ଉତ୍କଳ ଆଲୁମିନା ଘେରିଲା କଂଗ୍ରେସ: ହକ୍ ହାସଲ ପର୍ଯ୍ୟନ୍ତ ଚାଲିବ ଲଢ଼େଇ କହିଲେ ସପ୍ତଗିରି

୬ ଦଫା ଦାବି ପୂରଣ ନ କଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ଧାରଣା

ରାୟଗଡ଼ା/କାଶୀପୁର: କମ୍ପାନିକୁ ପ୍ରତିଷ୍ଠାକୁ ୧୪ ବର୍ଷ ପୂରିଲା। କାଶୀପୁରର ବିକାଶ ତ ଦୂରର କଥା କମ୍ପାନି ପାଇଁ ବିସ୍ଥାପିତ ଗ୍ରାମବାସୀଙ୍କ ଦୁଃଖ ଦୂର ହୋଇ ପାରିଲାନି। ପାରିପାର୍ଶ୍ବିକ ବିକାଶ ନାଁରେ କୋଟି କୋଟି ଖର୍ଚ୍ଚ ହେଉଛି। ପ୍ରତି ବର୍ଷ ଶହ ଶହ ଲୋକଙ୍କୁ ନିଯୁକ୍ତି ମିଳୁଛି। କିନ୍ତୁ ସବୁ କ୍ଷେତ୍ରରେ ଏ ମାଟିର ମଣିଷ ଅବହେଳାର ଶିକାର ହୋଇଛି। ଏଣିକି କମ୍ପାନିକୁ କାଶୀପୁରବାସୀଙ୍କ କଥା ଚିନ୍ତା କରିବାକୁ ପଡ଼ିବ। ନଚେତ୍ ସଂସଦରେ ପ୍ରସଙ୍ଗ ଉଠିବା ସହ କମ୍ପାନିରେ ତାଲା ଝୁଲାଇବା ପାଇଁ ଆନ୍ଦୋଳନକୁ ତୀବ୍ରତର କରିବ କଂଗ୍ରେସ। ୬ ଦଫା ଦାବି ପୂରଣ ଦିଗରେ ଦୋରାଗୁଡାସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଘେରାଉ କରି ଏହି ଚେତାବନୀ ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହୋଇଥିବା ଘେରାଉରେ ଯୋଗଦେଇ ସାଂସଦ କହିଛନ୍ତି, ୬ ଦଫା ଦାବି ସଂପର୍କରେ ଆଲୋଚନା କରି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ, କମ୍ପାନି କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ କଂଗ୍ରେସ ମାସେ ମହଲତ ଦେଇଥିଲା। କେହି ବି କଂଗ୍ରେସର ପ୍ରସ୍ତାବକୁ ଗୁରୁତ୍ବ ଦେଲେନି। ଅଞ୍ଚଳର ବିକାଶ ପାଇଁ, ପୀଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ, ଅନ୍ୟାୟର ପ୍ରତିବାଦ କରି କଂଗ୍ରେସ କମ୍ପାନି ସମ୍ମୁଖରେ ୬ ଦଫା ଦାବି ରଖିଛି।

ଅଣ୍ଡିରାକଞ୍ଚ ପୁଲିସ୍ କମ୍ପାନି ପାଇଁ ୯ ମାସର ଗର୍ଭବତୀକୁ ଗିରଫ କରି କୋର୍ଟ ଚାଲାଣ କରିବା, ଜାମିନରେ ଆସିବା ପରେ ପ୍ରସୂତୀଙ୍କ ମୃତ୍ୟୁ ଘଟଣା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମୁଖା ଖୋଲିଛି। କମ୍ପାନି ଚାରିପାର୍ଶ୍ବକୁ ଘେରି ରହିଥିବା ଥାନା ପୁଲିସ୍ ଲୋକଙ୍କୁ ନ୍ୟାୟ ବଦଳରେ କେବଳ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରୁଛି। ଅଣ୍ଡିରାକଞ୍ଚ ପ୍ରସୂତୀ ମୃତ୍ୟୁ ମାମଲାରେ ସୁଲବତୀଙ୍କୁ ପରିବାରକୁ ୧ କୋଟି କ୍ଷତିପୂରଣ ସହ ଶିଶୁପୁତ୍ରର ଭରଣପୋଷଣ ଓ ତାଙ୍କ ସ୍ବାମୀକୁ କମ୍ପାନିରେ ନିଯୁକ୍ତି ଦେବାକୁ କଂଗ୍ରେସ ଦାବି କରିଥିଲା। ସେହିପରି କଂସାରିଗୁଡାରେ ଶିଳ୍ପ ପ୍ରତିଷ୍ଠା ନ କଲେ ଅଧିକୃତ ଜମିର ବର୍ତ୍ତମାନ ଦରର ୪ ଗୁଣା ମୂଲ୍ୟ ଦେଇ ଜମି ଫେରସ୍ତ, ଡି. କରଳ, ଡିମୁଣ୍ଡିକୁ ବିସ୍ଥାପନ ମାନ୍ୟତା, ଖଣି ପ୍ରଭାବିତ ଅଞ୍ଚଳ ତଥା କାଶୀପୁର ବ୍ଲକର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି, ପ୍ରଦ୍ୟୁଷଣ ମୁକ୍ତ, ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ, କନଭେୟାର ବେଲଟ୍ ଦ୍ବାରା ଖଣିଜ ପରିବହନ ଓ ଉତ୍ପାଦିତ ଆଲୁମିନା ପରିବହନ ବ୍ୟବସ୍ଥା ସ୍ଥାନୀୟ ଯୁବକଙ୍କୁ ପ୍ରଦାନ, କମ୍ପାନିରେ କାମ କରୁଥିବା ୩୦୦ କମ୍ୟୁନିକେଟରଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ କଂଗ୍ରେସ ଦାବି କରି ଆସୁଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ କଂଗ୍ରେସ ସବୁବେଳେ ରହି ଆସିଛି। ହକ୍ ହାସଲ ପର୍ଯ୍ୟନ୍ତ କଂଗ୍ରେସ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଲଢ଼େଇ ଜାରି ରଖିବ ବୋଲି ସପ୍ତଗିରି କହିଛନ୍ତି।

ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କମ୍ପାନିର ମନମୁଖୀ କାର୍ଯ୍ୟକଳାପର ତୀବ୍ର ପ୍ରତିବାଦ କରିଥିଲେ। କମ୍ପାନି ବାହାର ରାଜ୍ୟର ଠିକାଦାରଙ୍କୁ କାମ ଦେବା ସହ ନିଯୁକ୍ତି କ୍ଷେତ୍ରରେ ମାନବ ସମ୍ବଳ ବିକାଶ ବିଭାଗର ଅଧିକାରୀ ଲାଞ୍ଚ ନେଇ ସ୍ଥାନୀୟ ଅଞ୍ଚଳର ଯୁବକ, ଯୁବତୀଙ୍କୁ ଉପେକ୍ଷା କରୁଛି ବୋଲି କହିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରକା କମ୍ପାନିର ଆଦିବାସୀ ମାରଣା ନୀତିର ସମାଲୋଚନା କରିଥିଲେ। କାଶୀପୁରର ବିକାଶକୁ ପ୍ରାଥମିକତା ନ ଦେଲେ କମ୍ପାନି ଫାଟକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଉତ୍କଳ ଆଲୁମିନା ମ୍ୟାଟେରିଆଲସ୍ ଗେଟ୍ ସମ୍ମୁଖରୁ ବାହାରିଥିବା ରାଲିରେ ୩ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ସାମିଲ୍ ହୋଇଥିଲେ। କାଶୀପୁର ବ୍ଲକ୍ କଂଗ୍ରେସ ସଭାପତି ଅଙ୍ଗଦ ନାୟକ, ରାମନାଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ରବି ଗମାଙ୍ଗ, ଜିଲ୍ଲା କଂଗ୍ରେସ ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ପାର୍ଥ ବର୍ଦ୍ଧନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅସଲାମ୍ ଖାନ୍, ଗୁଣପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ସଭାପତି ସତ୍ୟଜିତ୍ ଗମାଙ୍ଗ, କାଶୀପୁର ବ୍ଲକ୍ ଯୁବ କଂଗ୍ରେସ ସଭାପତି ଜିଜୁର ମାଝି, ଏସସି ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଦୁରିଆ, କିଶୋର କୌଶଲ୍ୟା, ଅଞ୍ଜନ ସାବତ, ଅଂଶୁମାନ ପଟ୍ଟନାୟକ, ଅନୀଲ ଜୈନ୍ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର