ପୃଥକ ପୃଥକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପ୍ରଶାସନ କରୋନାକୁ ମୁକାବିଲା କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହି ଆଶ୍ବାସନା ଦେଇଛନ୍ତି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମହଜୁଦ ରହିଛି। ସେହିପରି ଆଇସିୟୁ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ଆବଶ୍ୟକ ଅନୁସାରେ ବ୍ୟବସ୍ଥା ହୋଇଛି। ତେବେ ଏହି ମହାମାରୀକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ସଚେତନ ହେବା ସହିତ ଜିଲ୍ଲାବାସୀ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ବିନା କାମରେ ଘରୁ ପଦାକୁ ନବାହାରିବା, ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଅଯଥାରେ ବାହାରେ ଗହଳି ନକରିବା, ନିହାତି ଦରକାରରେ ବାହାରକୁ ଗଲେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିବା ସହିତ ନିଜେ ସଚେତନ ରହି ଅନ୍ୟମାନଙ୍କୁ ସଚେତନ କରିବାକୁ ଜିଲ୍ଲାର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।
/sambad/media/post_attachments/wp-content/uploads/2021/05/smit-p-parmar.jpg)
ସେହିପରି ଏସପି ସ୍ମିତ୍ ପି ପରମାର ମଧ୍ୟ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାବାସୀ ଯେକୌଣସି ଫେକ୍ ନିଉଜ୍ ଏବଂ ଫରୱାର୍ଡେଡ୍ ମେସେଜଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଗତବର୍ଷ ମଧ୍ୟ କରୋନା ଯୁଦ୍ଧରେ ମୟୂରଭଞ୍ଜ ବିଜୟୀ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଆମେ ନିଶ୍ଚୟ ବିଜୟୀ ହେବାବୋଲି କହି ବିଶ୍ବାସ ଜନ୍ମେଇଛନ୍ତି ଏସ୍ପି। ଲକଡାଉନ ଏବଂ ସପ୍ତାହାନ୍ତ ସଟଡାଉନ କାହାକୁ ହଇରାଣରେ ପକେଇବା କିମ୍ବା ଫାଇନ୍ ଆଦାୟ କରିବା ଉଦ୍ଦେଶ୍ୟ ନୁହେଁ। ଏହା କରୋନା କବଳରୁ ଆମ୍ଭମାନଙ୍କୁ ବଞ୍ଚାଇବାର ଏକ ପ୍ରୟାସ ମାତ୍ର ବୋଲି ଏସ୍ପି ବାର୍ତ୍ତା ଦେଇଛନ୍ତି। ଏଥିସହିତ କରୋନାଜନିତ କୌଣସି ସୂଚନା ଆବଶ୍ୟକ ଥିଲେ ମୟୂରଭଞ୍ଜ ପୁଲିସର ହେଲ୍ପଲାଇନ ନମ୍ବର ୦୬୭୯୨-୨୫୨୩୨୫ରେ ଯୋଗାଯୋଗ କରିବାକୁ ଏସ୍ପି ଶ୍ରୀ ପରମାର ପରାମର୍ଶ ଦେଇଛନ୍ତି। ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ କୋଭିଡ୍ ଜନିତ ଯେକୌଣସି ସୂଚନା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ୦୬୭୯୨-୨୫୫୦୮୦ ଯୋଗାଯୋଗ କରାଯାଇପାରିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Binit-Bhardwaj.png)