ପତ୍ନୀ ସହ ପ୍ରେମର ପ୍ରତିଶୋଧ: ଘର ମାଲିକଙ୍କୁ ଭଡ଼ାଟିଆ ହତ୍ୟା କଲେ

ଚକାପାଦ: ପତ୍ନୀ ସହ ପର ପୁରୁଷଙ୍କ ପ୍ରେମ ସଂପର୍କର ପ୍ରତିଶୋଧ ନେବାକୁ ଯାଇ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧୀନ ସୁବଳୟା ଗ୍ରାମରେ। ଭଡ଼ାଟିଆ ଥିବା ବିଶ୍ବାମିତ୍ର ମଲିକ ତାଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରେମରେ ପଡ଼ିଥିବା ଘର ମାଲିକ ଯଶୋବନ୍ତ ବେହେରା(୩୮)ଙ୍କୁ ଗତକାଲି ଯୋଜନାବଦ୍ଧ ଭାବେ ଡକାଇ ବିଚ୍ ରାସ୍ତାରେ ହାଣି ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଯଶୋବନ୍ତଙ୍କୁ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଯଶୋବନ୍ତ ରାତିସାରା ଘରକୁ ଫେରି ନଥିଲେ।

ଆଜି ସକାଳୁ ସୁବଳୟା ହାଇସ୍କୁଲ ଛକରେ ତାଙ୍କ କ୍ଷତବିକ୍ଷତ ହଣା ଶବ ଦେଖିବା ପରେ ତାଙ୍କୁ ଗତକାଲି ବାହାନା କରି ଡକାଇ ଅପହରଣ ଓ ପରେ ହତ୍ୟା କରା ଯାଇଥିବା ପୁଲିସ ଅନୁମାନ କରୁଛି। ଏଥିରେ ଅଭିଯୁକ୍ତ ଭଡ଼ାଟିଆ ବିଶ୍ବାମିତ୍ରଙ୍କ ସହ ତାଙ୍କ ପତ୍ନୀ ଓ ବଡ଼ ଭାଇ ମକରନ୍ଦ ମଲିକ ମଧ୍ୟ ସଂପୃକ୍ତ ଥିବା ପୁଲିସ ପ୍ରଥମିକ ତଦନ୍ତରୁ ଜାଣିପାରିଛି। ଯଶୋବନ୍ତଙ୍କ ବାପା ଯୋଗେଶ୍ବର ବେହେରା ଚକାପାଦ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୪୮/୨୧ ରେ ହତ୍ୟା ମାମଲା ରୁଜୁ କରି ମକରନ୍ଦଙ୍କୁ ଗିରଫ କରିଥିବା ଥାନାଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଯାଇଛି। ଏବେ ସୁଦ୍ଧା ବିଶ୍ବାମିତ୍ର ଓ ତାଙ୍କ ପତ୍ନୀଙ୍କୁ ପୁଲିସ ଗିରଫ କରିପାରି ନାହିଁ।

ସୂଚନାରୁ ଜଣାପଡ଼ିଛି, ମୃତକ ଯଶୋବନ୍ତ ସ୍ଥାନୀୟ ବ୍ରହ୍ମଣପାଦ ବାସିନ୍ଦା ଅଟନ୍ତି। ତାଙ୍କର ଗୋଟିଏ ଘର ଖାଲି ପଡ଼ିଥିବାରୁ ସେ ବିଶ୍ବାମିତ୍ର ମଲିକ ଓ ତାଙ୍କ ପତ୍ନୀଙ୍କୁ ଘରଭଡ଼ା ଦେଇଥିଲେ। ଯଶୋବନ୍ତ ବିବାହିତ ଥିଲେ ହେଁ, ତାଙ୍କର ବିଶ୍ବାମିତ୍ରଙ୍କ ପତ୍ନୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଥରେ ଘଟଣା ସଂପର୍କରେ ଯଶୋବନ୍ତଙ୍କ ପତ୍ନୀ ଜାଣିବା ପରେ ସେ ସ୍ବାମୀଙ୍କ ସହ ଝଗଡ଼ା କରିଥିଲେ ଓ ବିଶ୍ବାମିତ୍ର ଓ ତାଙ୍କ ପତ୍ନୀଙ୍କୁ ଘରୁ କାଢ଼ି ଦେଇଥିଲେ। ଅନ୍ୟପଟେ ନିଜ ପତ୍ନୀଙ୍କର ଯଶୋବନ୍ତ ସହ ପ୍ରେମ ସଂପର୍କ ଥିବା ବିଶ୍ବାମିତ୍ର ମଧ୍ୟ ଜାଣି ଦେଇଥିଲେ। ପରେ ସେ ପତ୍ନୀଙ୍କୁ ଧରି ନିଜ ଗ୍ରାମ ସୁବଳୟା ଚାଲି ଆସିଥିଲେ।

ତେବେ ଏହାପରେ ମଧ୍ୟ ଯଶୋବନ୍ତ ଓ ବିଶ୍ବାମିତ୍ରଙ୍କ ପତ୍ନୀଙ୍କ ପ୍ରେମ ସଂପର୍କ ତୁଟି ନଥିଲା। ଉଭୟେ ଲୁଚିଛପି ବରାବର ଯୋଗାଯୋଗରେ ରହୁଥିଲେ, ଭେଟୁଥିଲେ। ଗତ ତାଲି ଦିନ ୧୧ଟା ସମୟରେ ବିଶ୍ବାମିତ୍ରଙ୍କ ପତ୍ନୀ ଯଶୋବନ୍ତଙ୍କୁ ତାଙ୍କ ଘରକୁ ଡାକିଥିଲେ ବୋଲି ଯଶୋବନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଯଶୋବନ୍ତ ସେଠାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ସୁବଳୟା ଉଚ୍ଚବିଦ୍ୟାଳୟ ନିକଟରେ ଯଶୋବନ୍ତଙ୍କ ରକ୍ତ ଜୁଡ଼ୁବୁଡୁ ମୃତ ଦେହ ପଡ଼ିଥିବା ପରିବାର ଲୋକ ଖବର ପାଇ ଯାଇଥିଲେ। ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ତାଙ୍କୁ ହାଣି ହତ୍ୟା କରା ଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣା ପଡ଼ୁଥିଲା। ଖବର ପାଇ ଚକାପାଦ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ, ଘଟଣାରେ ବିଶ୍ବାମିତ୍ର, ତାଙ୍କ ସ୍ତ୍ରୀ ଓ ବଡ଼ଭାଇ ମକରନ୍ଦ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ କେବଳ ମକରନ୍ଦଙ୍କୁ ଗିରଫ କରିଥିବା ବେଳେ ବିଶ୍ବାମିତ୍ର ଓ ତାଙ୍କ ପତ୍ନୀ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର