ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ, ପୁନଃମୂଲ୍ୟାୟନ ଦାବି କଲେ ଛାତ୍ରଛାତ୍ରୀ ଅଭିଭାବକ

ବାରିପଦା : ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ ପରେ ଆଶାଠାରୁ କମ ମାର୍କ ମିଳିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଅଭିଭାବକ। ମହାମାରୀ କରୋନା କାରଣରୁ ବିକଳ୍ପ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଛି। ତେବେ ଏହି ବ୍ୟବସ୍ଥାରେ କମ ମାର୍କ ମିଳିଥିବା ଅଭିଯୋଗ କରି ଆଜି କିଛି ଛାତ୍ରଛାତ୍ରୀ ଅଭିଭାବକ ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଯାଇ ହୋହାଲ୍ଲା କରିଥିଲେ। ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା କିଛି ଛାତ୍ରଛାତ୍ରୀଙ୍କର ମାର୍କ ଆଶାନୁରୂପ ହୋଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ମାର୍କିଂକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ କରିଥିଲେ। ତେଣୁ ପୁଣିଥରେ ମୂଲ୍ୟାୟନ ଦାବି ଉଠିଥିଲା। ତେବେ ମାର୍କିଂ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ଵଛତା ଅବଲମ୍ବନ କରାଯାଇଥିବା କହିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦାର ପ୍ରଧାନଆଚାର୍ଯ୍ୟ ରତିକାନ୍ତ ଜେନା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୁରା ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଯେଉଁ ଛାତ୍ରଛାତ୍ରୀଙ୍କର ମାର୍କ କମ ଥିବା ଅଭିଯୋଗ ହୋଇଛି ସେମାନେ ପୁନଃ ମୂଲ୍ୟାୟନ ନିମନ୍ତେ ବ୍ୟକ୍ତିଗତ ଭାବେ ବୋର୍ଡ଼ ନିକଟରେ ଆବେଦନ କରିପାରିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଜେନା। ମାର୍କିଂକୁ ନେଇ ଅସୁଖୀ ଥିବା ଛାତ୍ରଛାତ୍ରୀମାନେ ସରକାରୀ ନିୟମ ଅନୁସାରେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜିଲ୍ଲାରୁ ୯୭.୭୨ ପ୍ରତିଶତ ହାରରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସମ୍ବନ୍ଧିତ ଖବର