ଢୋଲପିଟାରେ ହେବ ଅନ୍ତଃନଦୀ ଜଳାଶୟ: ଭିସି ଜରିଆଲେ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଖର୍ଚ୍ଚ ହେବ ୩୧ କୋଟି

ଭଞ୍ଜନଗର: ଭଞ୍ଜନଗର ବ୍ଳକରେ ଢୋଲପିଟା ଠାରେ ବଡ଼ନଦୀ ଉପରେ ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ୩୧ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଭଞ୍ଜନଗର ବ୍ଳକରେ ଗାଲେରୀ,ତୁରୁମୁ ଓ ବ୍ରାହ୍ମଣପଦର ପଞ୍ଚାୟତର ସମସ୍ତ ଗ୍ରାମକୁ ଜଳସେଚନ କରାଯିବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିବ। ଏଥିନେଇ ଭଞ୍ଜନଗର ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଉକ୍ତ ତିନି ପଞ୍ଚାୟତର ପ୍ରାୟ ୧୫ ଜଣ ଚାଷୀ ଏବଂ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭିଡ଼ିଓ କନଫ୍ରେନ୍ସିଂ ଜରିଆରେ କୃତଜ୍ଞତା ଜଣାଇଛନ୍ତି।

ଦୀର୍ଘଦିନ ଧରି ଏହି ଅଞ୍ଚଳର ପାନୀୟ ଜଳ ସମସ୍ୟା ସମାଧାନ କରିବା ନିମନ୍ତେ ଚାଷୀମାନଙ୍କ ଦାବି ରହିଥିବା ବେଳେ ମନ୍ତ୍ରୀ ଆରୁଖ ଏଠାରେ ବଡ଼ନଦୀର ପାଣିକୁ ଗଚ୍ଛିତ ରଖି ତାକୁ ଚାଷ ସହ ପାନୀୟ ଜଳ ଭାବେ ବ୍ୟବହାର କରିବା ଦିଗରେ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିଥିଲେ। ଆଜି ବଡ଼ନଦୀ ଭିତରେ ନଦୀ ଭିତରେ ଜଳାଶୟ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବା ପରେ ସ୍ଥାନୀୟ ଚାଷୀ ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଜଳସେଚନ ବିଭାଗ ପକ୍ଷରୁ ଅଗାମୀ ଦିନରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ହେବାଦ୍ବାରା ବର୍ଷା ଉପରେ ନିର୍ଭର କରୁଥିବା ଚାଷୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ ଦ୍ବାରା ନଦୀରେ ବୋହି ଯାଉଥିବା ପାଣିକୁ ଗଚ୍ଛିତ କରି ରଖାଯାଇ ପାରିବ। ବର୍ଷ ତମାମ୍ ଚାଷୀମାନେ ଏହି ଜଳାଶୟରୁ ପାଣି ପାଇପାରିବେ ବୋଲି ସେ କହିଛନ୍ତି। ଉକ୍ତ ପଞ୍ଚାୟତ ଗୁଡ଼ିକର ଢୋଲପିଟା,ଗାଲେରୀ,ବ୍ରାହ୍ମଣପଦର,ଶୋରିଷମୂଳି,କାଠଚିରା,ରାଣୀକିଆରି,ବିଲୁଆପଡା,ଝାଲିଆଗୋଚ୍ଛା,ଗୁଡିଆବନ୍ଧର ଚାଷୀମାନେ ଏଥିରେ ଉପକୃତ ହୋଇପାରିବେ।

ପ୍ରାୟ ୧୫୩୬ ହେକ୍ଟର ଜମିକୁ ଜଳ ସେଚନ କରାଯାଇ ପାରିବ। ଏଥିସହିତ ଏହି ସମସ୍ତ ଇଲାକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହେବ। ମେଗା ଲିଫ୍ଟ ପ୍ରକଳ୍ପରୁ ସମସ୍ତଙ୍କ ନିକଟକୁ ପାନୀୟ ଜଳ ପହଞ୍ଚାଇବା ବ୍ୟବସ୍ଥା ଗ୍ରହଣ କରାଯିବ। ଢୋଲପିଟା ନିକଟରେ ବର୍ତ୍ତମାନ ଏକ ମେଗା ଲିଫ୍ଟ ପ୍ରକଳ୍ପ ନିର୍ମାଣ ଜାରି ରହିଛି। ଖୁବ ଶୀଘ୍ର ଏହା ସଂପୂର୍ଣ୍ଣ ହେବ। କୋଭିଡ ପରିସ୍ଥିତିରେ ସାରା ଭାରତର ଆର୍ଥିକସ୍ଥିତି ଦୁର୍ବଳ ହୋଇପଡିଥିବା ସତ୍ତ୍ବେ ପ୍ରତିକୂଳ ସମୟରେ ମଧ୍ୟ ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ବଡ଼ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବାରୁ ଉପସ୍ଥିତ ଚାଷୀମାନେ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର