ଗାଁ ଓଡ଼ିଶାର, କାମ ଆନ୍ଧ୍ରର: କୋଟିଆରେ ପ୍ରଶାସନର ମୁଣ୍ଡ ବିନ୍ଧା କରୁଛନ୍ତି ଆନ୍ଧ୍ର ଏଜେଣ୍ଟ

କୋରାପୁଟ: ଗାଁ ଓଡ଼ିଶାରେ କିନ୍ତୁ ଗୁଣ ଗାଉଛନ୍ତି ପଡିଶାର। କିଛି ପାଇସା ପାଇଁ ମା’କୁ ବିକ୍ରି କରି ଦେଉଛନ୍ତି। ଆଉ କିଛି ପଇସା ବଳରେ କିପରି ଏମାନେ ଓଡ଼ିଶା ମା’ ପ୍ରତି ଅବିଚାର କରୁଛନ୍ତି ତାହା କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ରହିଥିବା ଆନ୍ଧ୍ରର ମନମାନିରୁ ସ୍ପଷ୍ଟ ଜଣାପଡୁଛି। କିପରି ଅର୍ଥ ଦେଇ ଓଡ଼ିଶାକୁ କିଣିବାକୁ ଆନ୍ଧ୍ର ଅପପ୍ରୟାସ କରୁଛି ତାହାର ନଗ୍ନ ନମୂନା ଗତକାଲି ଦେଖିବାକୁ ମିଳିଥିଲା। ଆଜି କିଛି ଆନ୍ଧ୍ର କର୍ମଚାରୀ ଆସି ନରେଡିବାଲସା, ଉପରସେମ୍ଭୀ ଓ ତଳ ସେମ୍ବୀରେ ବୁଲି ଯାଇଥିବା ଦେଖିବାକୁ ମିଳିଛି। କୋଟିଆ ପଞ୍ଚାୟତର ଫଗୁଣ ସେନେରୀ, ପାଟୁ ସେନେରୀ ଓ ସେମ୍ବୀରେ ମାତ୍ର ତିନିଜଣ ଏଜେଣ୍ଟ ରହିଥିବାବେଳେ ଏବେ ଏହାକୁ ୩୦କୁ ବୃଦ୍ଧି ଘଟିଲାଣି।

ଅନ୍ୟପକ୍ଷରେ ଆନ୍ଧ୍ରପକ୍ଷରୁ କୋଟିଆ ପଞ୍ଚାୟତର ୨୨ଟି ଗ୍ରାମପୁଞ୍ଜରେ ଜଣ‌େ ଲେଖାଏଁ ଅର୍ଥ  ଦେଇ ରଖିଛି ଆନ୍ଧ୍ର ସରକାର। ଏହିମାନେ ମାସକୁ ୧୦ ହଜାର ଟଙ୍କା ସହ ଅନ୍ୟ ସାମାଜିକ ସୁରକ୍ଷା ସୁବିଧା ପାଉଛନ୍ତି। ଖାଲି ଯେ ଆନ୍ଧ୍ର ସରକାର ସୁବିଧା ପାଉଛନ୍ତି ତାହା ନୁହେଁ ଓଡ଼ିଶା ସରକାରଙ୍କଠାରୁ ସୁବିଧା ପାଇ ଓଡ଼ିଶାକୁ ଭଲ ମନ୍ଦ କହି ଆନ୍ଧ୍ରଠାରୁ ଲୁଟୁଛନ୍ତି ଟଙ୍କା। ତେବେ ସାମାନ୍ୟ କିଛିଟା ଟଙ୍କା ପାଇଁ ଏହିମାନେ ଓଡ଼ିଶା ରହି ଓଡିଶା ପ୍ରତି ବିଶ୍ବାସଘାତକ କରୁଛନ୍ତି। ସେମାନଙ୍କୁ କିନ୍ତୁ ପାନେ ଦେବାକୁ କୋରାପୁଟ ପ୍ରଶାସନର ଝୁ ନାହିଁ।  ପ୍ରତି ଗାଁରେ ରହିଥିବା ଏହି ଆନ୍ଧ୍ର ଏଜେଣ୍ଟଙ୍କୁ ପାନେ ଦେବାକୁ କୋରାପୁଟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ସେମାନଙ୍କ ଚେର ପାତାଳକୁ ଲମ୍ବି ଗଲାଣି।

ଓଡ଼ିଶା ସରକାରଙ୍କର ପ୍ରତିଟି ପଦକ୍ଷେପକୁ ଏହି ଏଜେଣ୍ଟ ମାନେ ପ୍ରତିହତ କରୁଥିବାରୁ ଦିନକୁ ଦିନ ଏହି ଗାଁ ଗୁଡିକରେ ଏହି ଏଜେଣ୍ଟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିନ ଥିଲା ଏହି ଗ୍ରାମପୁଞ୍ଜରେ ମାତ୍ର କେଇ ଜଣ ରହିଥିବାବେଳେ ଏବେ ୨୮ରୁ ୩୦ଜଣ ରହି ଆନ୍ଧ୍ର ପାଇଁ କାମ କରୁଛନ୍ତି। ଉକ୍ତ ବିଶ୍ବାସଘାତକଙ୍କୁ ପାନେ ଦେବାକୁ କୋରାପୁଟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଦିନକୁ ଦିନ କୋଟିଆ ହାତରୁ ଖସିଯିବା ଆଶଙ୍କା ଉପୁଜିଲାଣି। କୋରାପୁଟ ପ୍ରଶାସନ ପକ୍ଷରୁ ୧୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ଯୋଜନା ହାତକୁ ନେଇଥିବାବେଳେ ଏଥିରେ ଉଚ୍ଚସ୍ତରୀୟ ବ୍ରିଜ, ହସ୍ପିଟାଲ, ବିଦ୍ୟାଳୟ ଗୃହ, ପଞ୍ଚାୟତ କାର୍ଯ୍ୟାଳୟ ଓ ହଷ୍ଟ‌େଲ ରହିଛି। ଏହାସହ ମାଡକାର ଓ ନରେ‌ଡିବାଲସା ପାଇଁ ଭଲ ରାସ୍ତା ଯୋଗାଇ ଦେଇଛି ଓଡ଼ିଶା ସରକାର।

ଗାଁରେ ଭଲ ନେଟୱାର୍କ ନ ଥିଲାବେଳେ ବିଏସଏନଏଲ ନେଟୱର୍କ ମଧ୍ୟ ରହିଛି। ହେଲେ ଆନ୍ଧ୍ର ପକ୍ଷରୁ ସେପରି କୌଣସି ଆଖିଦୃର୍ଶିଆ ସୁବିଧା ନ ଥିଲେ ମଧ୍ୟ ଏହି ଏଜେଣ୍ଟଙ୍କ ବଳରେ କୋଟିଆର ବିକାଶ କ୍ଷେତ୍ରରେ ବାଧା ସୁଷ୍ଟି କରୁଛନ୍ତି। ବିଭିନ୍ନ ଲାଳସା ଦେଖାଇ ଲୋକଙ୍କୁ ଟେକି ନେଇ ଗ୍ରାମସଭା ସହ ଅନ୍ୟ କାର୍ଯ୍ୟ କରୁଥିବାବେଳେ ନିରିହ କୋଟିଆ ଲୋକେ କିଛି ଜାଣି ନ ଥିବା ଜଣାପଡିଛି।

ଅନ୍ୟପକ୍ଷରେ ୨୦୧୪ରେ ଏହି ଗ୍ରାମପୁଞ୍ଜରେ ମାତ୍ର ତିନିରୁ ୪ ଜଣ ଆନ୍ଧ୍ରର ଖବରୀ ଥିଲେ। ସେମାନଙ୍କୁ ଆନ୍ଧ୍ର କିଛି ଟଙ୍କା ଦେବା ପରେ ସେମାନେ ଫୁଲ ଦମରେ କାମରେ ଲାଗି ପଡିଛନ୍ତି। ଓଡ଼ିଶାରେ ରହି ଆନ୍ଧ୍ରକୁ ଖବର ଦେବା ସହ ପ୍ରଶାସନର ପ୍ରତିଟି ପଦକ୍ଷେପକୁ ଆନ୍ଦ୍ରକୁ ଜଣାଉଛି। ବଦଳରେ ଆନ୍ଧ୍ର ସ‌େମାନଙ୍କୁ ଟଙ୍କା ବଢାଇ କାମରେ ଲାଗାଉଥିବା ଜଣାପଡିଛି। ଗତ ନିର୍ବାଚନରେ ଏହି ଏଜେଣ୍ଟଙ୍କୁ ପ୍ରାର୍ଥି କରି ଓଡ଼ିଶା ବିରୋଧରେ ଢାଲ ଠିଆ କରାଇଥିଲା ଆନ୍ଧ୍ର। କିନ୍ତୁ ହାଇକୋର୍ଟଙ୍କ ଶକ୍ତ ଧକ୍କା ପରେ ବାଟକୁ ଆସିଥିଲା। କିନ୍ତୁ ପୁଣି ଓଡ଼ିଶା ସୀମାରେ ବିବାଦ କରିବାକୁ ପଛାଉ ନାହିଁ।

ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏ.ମ ଅଖତର କହିଛନ୍ତ ଯେ, ଆମେ କିଛି ଲୋକଙ୍କୁ ଚିହ୍ନଟ କରିଛୁ, ସମୟ ଆସିଲେ ବ୍ୟବସ୍ଥା‌ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର