୩୫ ଲକ୍ଷ ଚେକ୍‌ ବାଉନ୍ସ ମାମଲା: ବ୍ୟବସାୟୀ ଗିରଫ

ରାଉରକେଲା: ଚେକ୍‌ ବାଉନ୍ସ ଘଟଣାରେ ଆଜି ଝିରପାଣି ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ପରେ ବ୍ୟବସାୟ ଜଣକ କୋର୍ଟରୁ‌ ବେଲ୍‌ରେ ଯାଇଥିବା ଜଣାପଡିଛି। ଗିରଫ ଯୁବକ ଜଣକ ହେଲେ କୋଏଲନଗର ସି ବ୍ଲକର ସତୀଶ ଚୌଧୁରୀ। ମିଳିଥିବା ସୂଚନା ମୁତାବକ କୋଏଲନଗର ସି ବ୍ଲକରେ ସତୀଶଙ୍କର ବନ୍ଦି ଇଞ୍ଜିନିୟରିଂ ନାଁରେ ବ୍ୟବସାୟିକ ସଂସ୍ଥା ରହିଛି। ସେ ଜାମସେଦ୍‌ପୁର ଟାଟାର ନ୍ୟୁ ବଜରଙ୍ଗ କନ୍‌ଷ୍ଟ୍ରକ୍ସନ କମ୍ପାନୀର ସହ ବ୍ୟବସାୟିକ କାରବାର କରୁଥିଲେ। ଏକ କାରଖାନାରେ କାମ ପାଇବା ପରେ ଅର୍ଥ ଆବଶ୍ୟକ ପଡିବାରୁ ସତୀଶ ନ୍ୟୁ ବଜରଙ୍ଗ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କୁ କିଛି ଟଙ୍କା ଦେବାକୁ କହିଥିଲେ। ବ୍ୟବସାୟିକ ସମ୍ପର୍କ ଥିବାରୁ ବଜରଙ୍ଗ କମ୍ପାନୀର ମାଲିକ ସତୀଶଙ୍କୁ ୩୫ ଲକ୍ଷ ଟଙ୍କା ଉଧାର ଦେଇଥିଲେ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପରିଶୋଧ କରିଦେବାକୁ ସତୀଶ ପ୍ରତିଶ୍ରୁତି ଦେଇଥିଲେ। ଦେଇଥିବା କଥା ଅନୁଯାୟୀ ସତୀଶ ଉଧାର ଟଙ୍କା ପରିଶୋଧ କରି ନଥିଲେ। ବିଭିନ୍ନ ଆଳ ଦେଖାଇ ବାରମ୍ବାର ଦିନ ପରେ ଦିନ ଗଡାଇ ଚାଲିଥିଲେ। ନ୍ୟୁ ବଜରଙ୍ଗ କନ୍‌ଷ୍ଟ୍ରକ୍ସନ କମ୍ପାନୀ ମାଲିକ ଜିଦ୍‌ ଧରିବାରୁ ସତୀଶ ତାଙ୍କୁ ୩୫ ଲକ୍ଷ ଟଙ୍କାର ‌ଚେକ୍‌ ଦେଇଥିଲେ। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଚେକ୍‌ ବାଉନ୍ସ ହୋଇଯାଇଥିଲା। ନିରୁପାୟ ହୋଇ ବଜରଙ୍ଗ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ମାଲିକ କୋର୍ଟର ଦ୍ବାରସ୍ଥ ହୋଇଥିଲା। କୋର୍ଟ ମାମଲାର ଶୁଣାଣୀ କରି ସତୀଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରିଥିଲେ। ବାରମ୍ବାର ନୋଟିସ୍ ସତ୍ବେ ସତୀଶ କୋର୍ଟରେ ହଜାର ନ ହେବାରୁ ତାଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି କରାଯାଇଥିଲା। ଗିରଫ ଭୟରେ ସତୀଶ ବିଭିନ୍ନ ସ୍ଥାନରେ ଲୁଚୁଥିଲେ। ଆଜି ଝିରପାଣି ପୁଲିସ ତାଙ୍କୁ କୋଏଲନଗର ଅଞ୍ଚଳରୁ ଗିରଫ କରି କୋର୍ଟ ହାଜର କରାଇଥିଲେ।

ସମ୍ବନ୍ଧିତ ଖବର