ରାସ୍ତାକଡ଼ରେ ଯୋଡ଼ା ହରିଣ ବେପାର, ପେଟ ପାଇଁ ପଶ୍ଚିମବଙ୍ଗ ବ୍ୟବସାୟୀ ଭଞ୍ଜନଗରରେ

ଭଞ୍ଜନଗର : ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବର୍ତ୍ତମାନ ନିର୍ବାଚନୀ ମାହୋଲ। ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବାତାବରଣ ପୁରା ଉଷ୍ମ ହୋଇପଡ଼ିଛି। କିନ୍ତୁ ପ୍ରତିଦିନ ପେଟ ପାଇଁ ଦାନା ଯୋଗାଡ଼ କରୁଥିବା ବ୍ୟବସାୟୀଙ୍କୁ ମାତ୍ର ନିର୍ବାଚନୀ ଯାକ ଯକମ ପ୍ରଭାବିତ କରିପାରିନି। ପେଟ ପାଇଁ ଭିଟାମାଟି ଛାଡି ଚାଲି ଆସିଛନ୍ତି ଭଞ୍ଜନଗରକୁ। ଆଉ ନିଜ କଳା କାରିଗରୀର ପସରା ମେଲାଇଛନ୍ତି ରାସ୍ତାକଡ଼େ। ନିଜର ପରିବାର ପ୍ରତିପୋଷଣ ପାଇଁ ସୂଦୁର ପଶ୍ଚିମବଙ୍ଗରୁ ରୋଜଗାର ଆଶାରେ ଗଞ୍ଜାମର ଭଞ୍ଜନଗର ସହରକୁ ବ୍ୟବସାୟୀ ଆସି ଯୋଡ଼ା ହରିଣ ଓ ଘୋଡ଼ା ବ୍ୟବସାୟ କରୁଛନ୍ତି। ଝୋଟରେ ଅତି ସୁକ୍ଷ୍ମ କାରୁକାର୍ଯ୍ୟରେ ହରିଣ ଘୋଡ଼ା ଆଦି ତିଆରି କରି ଆଣି ରାସ୍ତା କଡ଼ରେ  ବିକ୍ରି ହେଉଥିବା ଦେଖିବାକୁ ମଳିଛି। ଆଖିକୁ ଅତି ସୁନ୍ଦର ଦେଖା ଯାଉଥିବା ବେଳେ ଘର ସାଜସଜ୍ଜା ପାଇଁ ବହୁ ଲୋକ ଏହାକୁ ପସନ୍ଦ କରି କିଣି ନେଉଥିବା ଦେଖିବାକୁ ମିଳିଥିଲା।

ପଶ୍ଚିମବଙ୍ଗ ରାଜ୍ୟ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଗଣେଷ ମିସ୍ତ୍ରୀ କିଛି ଦିନ ହେଲା ଆସି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରରେ ତାଙ୍କ ହାତ ତିଆରି ଝୋଟରେ ନିର୍ମିତ୍ତ ବିଭିନ୍ନ ପ୍ରକାର ଘର ସାଜସଜ୍ଜା ଜିନିଷ ବିକ୍ରି କରୁଥିବା ‌କହିଛନ୍ତି। ଝୋଟ,ଫାଇବର ଓ ଅଠା ସାହାର୍ଯ୍ୟରେ ହରିଣ‌,ଘୋଡ଼ା,ବାଘ,ରାଜା,ରାଣୀ ଭଳି ଘର ସଜା ସାମଗ୍ରୀ ତିଆରି କରି ବିକ୍ରି କରୁଥିବା ସେ କହିଛନ୍ତି। ପ୍ରାୟ ୧୦୦ ଯୋଡ଼ା ହରିଣ ତିଆରି କରିବା ପାଇଁ ତାଙ୍କ ଏକ ମାସ ସମୟ ଲାଗୁଥିବା ‌ବେଳେ ଲୋକଙ୍କ ଚାହିଦା ଅନୁଯାୟୀ ହରିଣ ଓ ଘୋଡ଼ାର ଅଧିକ ବେପାର ହେଉଥିବା ଗଣେଷ କହିଛନ୍ତି। ଅନ୍ୟ ସାମଗ୍ରୀ ତୁଳନାରେ ଯୋଡ଼ା ହରିଣ ଏହି ଅଞ୍ଚଳରେ ଅଧିକା ବିକ୍ରି ହେଉଥିବା ଯୋଗୁ ଅଧିକ ପରିମାଣର ସେହ ସାମଗ୍ରୀ ଆଣି ବିକ୍ରି କରୁଥିବା କହିଛନ୍ତି। ତାଙ୍କୁ ମିଶାଇ ମଙ୍ଗଲ ବାବୁ,ଦଲାଇ ମିସ୍ତ୍ରୀ ମୋଟ ୩ ଜଣ ଓଡ଼ିଶା ଆସିଥିବା ବେଳେ ଏକ ଭଡ଼ା ଘର ନେଇ ରହୁଛନ୍ତି। ନିଜ ଅଞ୍ଚଳରେ ତାଙ୍କ ଭଳି ବହୁ କଳାକାର ରହିଥିବାରୁ ଭଲ ରୋଜଗାର ଆଶାରେ ଓଡ଼ିଶାର ଗଞ୍ଜାମକୁ ଆସିଥିବା କହନ୍ତି। ଏହାକୁ ଅତି ଧ୍ୟାନର ସହ ବନାଇବାକୁ ପଡ଼ୁଥିବା ବେଳେ କଲିକତା ଅଞ୍ଚଳରେ ଦେଖାଯାଉଥିବା ଚିତା ହରିଣର ପ୍ରତିକୃତି ବନାଇଥିବା ସେ କହିଛନ୍ତି।

ଏଠାରେ ତାଙ୍କୁ ଗଞ୍ଜାମର ଗର୍ବ ଗୌରବ କୃଷ୍ଣସାର ମୃଗ ଭଳି ଦେଖାଯାଉଥିବା ହରିଣ ଯୋଡ଼ା ସଂର୍ପକରେ ଲୋକେ ପଚାରୁଛନ୍ତି। ତେଣୁ ଆଗାମୀ ଦିନରେ ସେ କୃଷ୍ଣସାର ମୃଗର ପ୍ରତିକାତ୍ମକ ହରିଣ ଯୋଡ଼ା ବିକ୍ରି ପାଇଁ ଆଣିବେ ବୋଲି ପ୍ରକାଶ କରିଛନ୍ତି। ଗତବର୍ଷ କରୋନା ମହାମାରୀର କଟକଣା ଯୋଗୁ ବିକ୍ରିବଟା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପରିବାର ପାଇଁ ଦୁଇ ଓଳା ଖାଇବା ଯୋଗାଡ଼ କରିବା କ‌ଷ୍ଟସାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ପୁଣି କରୋନା ପାଇଁ ବନ୍ଦ ହୋଇଯିବ ଶୁଣିବାକୁ ପାଇ ଚିନ୍ତାରେ ପଡ଼ିଯାଇଥିବା ଗଣେଷ କହିଛନ୍ତି। ପ୍ରତି ହରିଣ ଯୋଡ଼ାର ମୂଲ୍ୟ ୧୫୦ ରୁ ୨୦୦ ଟଙ୍କା ସାନ ଯୋଡ଼ାର ମୂଲ୍ୟରେ ବିକ୍ରି କରୁଥିବା ବେଳେ ବଡ଼ ଆକାରର ହରିଣ ଯୋଡ଼ାକୁ ୨୦୦ ରୁ ୨୫୦ ଟଙ୍କାରେ ବିକ୍ରି କରୁଥିବା ସେ କହିଛନ୍ତି। ତେବେ ଅନେକ ସମୟରେ କିଛି ଲୋକ ମୂଲ୍ୟ ଠାରୁ ଅତି କମ୍‌ରେ ମୂଲଚାଲ କରି ନେଇ ଯାଉଥିବାରୁ ତିଆରି କରିଥିବା ଖର୍ଚ୍ଚ ସହ ତାହା ସମାନ ହୋଇଯାଉଥିବା ଗଣେଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର