ଖୋର୍ଦ୍ଧା ଗ୍ରାମାଂଚଳରୁ ୩୩୩ ୱାରେଣ୍ଟି ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ପକ୍ଷରୁ ୧୦ଟି ଥାନା ଅଂଚଳରେ ଚଢ଼ଉ କରାଯାଇ ୩୩୩ ଜଣ ୱାରେଂଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଆଜି ଏନେଇ ସୂଚନା ଦେଇ ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା କହିଛନ୍ତି ଯେ ଖୋର୍ଦ୍ଧା ଗ୍ରାମାଂଚଳରେ ବିଭିନ୍ନ ମାମଲାରେ ୩୩୩ଜଣଙ୍କୁ ୱାରେଂଟ୍ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୩୦ଜଣଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ୧୦୩ଟି ମାମଲାରେ ଆଶୁ ସମାଧାନ କରାଯାଇଛି । ମିଳିଥିବା ସୂଚନାରେ, ଖୋର୍ଦ୍ଧା ଟାଉନ୍ ଥାନା ଅଧୀନରୁ ୭୩ଜଣ ୱାରେଂଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସଦର ଥାନା ଅଧୀନରୁ ୨୫, ବାଘମାରୀ ଥାନାରୁ ୩, ବେଗୁନିଆରୁ ୧୧, ବୋଲଗଡ଼ରୁ ୧୯, ଜଙ୍କିଆରୁ ୧୯, ନିରାକାରପୁରରୁ ୪, ଟାଙ୍ଗୀରୁ ୩୮, ବାଲୁଗାଁରୁ ୧୨, ବାଣପୁରରୁ ୨୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସେହିଭଳି ଖୋର୍ଦ୍ଧା ଟାଉନ୍ ଥାନାରୁ ୨୬ଟି ମାମଲାର ୱାରେଂଟ ଥିବା ବ୍ୟକ୍ତିଙ୍କ ଆଶୁ ସମାଧାନ କରାଯାଇଥିବା ବେଳେ ବେଗୁନିଆର ୮, ବୋଲଗଡ଼ର ଗୋଟିଏ. ଜଙ୍କିଆର ୧୫, ନିରାକାରପୁରର ୭, ଟାଙ୍ଗୀରୁ ୫, ବାଲୁଗାଁରୁ ୧୬, ବାଣପୁରରୁ ୨୫ଟି ମାମଲାର ଆଶୁ ସମାଧାନ କରାଯାଇଛି ।

ସମ୍ବନ୍ଧିତ ଖବର