ରାୟଗଡ଼ାର ଦୁଃଖ ନାଗାବଳୀ; ଭାତହାଣ୍ଡିର ସ୍ରୋତ ଏବେ ପାଲଟିଛି ବିପଦ

ନଦୀ ଆଁରେ ରାୟଗଡ଼ା ସହର ସମେତ ୧୦ ଖଣ୍ଡ ନଈକୂଳିଆ ଗାଁ

ରାୟଗଡ଼ା: ଦିନେ ରାୟଗଡ଼ା ଅଞ୍ଚଳର ଜମିକୁ ଶସ୍ୟ ଶ୍ୟାମଳା କରୁଥିଲା। ଚାଷ ପାଇଁ ଜଳର ମୁଖ୍ୟ ମାଧ୍ୟମ ପାଲଟିଥିଲା। ଏବେ କୂଳ ଲଂଘିବା ସହ ଗତିପଥ ବଦଳାଉଥିବାରୁ ରାୟଗଡ଼ା ସହର ସମେତ ୧୦ ଖଣ୍ଡ ନଈକୂଳିଆ ଗାଁବାସୀଙ୍କ ପାଇଁ ବିପଦ ପାଲଟିଛି ନାଗାବଳୀ। ଗତ ୧୪ ବର୍ଷରେ ନଦୀ ୨୦୦ ମିଟର କୂଳ ଖାଇବା ସହ କଲ୍ୟାଣସିଂହପୁରରୁ ଆରମ୍ଭ କରି କେରେଡ଼ା ମଧ୍ୟରେ ଥିବା ଶହ ଶହ ଏକର ଶସ୍ୟ ଶ୍ୟାମଳା ଚାଷ ଜମିକୁ ନିଜ ଗର୍ଭରେ ମିଶାଇ ସାରିଲାଣି।

ଚୀନର ହୋୟାଂ ହୋ ନଦୀ ଭଳି ରାୟଗଡ଼ା ପାଇଁ ବିପଦ ପାଲଟିଛି ନାଗାବଳୀ। ୨୦୦୭ ବନ୍ୟା ପରଠୁ ଗୋଟିଏ ପରେ ଗୋଟିଏ ଗାଁର ନିକଟତର ହୋଇଚାଲିଛି ନାଗାବଳୀ। ରାୟଗଡ଼ା ବ୍ଲକର ଗୁରୁରାଜୁଗୁଡା ଗ୍ରାମ ନଦୀଗର୍ଭରେ ଲୀନ ହୋଇ ସାରିଥିବା ବେଳେ ଗୋସେଁଇ କଣ୍ଟୁଆ, ବେହେରାଗୁଡା, ହାଟଶେଷଖାଲ, ବ୍ରାହ୍ମଣହାଲୁଆ, ଉମରବାଲି, ଜଗନ୍ନାଥପୁର, ଖିଲିମିସିଗୁଡା, ବେଡେଲି ଗାଁ ପ୍ରତି ଆଗକୁ ବିପଦ ରହିଛି। ବର୍ଷା ଆସିଲେ ଏହି ନଈକୂଳିଆ ଗ୍ରାମବାସୀ ଭୟଭୀତ ହୋଇ ପଡିବା ସହ ରାତି ଉଜାଗର ହୋଇ ରହୁଛନ୍ତି। ରାୟଗଡ଼ା ସହରର ୧୧ ନଂ ୱାର୍ଡର ଅଣ୍ଟାରିଗୁଡ଼ା, ଚେକାଗୁଡ଼ା ଗାଁ ନିକଟରୁ ଶହେ ମିଟର ଦୂରରେ ନାଗାବଳୀ ପ୍ରବାହିତ ହେଉଛି। ୧୦ ବର୍ଷ ତଳେ ଗାଁ ନିକଟରୁ ୨୫୦ ମିଟର ଦୂରରେ ଥିଲା ନଦୀ।

ପୂର୍ବଘାଟ ପାର୍ବତ୍ୟମାଳାର କଳାହାଣ୍ଡି ଜିଲ୍ଲା ଲାଖବାଇ ଗ୍ରାମ ନିକଟରୁ ନାଗାବଳୀ ନଦୀ ଉତ୍ପନ୍ନ ହୋଇଛି। ଓଡ଼ିଶା-ଆନ୍ଧ୍ର ଦେଇ ୨୫୬ କିମି ଅତିକ୍ରମ କରିବା ପରେ ଶ୍ରୀକାକୁଲମ୍ ନିକଟରେ ବଙ୍ଗୋପସାଗରରେ ମିଶିଛି। ଆନ୍ଧ୍ରରେ ବହି ଯାଇଥିବା ୯୫ କିମି ମଧ୍ୟରେ ଆନ୍ଧ୍ର ସରକାର ୩ଟି ବ୍ୟାରେଜ୍ ନିର୍ମାଣ କରି ଜଳସେଚନ ସହ ପାନୀୟ ଜଳ ଭାବେ ନଦୀ ଜଳକୁ ବ୍ୟବହାର କରୁଛନ୍ତି। ତୋଟାପାଲି, ଆର୍. ଲକ୍ଷ୍ମୀପୁର, ମୁଦୁବାଲସାରେ ଆନ୍ଧ୍ର ନିର୍ମାଣ କରୁଥିବା ବ୍ୟାରେଜ୍ ଯୋଗୁ ପଟୁ ମାଟି ନିଷ୍କାସନ ନ ହୋଇ ଉପରମୁଣ୍ଡରେ ଜମି ରହୁଛି। ଫଳରେ ନଦୀଗର୍ଭ ଓସାର ହେବା ସହ ନଦୀ ଶର୍ଯ୍ୟା ଉଚ୍ଚତା ବଢ଼ିବାରେ ଲାଗିଛି। ଯାହା ଲୋକଙ୍କ ପାଇଁ ବିପଦ ପାଲଟିଛି। ନାଗାବଳୀର ସୁରକ୍ଷା ପାଇଁ ଗତ ୬ ବର୍ଷ ତଳେ ହୋଇଥିବା ଯୋଜନା ଏଯାବତ୍ ଯୋଜନାରେ ହିଁ ସୀମିତ ରହିଛି। ଅଣ୍ଟାରିଗୁଡ଼ାରେ ପ୍ରୋଟେକ୍ସନ୍ ୱାଲ୍ ନିର୍ମାଣ ପାଇଁ ୪ କୋଟି ୯୩ ଲକ୍ଷ, ରେବତୀଗୁଡା ନିକଟରେ ୩ କୋଟି ୫୯ ଲକ୍ଷ, ବୁଡାଗୁଡା ନିକଟରେ ୨ କୋଟି ୮୨ ଲକ୍ଷ, ପ୍ରଧାନିଗୁଡା ନିକଟରେ ୩ କୋଟି ୪୮ ଲକ୍ଷ, ଗାଡିଶେଷଖାଲ ନିକଟରେ ୧ କୋଟି ୧୪ ଲକ୍ଷ, ମାଳିଗାଁ ନିକଟରେ ୬ କୋଟି ୫ ଲକ୍ଷ, ଆମ୍ବାଗୁଡା ନିକଟରେ ୮ କୋଟି ୫ ଲକ୍ଷ ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟୟ ଅଟ୍ଟକଳ କରାଯାଇଛି। ହେଲେ ଏବେ ସୁଦ୍ଧା ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି। ନଦୀର ଉଭୟ ପାର୍ଶ୍ବରେ ଆଡିବନ୍ଧ ନିର୍ମାଣ ସହ ପଥର ପ୍ୟାକିଂ କଲେ ଜନବସିତ ସୁରକ୍ଷିତ ରହିବ। ଅତୀତରେ ବହୁ ଧନଜୀବନ ନଷ୍ଟ‌ ହେବାର ନଜିର ଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜଳସଂପଦ ବିଭାଗ ସହ ଆଲୋଚନା କରି ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପର ନିର୍ମାଣ ଆରମ୍ଭ କରିବା ଜରୁରି ହୋଇ ପଡିଛି।

ସମ୍ବନ୍ଧିତ ଖବର