ଗଂଜାମରେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଗୁଳିରେ ପ୍ରାଣ ହାରିଲେ ବୋହୂ, ପୁଲିସର ତଦନ୍ତ ଜାରି

ଶେରଗଡ଼: ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ନିଜର ଜୀବନ ହାରିଛନ୍ତି। ଶ୍ୱଶୁରର ଗୁଳିରେ ବୋହୂର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାରଭରଣିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ବାପା ପୁଅ ଗଣ୍ଡଗୋଳ କରିବା ସମୟରେ ମଝିକୁ ଆସି ବୋହୁ ଗୁଳିମାଡ଼ ଖାଇ ଜୀବନ ହାରିଛି। ଘଟଣା ପରେ ବାପା ଓ ପୁଅ ଫେରାର ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବାରଭରଣିଆ ଗ୍ରାମର ପ୍ରଫୁଲ୍ଲ ମଳିକ ଏବଂ ତାଙ୍କ ପୁଅ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ପରେ ଗଣ୍ଡଗୋଳ ହୋଇଥିଲା । ବାପା ପ୍ରଫୁଲ୍ଲ ରାଗରେ ଘରେ ଥିବା ବନ୍ଧୁକ ଉଠାଇ ପୁଅକୁ ଗୁଳି କରିବା ସମୟରେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ବୋହୁ ରଶ୍ମିତା ସାମନାରେ ଠିଆ ହୋଇଯିବା ଫଳରେ ଶ୍ୱଶୁରର ଗୁଳି ବୋହୁର ମୁଣ୍ଡରେ ବାଜିଥିଲା ଏବଂ ଘଟଣା ସ୍ଥଳରେ ହିଁ ସେ ଟଳି ପଡିଥିଲା।

ରଶ୍ମିତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ଉଭୟ ବାପା ପୁଅ ଫେରାର ହୋଇ ଯାଇଛନ୍ତି। ଗୁଳି ମାଡ଼ ଯୋଗୁଁ ପ୍ରଚୁର ରକ୍ତସ୍ରାବ ସହ ପୁରା ଘର ରକ୍ତାକ୍ତ ହୋଇ ପଡିଛି। ତେବେ କେଉଁ କାରଣରୁ ଏଭଳି କାଣ୍ଡ ଘଟିଲା ତାହା ଜଣା ପଡ଼ିନାହିଁ । ବାପପୁଅ ଗଣ୍ଡଗୋଳରୁ ଏଭଳି ଘଟଣା ଘଟିଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛି । ଖବର ପାଇ ଆସିକା ଏସ. ଡ଼ି. ପି. ଓ. ସୂର୍ଯ୍ୟମଣି ପ୍ରଧାନ, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର