ମାଲକାନଗିରି: ମାଲକାନଗିରି ଜିଲ୍ଲାର ଶେଷ ସୀମା ଆନ୍ଧ୍ରକୁ ଲାଗି ରହିଥିବା ମୋଟୁ ରାସ୍ତା ଦେଇ ପ୍ରତିଦିନ ଶତାଧିକ ପ୍ରବାସୀ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଏବେ ବି ପ୍ରବାସୀଙ୍କ ସୁଅ ଛୁଟିବାରେ ଲାଗିଛି। ଏବେ ସୁଦ୍ଧା ୨୬ ୪୨୧ ଜଣ ପ୍ରବାସୀ ମୋଟୁ ରାସ୍ତା ଦେଇ ଅତିକ୍ରମ କରାଯାଇଥିବା ଜଣାପଡିଛି। ତେବେ ଏଥିମଧ୍ୟରୁ ୧୧ ହଜାର ୫୧୯ ଜଣ ମାଲାକନଗିରି ଜିଲ୍ଲାର ହୋଇଥିବା ବେଳେ ୧୩ ହଜାର ୫୧୯ ଜଣ ଅନ୍ୟ ଜିଲ୍ଲାର ଏବଂ ୧ ହଜାର ୩୮୩ ଜଣ ଅନ୍ୟ ରାଜ୍ୟର ପ୍ରବାସୀ ବୋଲି ଜଣାପଡିଛି। ତେବେ ଦିନକୁ ପ୍ରାୟ ଚାରି ଶହରୁ ପାଞ୍ଚ ଶହ ପ୍ରବାସୀ ମୋଟୁ ରାସ୍ତା ଦେଇ ଅତିକ୍ରମ କରୁଛନ୍ତି।
ବହୁ ପ୍ରବାସୀ ମାଇଲ ମାଇଲ ବାଟ ଚାଲି ଚାଲି ମୋଟୁ ପ୍ରବେଶ ପଥରେ ପହଞ୍ଚୁଥିବା ମଧ୍ୟ ଦେଖିବାକୁ ମିଳିଛି।ଏଠାରେ ପ୍ରବାସୀମାନଙ୍କ ପାଇଁ ରହିବା ସହ ଟିଫିନ,ମଧ୍ୟାହ୍ନ ଭୋଜନ,ରାତ୍ରୀ ଭୋଜନ ଇତ୍ୟାଦି ପ୍ରଦାନ କରାଯାଇଥିବା ନେଇ ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ପ୍ରକାଶ କରିଛନ୍ତି।କୌଣସି ପ୍ରବାସୀଙ୍କୁ ଯେପରି ହଇରାଣ ନହୁଅନ୍ତି ସେଥପାଇଁ ୨୪ ଘଣ୍ଟା ପ୍ରଶାସନ ତରଫରୁ ମୋଟୁ ପ୍ରବେଶ ପଥରେ ଜଗି ରହୁଛନ୍ତି ଶିକ୍ଷକ,ପୁଲିସ,ରାଜସ୍ବ ବିଭାଗ ଏବଂ ଆଞ୍ଚଳିକ ପରିବହନର କର୍ମଚାରୀମାନେ।ସମସ୍ତ ପ୍ରବାସୀଙ୍କର ନାମ ରେଜିଷ୍ଟାର କରାଯିବା ସହ ସେମାନେ କେଉଁଠାରୁ ଆସିଲେ ଏବଂ କେଉଁଠାକୁ ଯିବେ ସମସ୍ତ ରେକର୍ଡ ଲିପିବଦ୍ଧ କରାଯାଇଥିବା ଦେଖିବାକୁ ମିଳିଛି।
ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଠାରେ ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସୁନ୍ଦର ଭାବେ କରାଯାଉଥିବା ଦେଖିବାକୁ ମିଳିଛି।ପ୍ରଥମେ ଏଠାରେ ପ୍ରବାସୀଙ୍କ ପାଇଁ କୌଣସି ସୁବିଧା କରାଯାଇନଥିଲା।ଯାହାଫଳରେ ଲୋକେ ବହୁ ହଇରାଣ ହେଉଥିଲେ।ଏବେ କିନ୍ତୁ ସବୁ ବଦଳି ଯାଇଛି।ତେବେ ମୋଟୁ ଠାରୁ ନିଜ ନିଜ ଅଂଚଳକୁ ଯିବାକୁ ବସ କିମ୍ବା ଅନ୍ୟାନ୍ୟ ସୁବିଧା ନଥିବାରୁ ପ୍ରବାସୀ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି।କିଛି ପ୍ରବାସୀ ବାଧ୍ୟ ହୋଇ ଚାଲି ଚାଲି ଯାଉଥିବା ଲକ୍ଷ୍ୟ କରାଯାଇଛି।ବର୍ତ୍ତମାନ ବର୍ଷା ପହଞ୍ଚିଯାଇଥିବାରୁ ସମସ୍ତ ପ୍ରବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଯେଉଁମାନେ ରହିବେ ସେମାନଙ୍କ ପାଇଁ ନିକଟସ୍ଥ ସ୍କୁଲର ବ୍ୟବସ୍ଥା କରାଯାଇଛି।
ଯେଉଁଠି ପ୍ରବାସୀ ନିଶ୍ଚିନ୍ତରେ ରହିବେ ଏବଂ ପରବର୍ତ୍ତୀ ସମୟରେ ନିଜ ଅଂଚଳକୁ ଯାଇପାରିବେ।ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ସମସ୍ତ ପ୍ରବାସୀଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି।ତେବେ ଦ୍ବିତୀୟ ଲହରିରେ ମାଲକାନଗିରି ପୌର ପରିଷଦରେ ୧୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ବାଲିମେଳା ଏନଏସିରେ ୯ ଜଣ,ମାଲକାନଗିରି ବ୍ଲକରେ ୧୩୦ ଜଣ,ମାଥିଲି ବ୍ଲକରେ ୮୮ ଜଣ,ଖଇରପୁଟ ବ୍ଲକରେ ୮୪ ଜଣ,ଚିତ୍ରକୋଣ୍ଡା ବ୍ଲକରେ ୩୭ ଜଣ,କୋରକୋଣ୍ଡା ବ୍ଲକରେ ୫୫ ଜଣ,କାଲିମେଳା ବ୍ଲକରେ ୧୬୮ ଜଣ ଏବଂ ପଡିଆ ବ୍ଲକରେ ୧୧୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।ତେବେ ପ୍ରବାସୀମାନେ ବି ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।ଲକ ଡାଉନ ସତ୍ବେ ଏତେ ସଂଖ୍ୟାରେ ପ୍ରବାସୀଙ୍କ ଆଗମନ ଏକ ପ୍ରକାର ଚିନ୍ତା ମଧ୍ୟ ବଢାଇ ଦେଇଛି।ସଂକ୍ରମଣ ନକମିବା ପର୍ଯ୍ୟନ୍ତ ପ୍ରବାସୀଙ୍କ ସୁଅ ଛୁଟିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Mkg-prabasi-coming-at-Motu-border-1.jpg)