ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଲୋୟର ସୁକତେଲ ପ୍ରସଙ୍ଗରେ ବୈଠକ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ୨୦୧୪୩ ଭୂମି ଅଧିଗ୍ରହଣ ଆଇନ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି । ତେଣୁ ବର୍ତ୍ତମାନ ପ୍ରକଳ୍ପ ପାଇଁ କ୍ଷତି ସହୁଥିବା ବିସ୍ଥାପିତଙ୍କୁ ସରକାର ୨୦-୧୩ ଭୂମି ଅଧିଗ୍ରହଣ ଆଇନ ସମକକ୍ଷ କ୍ଷତିପୂରଣ ପ୍ରଦାନ କରନ୍ତୁ । ଏପରିକି ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ କରାଯାଉ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି । ଭୁବନେଶ୍ୱରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଉପରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଏହି ଦାବି ଜଣାଇଛନ୍ତି ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମରେ ଅନୁଷ୍ଠିତ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଜଳସେଚନ ବିଭାଗର ମନ୍ତ୍ରୀ ରଘୁ ନନ୍ଦନ ଦାଶ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏବଂ ବଲାଙ୍ଗୀର ବିଧାୟକ ମିଶ୍ର ଉପସ୍ଥିତ ଥିଲେ । ପୂର୍ବରୁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଯେମିତି ସୁରୁଖୁରୁରେ ହେବ ସେ ଉପରେ ଏକ ବୈଠକ ବିଗତ ଦିନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।

ସେଥିରେ ବିଧାୟକ ନରସିଂହ ମିଶ୍ରଙ୍କୁ ପ୍ରକଳ୍ପର କାମ ଯେପରି ଠିକ୍‌ରେ ହେବ ଏବଂ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ପ୍ରତ୍ୟେକ ଲୋକ ଯେପରି ଭୂମି ଅଧିଗ୍ରହଣ ୨୦୧୩ ଆଇନ ସମକକ୍ଷ ଯେପରି କ୍ଷତିପୂରଣ ପାଇବେ ତାର ସମସ୍ତ ଦାୟିତ୍ୱ ବିଧାୟକ ନରସିଂହ ମିଶ୍ରଙ୍କୁ ଦିଆଯାଇଥିଲା । କିନ୍ତୁ ବିଧାୟକ ମିଶ୍ରଙ୍କୁ କେବଳ ଦାୟିତ୍ୱ ଦେଇ ସରକାର କାମ ଆରମ୍ଭ କରିବା ପାଇଁ ଦରକାର ହେଉଥିବା ଅର୍ଥ ତଥା କ୍ଷତିପୂରଣ ରାଶି, ବିସ୍ଥାପିତଙ୍କ ଥଇଥାନ ଏ ସବୁ ଉପରେ ମୋଟେ ଧ୍ୟାନ ଦେଇ ନଥିଲେ ।

ଆହୁରି ମଧ୍ୟ ପ୍ରକଳ୍ପ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ କାମ ଚାଲୁ ନ ଥିବାରୁ ପ୍ରକଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମନରେ ଧିରେ ଧିରେ ଅସନ୍ତୋଷ ଦାନ ବାନ୍ଧୁଥିଲା । ଏଥିପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ୟମ କ୍ରମେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ମିଶ୍ର ଦାବି ଉପସ୍ଥାପନ କରିଥିଲେ। ପ୍ରକଳ୍ପ ପାଇଁ କ୍ଷତି ସହୁଥିବା ବିସ୍ଥାପିତଙ୍କୁ ସରକାର ୨୦୧୩ ଭୂମି ଅଧିଗ୍ରହଣ ଆଇନ ସମକକ୍ଷ କ୍ଷତିପୁରଣ ପ୍ରଦାନ କରନ୍ତୁ ଓ ପ୍ରକଳ୍ପ କାମ ଆରମ୍ଭ କରାଯାଉ ।

ପ୍ରକଳ୍ପକୁ ବିଳମ୍ବ କରିବା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଲୋକଙ୍କ ମନ ଭିତରେ ଏକ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଛି । ଜଳସେଚନ ବିିହୀନ ବଲାଙ୍ଗୀର ଜିଲ୍ଲାର ଲୋକଙ୍କ ପାଇଁ ଲୋୟର ସୁକତେଲ ପ୍ରକଳ୍ପ ନିହାତି ଦରକାର । ତେଣୁ ସରକାର ଏ ଦିଗରେ ସକରାତ୍ମକ ଚିନ୍ତାଧାରା ଗ୍ରହଣ କରନ୍ତୁ ବୋଲି ମିଶ୍ର ବୈଠକରେ ଦାବି କରିଥିଲେ।

ବୈଠକରେ ଉପସ୍ଥିତ ଥିବା ବାଚସ୍ପତି, ଜଳସେଚନ ମନ୍ତ୍ରୀ ଉପରୋକ୍ତ ଦାବିକୁ ବହୁ ଶୀଘ୍ର ସରକାରଙ୍କ ଆଗରେ ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେବା ସହ ପ୍ରକଳ୍ପ କାମ ତ୍ୱରାନ୍ଵିତ କରିବା ପାଇଁ ତତ୍ପରତା ସହ କାମ କରିବେ ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର