ଅତାବିରା: ହୀରାକୁଦ ସେଚାଞ୍ଚଳରେ ପାଖାପାଖି ୩୦ ପ୍ରତିଶତ ଧାନ ଅମଳ ହେଲାଣି। ବଡ଼ ବଡ଼ ଚାଷୀଙ୍କ ଅଧିକାଂଶ ଧାନ ଗଚ୍ଛିତ ରହିଛି। ଆସନ୍ତା ୨୧ ତାରିଖ ମଣ୍ଡି ଖୋଲିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ଚାଷୀ ପାଖରେ ଭିତ୍ତିଭୂମି ନ ଥିବା, ଅଦିନିଆ ବର୍ଷା ଆଶଙ୍କା ଥିବାରୁ ୧୫ ତାରିଖ ଅତାବିରା ଆର୍‌ଏମ୍‌ସିର ସମସ୍ତ ମଣ୍ଡି ଖୋଲିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ପ୍ରଶାସନ ନିଜ ନିର୍ଦ୍ଧାରିତ ତାରିଖରେ ମଣ୍ଡି ଖୋଲିବାରେ କୌଣସି ତତ୍ପରତା ଦେଖାଇ ନଥିବା ବେଳେ ଚାଷୀମ‌ାନେ ବୁଧବାର ବରଗଡ଼ ଜିଲ୍ଲା ଗୋଡ଼ଭଗା ମାର୍କେଟ୍ ୟାର୍ଡରେ ଜୋରଜବରଦସ୍ତ ୭ଟି ଟ୍ରାକ୍ଟର-ଟ୍ରଲିରେ ୧ ହଜାର ପାକେଟ୍‌ ୪ ଧାନ ପକାଇଛନ୍ତି। ଗୋଡ଼ଭଗା ସମଲେଇ ମନ୍ଦିର ସମ୍ମୁଖରୁ ଚାଷୀମାନେ ଧାନ ଗାଡ଼ି ସହ ଏକ ରାଲିରେ ୟାର୍ଡକୁ ଆସିଥିଲେ। ମଣ୍ଡିର ଫାଟକରେ ତାଲା ଦେଇଥିବାରୁ ଗେଟ୍‌ ନ ଖୋଲିଲେ ଜାତୀୟ ରାଜପଥରେ ଧାନ ପକାଇ ଅବରୋଧ କରିବାକୁ ଧମକ ଦେଇଥିଲେ। ପରେ ମଣ୍ଡିର କର୍ମଚାରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ‌ୟାର୍ଡର ମୁଖ୍ୟ ଫାଟକ ଖୋଲିବାକୁ ବାଧ୍ୟ ହୋଇଥିଲେ। ଧାନ ଗାଡ଼ି ମଣ୍ଡିକୁ ପ୍ରବେଶ କରିବା ପୂର୍ବରୁ ନଡ଼ିଆ ବାଡ଼େଇ, ପୂଜାର୍ଚ୍ଚନା କରି ଅନୁକୂଳ କରିଥିଲେ। ଧାନ ଆଣିଥିବା ଚାଷୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବୁଧବାର ଚାଷୀ ବି ପାପା ‌ରାଓ ଚୌଧୁରୀ, ଡି ସୁବା ରାଓ, ଭୋଜରାଜ ସାହୁ, ଭି ହନୁମନ୍ତ ରାଓ, ଜେ କେ ରାଜୁ, କେ ରାମବାବୁ, ଭି ବୁଲି ରାଜୁଙ୍କ ମୋଟ୍ ୧୦୦୪ ପାକେଟ୍ ଧାନ ମଣ୍ଡିକୁ ଆଣିଥିବା ଜଣାପଡ଼ିଛି।
ଏହା ପୂର୍ବରୁ କୃଷକ ସଂଗଠନର ଅତାବିରା ବ୍ଲକ୍‌ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭେଡ଼େନ ବ୍ଲକ୍‌ର ଚାଷୀ ନେତା ଉତ୍ପନ୍ନ ଭୋଇ, କୋଶଲସେନା ତଥା ଚାଷୀ ନେତା ସୁଦାମ ପାତ୍ର, ରାଜବୋଡ଼ାସମ୍ବର କୃଷକ ସଂଗଠନର ଅରବିନ୍ଦ ପଣ୍ଡା, ପଦ୍ମପୁର ବ୍ଲକ୍‌ ସଭାପତି ପଞ୍ଚାନନ ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରିଥିଲେ। ଜିଲ୍ଲା ଧାନ ସଂଗ୍ରହ ନୀତିକୁ କେନ୍ଦ୍ରୀକରଣ କରି ରାଜଧାନୀର ସଚିବଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଧାରଣ ହେଉଛି। ଧାନ ପଂଜୀକରଣ ସମୟରେ ଚାଷୀ ଧାନ ବିକ୍ରି କରିବାର ପକ୍ଷ ଉଲ୍ଲେଖ କରୁଥିବା ବେଳେ ସରକାର ତାଙ୍କ ନିୟମକୁ ପାଳନ କରୁ ନାହାନ୍ତି। ଚାଷୀ ମଣ୍ଡିକୁ ଧାନ ଆଣିଲା କ୍ଷଣି ଟୋକନ ପ୍ରସ୍ତୁତ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରୁନାହାନ୍ତି। ଛତିଶଗଡ଼ରେ ବୋନସ ଦେଉଥିବା ବେଳେ ଓଡ଼ିଶାରେ ଚାଷୀଙ୍କୁ ଅଣଦେଖା କରୁଛନ୍ତି। ନିର୍ବାଚନ ଆସିଲେ ବିଭିନ୍ନ ଦଳ ଚାଷୀକୁ ନେଇ ରାଜନୀତି କରୁଛନ୍ତି। ଧାନ ସଂଗ୍ରହ ପ୍ରଣାଳୀରେ କଟ୍‌ନି ଛଟ୍‌ନି ବ୍ୟବସ୍ଥା ଦେହସୁହା ହୋଇଗଲାଣି। ଏଠାରେ ନାମକୁ ମାତ୍ର ସରକାରୀ ବ୍ୟବସ୍ଥା ଚାଲିଛି। ଏହାକୁ ଚାଷୀମାନେ ଏକତ୍ରିତ ହୋଇ ନିଜ ଦାବି ହାସଲ କରିବାକୁ ହେବ ବୋଲି ଚାଷୀମାନେ ମତ ରଖିଥିଲେ। ଏଥିରେ ଜିଲ୍ଲାର ବହୁ କୃଷକ ନେତା, କର୍ମୀ, ଚାଷୀମାନେ ଉପସ୍ଥିତ ଥିଲେ।