ଡେଙ୍ଗୁ ବ୍ୟାପିଲା: ୨ ଆକ୍ରାନ୍ତ

ପୁରୀ: ପୁରୀରେ ଏବେ ଡେଙ୍ଗୁ ବ୍ୟାପିଛି। ଦୁଇ ଜଣ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଖବର ନେବାରେ ଜଣାପଡ଼ିଛି ଯେ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ନିବାସୀ ଲକ୍ଷ୍ମୀଧର ମହାପାତ୍ରଙ୍କ ପୁଅ ରାକେଶ ମହାପାତ୍ରଙ୍କୁ ଜ୍ୱର ହୋଇଥିଲା। ଜ୍ୱର ଭଲ ନହେବାରୁ ତାଙ୍କୁ ଗତ ୯ ତାରିଖରେ ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା। ତାଙ୍କ ରକ୍ତ ନମୁନା ପରୀକ୍ଷାଗାରକୁ ପଠାଯିବା ପରେ ତାଙ୍କୁ ଡେଙ୍ଗୁ ଜ୍ୱର ହୋଇଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ରୁମ୍‍ରେ ଭର୍ତ୍ତି କରାଯାଇଛି।

ସେହିପରି ନରେନ୍ଦ୍ରକୋଣ ନିବାସୀ ରତ୍ନା ନାଏକଙ୍କ ପୁଅ ଅକ୍ଷୟ ନାଏକଙ୍କ ଜ୍ୱର ଭଲ ନହେବାରୁୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା। ରକ୍ତ ପରୀକ୍ଷାରୁ ତାଙ୍କୁ ମଧ୍ୟ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ତେଣୁ ଅକ୍ଷୟଙ୍କୁ ମଧ୍ୟ ରାକେଶ ରହୁଥିବା ଓ୍ଵାର୍ଡରେ ଭର୍ତ୍ତିି କରାଯାଇଛି। ପୁରୀରେ ଦୁଇ ଜଣଙ୍କୁ ଡେଙ୍ଗୁ ଜ୍ୱର ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଯାଇଛି। କାର୍ତ୍ତିକ ମାସରେ ପ୍ରାୟ ୨୭ଶହ ହବିଷ୍ୟାଳି ଆସି ଡେରା ପକାଇଛନ୍ତି। ଯଦି ଏମାନଙ୍କ ମଧ୍ୟରୁ କାହାକୁ ଡେଙ୍ଗୁ ହୁଏ ତେବେ ସବୁ ଯୋଜନା ଫସର ଫାଟିଯିବ। ଏହା ସହିତ ବାଙ୍କିମୁହାଣ ସମେତ ବିଭିନ୍ନ ବସ୍ତିରେ ଡେଙ୍ଗୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ କୌଣସି ପୂର୍ବ ପ୍ରସ୍ତୁତି ହୋଇନାହିଁ। ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରାନଗଲେ ଜିଲ୍ଲା ପ୍ରଶାସନ ଉପରେ ଚଡ଼କ ପଡ଼ିବ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର