କୋଭିଡ୧୯ ପାଇଁ ଲକ୍‌ଡାଉନ୍‌: ଜିଲ୍ଲାରେ ଧାନ ଚାଷ ମାସେ ଗଡ଼ିବା ଆଶଙ୍କା

ଖୋର୍ଦ୍ଧା: ଆଉ ୮ ଦିନ ପରେ ଅକ୍ଷୟତୃତୀୟା । ଚାଷୀ ଏହି ଦିନ ନିଜ ବିଲରେ ବିହନ ଅନୁକୂଳ କରେ । ତେବେ କୋଭିଡ୧୯ ମହାମାରୀର ମୁକାବିଲାରେ ମାର୍ଚ୍ଚ ୨୫ ତାରିଖରୁ ଖୋର୍ଦ୍ଧା ସମତେ ସମଗ୍ର ରାଜ୍ୟରେ ଲକ୍‌ଡାଉନରେ ଶ୍ରମିକ ଓ ବିହନର ଅଭାବ ଯୋଗୁଁ ଚଳିତ ବର୍ଷ ଖରିଫ ଚାଷ ୧ ମାସ ବିଳମ୍ବରେ ଆରମ୍ଭ ହେବା ଆଶଙ୍କା ସୃଷ୍ଟି ହୋଇଛି । ଗତ ବର୍ଷ ଠିକ୍ ମଇ ମାସରେ ଫନି ବାତ୍ୟା ଯୋଗୁଁ ଜିଲ୍ଲାର କୃଷି ବିଶେଷ ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଲକ୍‌ଡାଉନ୍ କୃଷିକ୍ଷେତ୍ରକୁ ବେଡ଼ି ଉପରେ କୋରୋଡ଼ା ମାଡ଼ ଭଳି ହୋଇଛି ।

ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଲକ୍‌ଡାଉନ୍ ୨୪ ଦିନରେ ପହଂଚିଛି । ପ୍ରତିବର୍ଷ ଚାଷୀ ଅପ୍ରିଲ୍ ମାସ ପ୍ରଥମ ସପ୍ତାହରେ ବିଲର ମାଟି ଖୋଳି ଖତ ଦେଇଥାଏ । ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ କରିଥାଏ । ତେବେ ଯେଉଁସ୍ଥାନରେ ପାଣି ସୁବିଧା ରହିଛି ସେଠାରେ ଅକ୍ଷୟତୃତୀୟା ପୂର୍ବରୁ ମୁଗବିରି ସହ ଧାନ ବିହନ ମଧ୍ୟ ବୁଣିଦେଇଥାଏ । କିନ୍ତୁ ଚଳିତ ବର୍ଷ ଶ୍ରମିକଙ୍କ ଅଭାବରେ ବିଲ ଖୋଳିବା ଓ ଖତ ପକାଇବା କାମରେ ବିଳମ୍ବ ଘଟିଛି । ୧୫ ତାରିଖରେ ଚାଷ କାମ ପାଇଁ କଟକଣା କୋହଳ କରାଯିବା ପରେ ଅନେକ ଚାଷୀ ଟ୍ରାକ୍ଟର ନେଇ ବିଲ ଖୋଳିବା ସହ ନିଜ ପରିବାର ସଦସ୍ୟଙ୍କ ସହ କ୍ଷେତରେ ଖତ ପକାଇବା ଆରମ୍ଭ କରିଛନ୍ତି ।
ଜିଲ୍ଲା କୃଷି ଡେପୁଟି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ବର୍ତମାନ ସୁଦ୍ଧା ରାଜ୍ୟ ବିହନ ନିଗମରୁ ବିହନ ଆସିନାହିଁ । ଶ୍ରମିକଙ୍କ ଅଭାବ ଯୋଗୁଁ ବିହନ ପ୍ରସ୍ତୁତ କରିବା ଓ ଏହାର ପରୀକ୍ଷା କରିବାରେ ବିଳମ୍ବ ଘଟିଛି । କେବଳ ଏହି କ୍ଷେତ୍ରରେ ନୁହେଁ କୃଷିରେ ମଧ୍ୟ ଶ୍ରମିକଙ୍କ ଅଭାବର ନକରାତ୍ମକ ପ୍ରଭାବ ପଡ଼ିବା ଅଧିକ ସମ୍ଭାବନା ରହିଛି । ବିହନ ଠିକ୍ ସମୟରେ ମିଳିଲେ ମଧ୍ୟ ଶ୍ରମିକଙ୍କ ଅଭାବରେ ସ୍ୱାଭାବିକ ଚାଷକାମ ଆରମ୍ଭ ହେବାକୁ ଆହୁରି ୧୫-୨୦ ଦିନ ବିଳମ୍ବ ହେବା ସମ୍ଭାବନା ରହିଛି ।
ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ରହିଛି । ଏହା ମଧ୍ୟରୁ ପ୍ରାୟ ୧ଲକ୍ଷ ୧୦ ହଜାର ହେକ୍ଟରରେ ଧାନ ଚାଷ ହୁଏ । ବଳକା ଜମିରେ ଅର୍ଥକାରୀ ଫସଲ ଓ ପରିବା ଫସଲ ହୁଏ । ପ୍ରତିବର୍ଷ ହେକ୍ଟର ପିଛା ୫୦ କିଲୋଗ୍ରାମ ବିହନ ହିସାବରେ ୫୫ ହଜାର କ୍ୱିଂଟାଲ୍ ବିହନର ଆବଶ୍ୟକତା ହୋଇଥାଏ । କୃଷି ବିଭାଗ ପକ୍ଷରୁ ମୋଟ ଆବଶ୍ୟକତାର ୧୫ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୦ହଜାର କ୍ୱିଂଟାଲ୍ ବିହନ ଯୋଗାଇଥାଏ । ବଳକା ବିହନ ଚାଷୀ ନିଜ ବିଲରୁ ସଂଗ୍ରହ କରିଥାଏ । ଏହି ଦୃଷ୍ଟିରୁ ଯଦିଓ ଖୋର୍ଦ୍ଧାର ଚାଷୀ ବିହନ ପାଇଁ ସ୍ୱାବଲମ୍ବୀ କିନ୍ତୁ ବୋଲଗଡ଼, ବାଣପୁର, ଚିଲିକା ଆଦି ଇଲାକାରେ ଚାଷୀ ସରକାରୀ ବିହନ ଉପରେ ଅଧିକ ନିର୍ଭର କରିଥାଏ ।
ଲକ୍‌ଡାଉନ୍ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ ଥିବା ୩ଟି ବିହନ ପ୍ରକ୍ରିୟାକରଣ କେନ୍ଦ୍ର – ଚନ୍ଦକା, ସାମନ୍ତରାପୁର ଓ ଖୋର୍ଦ୍ଧାରେ ବିହନ ପ୍ରସ୍ତୁତ କାର୍ଯ୍ୟରେ ବିଳମ୍ବ ଘଟିଥିବା ଜଣାଯାଇଛି । ତେବେ ଏନେଇ କୃଷି ବିଭାଗ ଡେପୁଟି ଡାଇରେକ୍ଟର ଭାସ୍କର ବାରିକ କହିଛନ୍ତି ଯେ ୧୦ ଦିନ ପୂର୍ବେ ଜିଲ୍ଲାପାଳଙ୍କ ଠାରୁ ସ୍ୱତନ୍ତ୍ର ଅନୁମତିରେ ବିହନ ପ୍ରସ୍ତୁତ କାମ ଆରମ୍ଭ ହୋଇଥିଲା । କଟକଣା ଯୋଗୁଁ ଜଣେ ଅପରେଟର ଓ ୫ଜଣ ଶ୍ରମିକଙ୍କୁ ନେଇ ଏହି କାମ କରାଯାଉଥିଲା । ଅନେକ ସମୟରେ ୫ଜଣ ଶ୍ରମିକଙ୍କ ସ୍ଥାନରେ ୨-୩ଜଣ ଆସୁଥିଲେ କିମ୍ବା ସଂପୂର୍ଣ୍ଣ ଅନୁପସ୍ଥିତ ରହୁଥିଲେ, ଫଳରେ ପ୍ରସ୍ତୁତ କାମ ବିଳମ୍ବ ହୋଇଛି । ତଥାପି ଚନ୍ଦକା ଓ ସାମନ୍ତରାପୁର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ୧୪ ହଜାର କ୍ୱିଂଟାଲ୍ ବିହନ ପ୍ରସ୍ତୁତ ହୋଇଥିବା ବେଳେ ଖୋର୍ଦ୍ଧାରେ ୩୪୦ କ୍ୱିଂଟାଲ୍ ଧାନ ବିହନ ପ୍ରସ୍ତୁତ ହୋଇ ରହିଛି । ସେଗୁଡ଼ିକର ପରୀକ୍ଷଣ ପରେ ଟେଗିଂ କରାଯାଇ ଚାଷୀଙ୍କୁ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ଗତ ବର୍ଷ ମଇ ୩ ତାରିଖର ଫନି ବାତ୍ୟାରେ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ଏଥିରେ ୧୩ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ଏହା ମଧ୍ୟରୁ ୭୮୧୭.୮ ହେକ୍ଟର ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ୬୦୯୮.୧୨ ହେକ୍ଟର ଜମିର ଫସଲ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିଲା ।

ସମ୍ବନ୍ଧିତ ଖବର