ସାବିତ୍ରୀ ବଜାରକୁ ଫିକା କଲା ତାଲାବନ୍ଦ 

ବାରିପଦା: ଜୁନ ୧୦ ଗୁରୁବାର ସାବିତ୍ରୀ ବ୍ରତ ଓ ଜୁନ ୧୪ରେ ରଜ ସଂକ୍ରାନ୍ତି । ସାବିତ୍ରୀବ୍ରତକୁ  ବିବାହିତା ମହିଳାମାନେ ନିଜ ନିଜ ସ୍ୱାମୀମାନଙ୍କର ଦୀର୍ଘ ଜୀବନ କାମନା କରି ସେମାନଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଅବିବାହିତା ଝିଅମାନେ ରଜକୁ ପାଳିଥାନ୍ତି । ଏଥି ନିମନ୍ତେ ୧୫ ଦିନ ପୂର୍ବରୁ  ହାଟ ବଜାର ଚଳଚଞ୍ଚଳ ହୋଇଉଠେ । ଏହି ଅବସରରେ ସହରର ଛୋଟବଡ଼ ଶାଢ଼ି, ଡ୍ରେସ ଦୋକାନ ସହ ଷ୍ଟେସନାରୀ, ଗହଣା, ଫଳ, ଗ୍ରୋସରୀ ଆଦି ଦୋକାନ ଗୁଡ଼ିକରେ ଗ୍ରାହକମାନଙ୍କର ଭିଡ଼ ଜମିଥାଏ ।

ସେହିପରି ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନୀମାନେ ନୂଆ ନୂଆ ଡିଜାଇନର ବିଭିନ୍ନ ଗହଣା, ଡ୍ରେସ ଦୋକାନୀମାନେ ବିଭିନ୍ନ ଡ଼ିଜାଇନର ଡ୍ରେସ କିଣି ଦୋକାନକୁ ସଜାଇ ଥାନ୍ତି । ସାବିତ୍ରୀ ଓ ରଜ ପର୍ବରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥାଏ । ମାତ୍ର ଚଳିତ ବର୍ଷ ତାଲାବନ୍ଦ ସାବିତ୍ରୀ ଓ ରଜ ପର୍ବର ମାହୋଲକୁ ଫିକା ପକାଇଦେଇଛି । କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଫଳରେ ସହରରେ ସମସ୍ତ ଶାଢ଼ି, ଗହଣା, ଡ୍ରେସ , ଷ୍ଟେସନାରୀ, କସ୍ମେଟିକ ଆଦି ଦୋକାନ ବନ୍ଦ ରହିଛି । ଫଳରେ ଏହି ସମସ୍ତ ବ୍ୟବସାୟୀମାନେ ହାତ ଟେକି ବସିଛନ୍ତି ।

କରୋନା କଟକଣା ବ୍ୟବସାୟୀମାନଙ୍କୁ ବାଟବଣା କରାଇଦେଇଛି । ଦୋକାନର କର୍ମଚାରୀମାନଙ୍କୁ ମାଲିକ ଦରମା ଦେବାକୁ ଅସମର୍ଥ ହୋଇଥିବାରୁ କର୍ମଚାରୀମାନଙ୍କର ଆୟ ଉପାର୍ଜନ ଠପ୍ ହୋଇଯାଇଛି । ସେହିପରି ଭଡ଼ା ନେଇ ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କର ବେପାର ବନ୍ଦ ହୋଇଥିଲେ ମଧ୍ୟ ଗରର ମାଲିକ ଭଡ଼ା ଛାଡ଼ିବାକୁ ଅମଙ୍ଗ ।

ଫଳରେ ଉଭୟ ବ୍ୟବସାୟୀ ଓ କର୍ମଚାରୀମାନଙ୍କ ପକେଟ ଖାଲି ରହିଛି । ଗତ ବର୍ଷ ସାବିତ୍ରୀ ବ୍ରତ ସମୟରେ କଟକଣାକୁ କିଛି ସମୟ ନିମନ୍ତେ କୋହଳ କରାଯାଇଥିବା ବେଳେ ଚଳିତ ବର୍ଷ ଏନେଇ ସରକାରୀସ୍ତରରେ କୌଣସି ବ୍ୟବସ୍ଥା କରାଯିବାର ଆଭାସ ମିଳିପାରୁ ନାହିଁ । ଯାହା ଉଭୟ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ହତାଶ କରାଇ ଦେଇଛି । ଏହି ସମୟରେ ଫଳ ବ୍ୟବସାୟ ଭଲ ଜମିଥିବାର ପରିଲକ୍ଷିତ ହୋଇଛି ।

ତଥାପି କରୋନା ଗରିବ ଖଟିଖିଆ ଓ ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣଙ୍କ ନିକଟରୁ ଆୟ ଉପାର୍ଜନ ଛଡ଼ାଇ ନେଇଥିବା କାରଣରୁ ସାବିତ୍ରୀ ଓ ରଜ ସଜବାଜର ରଙ୍ଗ ସେମାନଙ୍କ କ୍ଷେତ୍ରରେ ଫିକା ପଡ଼ିଯାଇଛି । ତଥାପି ସହରରେ କେତେକ ଶାଢ଼ି ବ୍ୟବସାୟୀ ସେମାନଙ୍କର ବ୍ୟବସାୟକୁ ଏକ ଅଭିନବ ଢ଼ଙ୍ଗରେ ଚଳାଇଛନ୍ତି ।

ବାହାରେ ଦୋକାନର ସଟର ପଡ଼ିଥିବା ବେଳେ ଭିତରେ କାରବାର ଜାରି ରହିଛି । ଦୋକାନ ବାହାରେ ଜଣେ ଲୋକ ପୁଲିସ ତହସିଲଦାରଙ୍କ ଗାଡ଼ି ଆସିବା ଉପରେ ନଜର ରଖିବା ସାଙ୍ଗକୁ ରାସ୍ତାରେ ଯାଉଥିବା ଲୋକମାନଙ୍କ ମଧ୍ୟରୁ ଗ୍ରାହକ ଯୋଗାଡ଼ କରି ସଟର ଟେକି ଭିତରକୁ ଛାଡ଼ି ପୁଣି ସଟର ପକାଇ ଦେଉଥିବାର ପରିଲକ୍ଷିତ ହୋଇଛି ।

ସମ୍ବନ୍ଧିତ ଖବର