ସ୍ୱାମୀଙ୍କ ଦ୍ୱିତୀୟ ବିବାହ ବିରୋଧରେ ମହିଳାଙ୍କ ଅଭିଯୋଗ

ଖୋର୍ଦ୍ଧା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ବଡ଼ ଭାଇ ବିବାହ ହେବା ପରେ ଯାଇ ବିଧିବଦ୍ଧ ଭାବେ ବିବାହ କରିବି ବୋଲି କହିଥିଲେ । କିନ୍ତୁ ବର୍ତମାନ ବଡ଼ ଭାଇ ବିବାହ କରିବା ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ପୁଲିସ ପଦକ୍ଷେପ ନେଇନଥିବା ନେଇ ବେଗୁନିଆ ଅଂଚଳର ଜଣେ ମହିଳା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ପରିଛଳ ଜାମୁସାହିର ସବିତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୦ ବର୍ଷ ପୂର୍ବେ ଦୀନବନ୍ଧୁ ପରିଡ଼ାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ଦୀନବନ୍ଧୁ ଶାରୀରିକ ସମ୍ପର୍କ ରଖିଥିଲେ । ଗର୍ଭବତୀ ହେବା ପରେ ୨ ଜୁନ୍ ୨୦୧୩ରେ ଦୀନବନ୍ଧୁଙ୍କ ଘରକୁ ଯାଇଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକ ତାଙ୍କୁ ମାରପିଟ କରି ଘରୁ ବାହାର କରିଦେଇଥିଲେ । ଏହି ଘଟଣାରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ସମୟରେ ଦୀନବନ୍ଧୁ ଓ ତାଙ୍କ ପରିବାର ଦୀନବନ୍ଧୁଙ୍କ ବଡ଼ଭାଇର ବିବାହ ପରେ ବିଧିବଦ୍ଧ ଭାବେ ବିବାହ କରିବେ ବୋଲି ଗାଁର ଭଦ୍ରବ୍ୟକ୍ତିଙ୍କ ଆଗରେ ପ୍ରତିଶ୍ରୁତି ଦେବା ସହ ତାଙ୍କ ବାପାଙ୍କ ଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ଯୌତୁକର ଅଗ୍ରିମ ଆକାରରେ ନେଇଥିଲେ । ବର୍ତମାନ ତାଙ୍କର ଏକ ୭ ବର୍ଷର ପୁଅ ରହିଛି ଓ ତାଙ୍କ ସ୍ୱାମୀ ଦୀନବନ୍ଧୁଙ୍କ ବଡ଼ଭାଇ ବିବାହ କରିଛନ୍ତି । କିନ୍ତୁ ସେ ଜାଣିବାକୁ ପାଇଛନ୍ତି ଯେ ଅପ୍ରିଲ୍ ୨ ତାରିଖରେ ତାଙ୍କର ସ୍ୱାମୀ ଅନ୍ୟଜଣକୁ ବିବାହ କରିଛନ୍ତି । ଏନେଇ ବେଗୁନିଆ ଥାନାରେ ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନା ଅଧିକାରୀ ତାଙ୍କର ଅଭିଯୋଗ ଗ୍ରହଣ କରୁନାହାନ୍ତି । ଏଣୁ ସେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏସ୍ପି ରାଜ କିଶୋର ଦୋରା ଅଭିଯୋଗ ଗ୍ରହଣ କରିବା ପରେ ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର