ରାସ୍ତା ଦୂରବସ୍ଥା ଯୋଗୁଁ ଯାଇ ପାରିଲାନି ଅମ୍ବୁଲାନ୍‌ସ; ଖଟରେ ବୁହା ହୋଇ ଆସିଲେ ଗର୍ଭବତୀ

ମନମୁଣ୍ଡା: ରାଜ୍ୟ ସରକାର ଗମନାଗମନକୁ ପ୍ରାଧାନ୍ୟ ଦେଇ ପ୍ରତ୍ୟେକ ଗାଁ କୁ ରାସ୍ତା ସଂଯୋଗ କରିବା ସହିତ ଗାଁ ଭିତର ରାସ୍ତାକୁ କଂକ୍ରିଟ ରାସ୍ତା କରୁଛନ୍ତି। ହେଲେ ସ୍ଥାନୀୟ ରାଜନେତାଙ୍କ ଲାଭଖୋର ମନୋବ୍ରୁତି ସାଙ୍ଗକୁ ବ୍ଲକ ଅଧିକାରୀଙ୍କ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ସରକାରଙ୍କର ଅନେକ ପ୍ରକଳ୍ପର ସୁଫଳ ଜନସାଧାରଣ ପାଇପାରୁ ନାହାନ୍ତି। ତେଣୁ କଣ୍ଟାମାଳ ବ୍ଲକର ଅନେକ ଗାଁର ରାସ୍ତା ନିର୍ମାଣ ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଗାଁ କୁ ସବୁଦିନିଆ ରାସ୍ତା ଟିଏ ନାହିଁ। ଫଳସ୍ୱରୂପ ଗାଁକୁ ଅମ୍ବୁଲାନ୍‌ସ ଯାଇ ନପାରି ଗର୍ଭବତୀ ଖଟରେ ବୁହା ହୋଇ ଆସିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ପଞ୍ଚାୟତ ବିନାୟକପୁର ଗ୍ରାମରେ।

ସୂଚନାଯୋଗ୍ୟ, କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ପଞ୍ଚାୟତ ମହକୁମା ଠାରୁ ବିନାୟକପୁର ଗ୍ରାମକୁ ମାତ୍ର ଏକ କିମି ଓ ପାଇଛା ଦାଦାର ଗ୍ରାମକୁ ୩ କିମି ଦୂର ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ କିଛିଦିନ ତଳେ ଆମ୍ବୁଲାନ୍‌ସ ଆସି ନପାରି ଅଧା ବାଟରେ ରହିଥିଲା। ପାଇଛା ଦାଦର ଗ୍ରାମର ଜଣେ ଗର୍ଭାବତୀଙ୍କୁ ୨ କିମି ଖଟିଆରେ ବୁହା ହୋଇ ଆମ୍ବୁଲାନ୍‌ସ ନିକଟକୁ ନିଆ ଯାଇଥିଲା। ସେହିପରି ବିନାୟକପୁର ଗ୍ରାମର ବିଭିଶନ ରାଜହଂସଙ୍କ ୧୨ ବର୍ଷର ଭିନ୍ନକ୍ଷମ ଝିଅ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସୋନପୁର ଡାକ୍ତରଖାନାକୁ ନେବାକୁ ଅମ୍ବୁଲାନ୍‌ସ ଡାକିଥିଲେ। ହେଲେ ରାସ୍ତା ଦୂରାବସ୍ଥା ଯୋଗୁଁ ଅଧକିମି ଦୂରରେ ଥିବା ଆମ୍ବୁଲାନ୍‌ସକୁ ଉକ୍ତ ଭିନ୍ନକ୍ଷମଙ୍କୁ ଖଟିଆରେ ବୋହି ନେଇଥିଲେ।

ଡାକ୍ତରଖାନାକୁ ନେବାରେ ଅହେତୁକ ବିଳମ୍ବ ହେବାରୁ ଉକ୍ତ ଭିନ୍ନକ୍ଷମ ଝିଅର ମୃତ୍ୟୁ ହୋଇଥିଲା ବୋଲି ସମାଜସେବୀ ନିରଞ୍ଜନ କର୍ଣ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ମା’ କୁ ସମ୍ମାନ, ଗାଁ କୁ କାମ ନାରା ଦେଇ ଚାଲିଥିବା ବେଳେ ଗ୍ରାମାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର