ଲାଞ୍ଚନେବା ବେଳେ ଧରାପଡ଼ିଲେ ତୁଲାପଡ଼ା ରାଜସ୍ୱ ନିରୀକ୍ଷକ

ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ୍‌ ଅଧୀନ ତୁଲାପଡ଼ା ରାଜସ୍ୱ ନିରୀକ୍ଷକ ଥବିର ଭୋଇ ଜଣେ ବ୍ୟକ୍ତିଙ୍କ ଜମି ଡିମାର୍କକେସନ୍‌ ଓ ନକ୍ସା ତିଆରି କରିବା ପାଇଁ ଲାଞ୍ଚ ନେବା ସମୟରେ ଗୁରୁବାର ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି। ଏହି ଆର୍‌ଆଇଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ହୋଇଥିଲା। ନର୍ଲା ବ୍ଲକ୍‌ ବାଲିସିଙ୍ଗା ପଞ୍ଚାୟତ ଅଧୀନ ତେର୍ଲୋ ଗ୍ରାମର ନିରଞ୍ଜନ ନାୟକ ନିଜର ୧୬ ଏକର ୪୭ ଡିସିମିଲ୍ ଜମିକୁ ଡିମାର୍କକେସନ୍‌ ତଥା ନକ୍ସା ପ୍ରସ୍ତୁତ କରିବା ପାଇଁ ତୁଲାପଡ଼ା ଆର୍‌ଆଇଙ୍କୁ ଦରଖାସ୍ତ କରିଥିଲେ। ଏହି କାମ ପାଇଁ ଆର୍‌ଆଇ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଆବେଦନକାରୀ ଶ୍ରୀ ନାୟକ ଭିଜିଲାନ୍ସ୍ ବିଭାଗର ଆଶ୍ରୟ ନେଇଥିଲେ। ଗୁରୁବାର ଭିଜିଲାନ୍ସ୍ ବିଭାଗ କର୍ମଚାରୀ କେମିକାଲ୍ ଲଗା ନୋଟ୍ ଆବେଦନକାରୀଙ୍କୁ ଦେଇ ଆର୍‌ଆଇ ଅଫିସ୍ ବାହାରେ ଛକି ରହିଥିଲେ। ଆବେଦନକାରୀ ଶ୍ରୀ ନାୟକଙ୍କ ଠାରୁ ଆର୍‌ଆଇଙ୍କ ସହଯୋଗୀ ବୈଦ୍ୟନାଥ ସାହୁ ଟଙ୍କା ଗ୍ରହଣ କରି ଆର୍‌ଆଇଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ୍ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଆର୍‌ଆଇଙ୍କ ଠାରୁ ନୋଟ୍ ଜବତ କରାଯାଇଥିଲା। ଚଢ଼ଉ ସମୟରେ ନୂଆପଡ଼ା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, ନୂଆପଡ଼ା ଷ୍ଟେନୋ ଶିବପ୍ରସାଦ ପଧାନ, ଭବାନୀପାଟଣା ଷ୍ଟେନୋ ସନ୍ତୋଷ ମହାନ୍ତି, କନେଷ୍ଟବଳ ରାଜେଶ ନାଏକ, ବ୍ରହ୍ମାନନ୍ଦ ପଣ୍ଡା ଓ ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ସାକ୍ଷୀ ଭାବରେ ଡିଏଫ୍‌ଓ ଶୁଭମ୍ ପଣ୍ଡା ଓ ବିଶ୍ୱରଞ୍ଜନ ପଣ୍ଡା ଥିଲେ।

ସମ୍ବନ୍ଧିତ ଖବର