ପୋଲ ତଳକୁ ଖସି ୮ବର୍ଷର ଶିଶୁପୁତ୍ର ମୃତ୍ୟୁ, ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ବଣପାରିଆ ଗାଁରେ ଆଜି ଏକ ଶିଶୁପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି | ସୂଚନା ମୁତାବକ ବଣପାରିଆ ଗାଁର ରମେଶ ପଣ୍ଡାଙ୍କ ୮ବର୍ଷର ଶିଶୁପୁତ୍ର ଧନଞ୍ଜୟ ପଣ୍ଡାଙ୍କ ନାଳରେ ପଡ଼ି ମୃତ୍ୟୁ ହୋଇଛି। ଆଜି ଧନଞ୍ଜୟ ଖଇରା ଥାନା ଅଧିନ କଣ୍ଟାପଡା ଶାସନର ତାଙ୍କର ମାମୁଁଘରକୁ ଦୁଇଜଣ ସାଙ୍ଗ ସହିତ ଯାଉଥିଲେ। ଆଉ ଯିବା ସମୟରେ ବଟେଶ୍ୱର-ଗନ୍ଧାଳି ରାସ୍ତାରେ ଥିବା ଏକ ବାଡ ବିହୀନ ପୋଲରୁ ଅସାବଧାନତାବଶତଃ ତଳକୁ ଖସିପଡିଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣା ବିଷୟରେ ଜାଣି ଧନଞ୍ଜୟକୁ ଉଦ୍ଧାର କରି ଖଇରା ମେଡିକାଲକୁ ନେଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ ବଟେଶ୍ୱର-ଗନ୍ଧାଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଏବଂ ରାସ୍ତାରେ ଥିବା ପୋଲରେ ବାଡ଼ ନଥିବା ଯୋଗୁଁ ପୋଲରୁ ଖସିପଡି ଧନଞ୍ଜୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ | ଏହା ସହିତ ତୁରନ୍ତ ରାସ୍ତା ମରାମତି ଏବଂ ପୋଲରେ ବାଡ ନିର୍ମାଣ ଦାବିରେ ସୋର-କୁପାରୀ ରାଜ୍ୟ ରାଜପଥର ବାଟେଶ୍ୱର ଛକ ନିକଟରେ ଶତାଧିକ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି |

ପୂର୍ବରୁ ବଟେଶ୍ୱର-ଗନ୍ଧାଳି ରାସ୍ତା ମରାମତି ସହିତ ରାସ୍ତାରେ ଥିବା ପୋଲରେ ବାଡ଼ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଖଇରା ଥାନା ଅଧିକାରୀ ଶ୍ରୀବଲ୍ଳଭ ସାହୁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

ସମ୍ବନ୍ଧିତ ଖବର