କାମାକ୍ଷାନଗର କଲେଜରେ ବ୍ୟାପକ ଅନିୟମିତତା ! ଆରଟିଆଇ ତଥ୍ୟରୁ ଧରାପଡ଼ିଲା

ପିଏଚ୍‌ଡି ନାଁରେ ମନ୍ତ୍ରୀଙ୍କ ବୋହୂଙ୍କୁ ଛୁଟି, ଦରମା ; ଅଧ୍ୟକ୍ଷଙ୍କ ନାଁରେ ପ୍ରାୟ ଦୁଇ କୋଟିର କେଳେଙ୍କାରୀ ଅଭିଯୋଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ପୁଳା ପୁଳା କେଳେଙ୍କାରୀ । ମନ୍ତ୍ରୀଙ୍କ ବୋହୂଙ୍କଠାରୁ ଆରମ୍ଭ କରି ପ୍ରାକ୍ତନ କଲେଜ ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ କଲେଜରେ ନିଯୁକ୍ତି ଏବଂ ଦରମା ପାଇଁ ଅହେତୁକ ଅନୁକମ୍ପା। କେବଳ ସେତିକି ନୁହେଁ, ଲାଇବ୍ରେରୀ ବହି କିଣାଠାରୁ ଆରମ୍ଭ କରି କୋଠା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କାର ହୋଇଛି ହେର୍‌ଫେର୍‌। ସୂଚନା ଅଧିକାର ଆଇନ ବଳରେ କଲେଜର ଏ ସବୁ ଗୁମର ପଦାକୁ ଆସିବା ପରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ଲୋକାୟୁକ୍ତ ତଦନ୍ତ ବିଭାଗର ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

ଲୋକାୟୁକ୍ତଙ୍କ କେସ୍‌ ନମ୍ବର ୧୧୯/୨୦୨୦ ମୁତାବକ, କାମାକ୍ଷାନଗର ଅଞ୍ଚଳର ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା କଲେଜର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଥିଲେ। ଦର୍ଶାଇଥିଲେ, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା) ଯୋଜନାରେ କଲେଜର ବିକାଶମୂଳକ କାର୍ଯ୍ୟ ପାଇଁ ସରକାର ଦେଇଥିବା ଅନୁଦାନରେ ଦୁର୍ନୀତି ହୋଇଛି। ରୁଷା ପାଣ୍ଠିକୁ ପାଠାଗାର ପାଇଁ ଖର୍ଚ୍ଚ ନ କରି ଅନ୍ୟାନ୍ୟ କାମରେ ଲଗାଯାଇଛି। ୨୦୧୪ମସିହାରୁ ୨୦୧୯ମସିହା ମଧ୍ୟରେ ଏ ଦୁର୍ନୀତି ହୋଇଛି। ୪୩ଲକ୍ଷ ଟଙ୍କାରେ ଦୁଇଟି କ୍ଲାସ୍‌ ରୁମ୍‌ ତିଆରି ହୋଇଛି। ଯାହାର ଟେଣ୍ଡର ହୋଇନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜଣେ ଅଧ୍ୟାପକ ଏଠି ଠିକାଦାର ସାଜିଛନ୍ତି। ସେହିପରି ପାଠାଗାର କୋଠା ଉପରେ ୧୦ଲକ୍ଷ ଟଙ୍କାର ଯେଉଁ ଉପର ମହଲା କୋଠା ତିଆରି ହୋଇଛି ତାହାର ବି ଟେଣ୍ଡର ହୋଇନାହିଁ। ସେହିପରି ୭୦ଲକ୍ଷ ଟଙ୍କାର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଟେଣ୍ଡରରେ ଅନିୟମିତତା କଥା ମଧ୍ୟ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

୨୦୧୩ରୁ ୨୦୧୮ ଶିକ୍ଷାବର୍ଷ ମଧ୍ୟରେ କଲେଜରେ ଦିଆଯାଇଥିବା ଅଧ୍ୟାପକ ନିଯୁକ୍ତି ଉପରେ ବି ଶ୍ରୀ ବେହେରା ପ୍ରଶ୍ନ ଉଠାଇଛନ୍ତି। ଲେଖିଛନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ରାୟଙ୍କ ପତ୍ନୀ ମଧୁମିତା ସାହୁ  ୧୯୯୬ମସିହାରେ କଲେଜରେ ନିଯୁକ୍ତି ପାଇଥିଲେ। କିନ୍ତୁ, ଅଧ୍ୟକ୍ଷ ତାଙ୍କର ନିଯୁକ୍ତିକୁ ୮ବର୍ଷ ପୂର୍ବକୁ ଘୁଞ୍ଚାଇ ୧୯୮୮ମସିହାର ବୋଲି ଦର୍ଶାଇଥିଲେ। ତଦନୁସାରେ, ବକେୟା ଦରମା ଉପରେ ମଧ୍ୟ ବିଭାଗକୁ ଚିଠି ଲେଖିଥିଲେ। ୨୦୧୬ମସିହାରେ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍‌ ଅର୍ଥ ବି ଆତ୍ମସାତ୍‌ କରାଯାଇଥିବା ଅଭିଯୋଗରେ ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି।

ସବୁଠାରୁ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍‌ସା ପ୍ରଧାନଙ୍କ ନାମରେ। ଲିପ୍‌ସା ହେଉଛନ୍ତି କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା। ୨୦୧୬-୧୮ଶିକ୍ଷାବର୍ଷ ମଧ୍ୟରେ ଲିପ୍‌ସାଙ୍କର ଉପସ୍ଥାନ ରେକର୍ଡ କଲେଜରେ ନାହିଁ। କିନ୍ତୁ, ତାଙ୍କ ନାଁରେ କଲେଜରୁ ମାସକୁ ମାସ ଦରମା ଉଠିଛି। କଲେଜକୁ ନ ଆସି କେମିତି ଲିପ୍‌ସାଙ୍କୁ ଦରମା ଦିଆଗଲା ତା’ ଉପରେ ପ୍ରଶ୍ନ କରିବାକୁ କଲେଜ କର୍ତୃପକ୍ଷ ପିଏଚ୍‌ଡିର ଆଳ କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ କଲେଜ ଦର୍ଶାଇଛି, ଲିପ୍‌ସା ଏହି ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରିବାକୁ ଯାଇଥିଲେ। ତେଣୁ, ପାଠପଢ଼ାଜନିତ ଛୁଟିରେ ରହିଥିଲେ। କିନ୍ତୁ, ଉତ୍କଳ ବିଶ୍ବବିଦ୍ୟାଳୟ ଲିପ୍‌ସାଙ୍କ ପ୍ରସଙ୍ଗରେ ଭିନ୍ନ ଉତ୍ତର ରଖିଛି। ସୂଚନା ଅଧିକାର ଆଇନ ବଳରେ ବିଶ୍ବବିଦ୍ୟାଳୟ ତଥ୍ୟ ଦେଇଛି, ୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ଲିପ୍‌ସା ନାମରେ କୌଣସି ମହିଳା ପିଏଚ୍‌ଡି କରିନାହାନ୍ତି କି ନାମ ପଞ୍ଜୀକରଣ ବି କରିନାହାନ୍ତି। ଗୋଟିଏ ପଟେ ମନ୍ତ୍ରୀଙ୍କ ବୋହୂଙ୍କର ପିଏଚ୍‌ଡି କଥାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମନା କରୁଥିବା ବେଳେ କଲେଜ କର୍ତୃପକ୍ଷ ପିଏଚ୍‌ଡି ନାଁରେ ସବେତନ ଛୁଟି କଥା କେମିତି ଦର୍ଶାଉଛନ୍ତି ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ବେହେରା ପ୍ରଶ୍ନ କରିବା ସହିତ ୨୦୨୦ମସିହା ଜାନୁଆରି ୧୦ତାରିଖ ଦିନ ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହି ଅଭିଯୋଗ ଉପରେ ଲୋକାୟୁକ୍ତ ରାଜ୍ୟ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବୋହୂ ଲିପ୍‌ସା, ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶ୍ରୀ ରାୟଙ୍କ ଜବାବ ତଲବ କରିଥିଲେ। ସମସ୍ତଙ୍କ ପକ୍ଷ ତନଖିବା ପରେ ତଦନ୍ତ ବିଭାଗର ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଘଟଣା ପଦାକୁ ଆସିବା ପରେ କଲେଜ ଦୁର୍ନୀତିକୁ ନେଇ ଯେତିକି ହଟଚମଟ ସୃଷ୍ଟି ହୋଇଛି, ତା’ଠାରୁ ବେଶି ମନ୍ତ୍ରୀଙ୍କ ବୋହୂଙ୍କର ପିଏଚ୍‌ଡି ଡିଗ୍ରି ଏବେଚର୍ଚ୍ଚିତ ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର