ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ରାଉରକେଲା ସ୍ମାର୍ଟ ସିଟି ସମ୍ବର୍ଦ୍ଧିତ

ରାଉରକେଲା: ଭାରତ ସରକାରଙ୍କ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ସମ୍ବର୍ଦ୍ଧିତ ହୋଇଛି। ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଶକ୍ତି କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ଲାଗି ରାଉରକେଲା ଏହି ସଫଳତା ହାସଲ କରିଛି।

ଫେବ୍ରୁଆରି ୧୬ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶକ୍ତି ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତିମନ୍ତ୍ରୀ ରାଜ କୁମାର ସିଂ, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ଏବଂ ସାର ଓ ରସାୟନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଭଗବନ୍ତ ଖୁବାଙ୍କଠାରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ରାଉରକେଲା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି।

ଶକ୍ତି କ୍ଷେତ୍ର ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ଦେଶର ବିଭିନ୍ନ ସ୍ମାର୍ଟ ସିଟିଗୁଡ଼ିକ ମିଳିତ ଜାତିସଂଘ ଓ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ନିକଟରେ ନିଜ ନିଜର ପ୍ରସ୍ତାବ ରଖିଥିଲେ। ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ଦେଶର ଅନ୍ୟ ୫ଟି ସ୍ମାର୍ଟ ସିଟି ସମେତ ରାଉରକେଲା ପ୍ରଶଂସିତ ହୋଇଛି। ୨୦୩୦ ସୁଦ୍ଧା ରାଉରକେଲା ସ୍ୱଚ୍ଛ ଶକ୍ତି ଉତ୍ସରୁ ୩୦ ପ୍ରତିଶତ ଶକ୍ତି ସଂଗ୍ରହ ଲକ୍ଷ୍ୟ ରଖି ମିଳିତ ଜାତିସଂଘ ନିକଟରେ ପ୍ରସ୍ତାବ ଦାଖଲ କରିଥିଲା। ଏହି ଲକ୍ଷ୍ୟକୁ ସାକାର କରିବା ଦିଗରେ ରାଉରକେଲାକୁ ଗ୍ରୀନ୍ ଏନର୍ଜି ବା ସବୁଜ ଶକ୍ତିର ଏକ ହବ୍ ଭାବେ ପ୍ରତିଷ୍ଠା କରିବା ପାଇଁ ସହରର ସୌରୀକରଣ ଉପରେ ଗୁରୁତ୍ୱ ଦିଆଯାଇ ଆସୁଛି।

ତେଣୁ ରାଉରକେଲା ସ୍ମାର୍ଟ ସିଟିର ବାସିନ୍ଦାମାନେ ସୌରଶକ୍ତି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ସହରବାସୀ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଅକ୍ଷୟ ଶକ୍ତିର ବ୍ୟବହାର କରିବେ, ସେଥିଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ସାଧାରଣ ଲୋକ ଘରେ ଘରେ ସୋଲାର ପ୍ୟାନେଲ ବସାଇ ସୌରଶକ୍ତି ଉତ୍ପାଦନ କରି ନିଜର ଆବଶ୍ୟକତା ପୂରଣ କରିପାରିବେ। ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ସ୍ୱଚ୍ଛ ସାଥୀମାନଙ୍କୁ ସୌରଶକ୍ତିର ବ୍ୟବହାର ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଉଛି। ସେହିପରି ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ଏଥିପାଇଁ ଉତ୍ସାହିତ କରାଯାଉଛି।

ନୂଆଦିଲ୍ଲୀଠାରେ ଆୟୋଜିତ ସମ୍ବର୍ଦ୍ଧନା ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଇନ୍ଦୁ ଶେଖର ଚତୁର୍ବେଦୀ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦିନେଶ ଡି. ଜଗଦଲେ ଏବଂ ଶକ୍ତି, ପରିବେଶ ଏବଂ ଜଳ ପରିଷଦ (ସିଇଇଡବ୍ଲ୍ୟୁ)ର ପ୍ରତିଷ୍ଠାତା ସିଇଓ ଡକ୍ଟର ଅରୁଣାଭ ଘୋଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର