୮ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର, ଗିରଫ ଅଭିଯୁକ୍ତକୁ କରୋନା

ବାରିପଦା/କଳାବାଡିଆ: ଏସ୍‌ପି ସ୍ମିତ ପି. ପରମାର୍‌ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତ ଅଧୀନ ଗୋହିରାପାଳ ଗ୍ରାମରେ ଆତର୍କିତ ଚଢ଼ଉ କରି ବିକ୍ରି ପାଇଁ ଯୋଜନା ଚାଲିଥିବା ୮ କେଜି ଓଜନର ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସିଙ୍ଗୁ ବାସ୍କେ(୪୦)କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଆଜି ଏହି ଘଟଣାରେ ବାରିପଦା ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା ପୁଲିସ। ଡିଏସପି ପ୍ରଭାସ ଚନ୍ଦ୍ର ପାଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଏହି ବଜ୍ରକାପ୍ତା ଚାଲାଣ ଘଟଣାରେ ଏକ ଆନ୍ତଃରାଜ୍ୟ ରାକେଟ୍‌ର ସମ୍ପୃକ୍ତି ଥିବା ସୂଚନା ରହିଛି। ଏ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

ଉଲ୍ଲେଖଯୋଗ୍ୟ; ମୟୂରଭଞ୍ଜରୁ ବଜ୍ରାକାପ୍ତା ଚୋରା ଚାଲାଣ ନେଇ ପୂର୍ବରୁ ଅନେକ ନଜିର ରହିଛି। ୨୦୧୯ ଅକ୍ଟୋବର ୨୯ ତାରିଖ ଦିନ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ କୁଳିଅଣା ଥାନା ଅନ୍ତର୍ଗତ ଅସନଯୋଡ଼ା ନିକଟ ଏକ ଢାବାରୁ ପ୍ରାୟ ୧୭ କେଜି ଓଜନର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ଏହାକୁ ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିବାର ଖବରପାଇ ବନ ବିଭାଗ ଚଢ଼ଉ କରି ବଜ୍ରକାପ୍ତା ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ଉଦଳା ଥାନା ଅଞ୍ଚଳରୁ ମଧ୍ୟ ବଜ୍ରକାପ୍ତା ଚାଲାଣ ସହ ସମ୍ପୃକ୍ତ ଏକ ରାକେଟ୍‌ ଧରାପଡ଼ିଥିଲା।

ବଜ୍ରାକାପ୍ତା ଉଦ୍ଧାର ଘଟଣାରେ ‌ଗିରଫ ହୋଇଥିବା ସିଙ୍ଗୁ ବାସ୍କେଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଫଳରେ ପୁଲିସ ବିଭାଗ ସହ ବନ ବିଭାଗ ଚିନ୍ତାରେ ପଡ଼ିଯାଇଛି। ଅଭିଯୁକ୍ତକୁ ଗିରଫ କରିଥିବା ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସଙ୍କ ସହ ଅନ୍ୟ ୩ ଜଣ କର୍ମଚାରୀ, ଏସ୍‌ପିଙ୍କ ପ୍ରେରିତ ସ୍ବତନ୍ତ୍ର ଟମ୍‌ର କର୍ମଚାରୀ ଏବଂ ଆଜି ବାରିପଦାରେ ହୋଇଥିବା ପ୍ରେସ୍‌ମିଟ୍‌ରେ ଥିବା ପୁଲିସ ଅଧିକାରୀ, ଡିଏଫ୍‌ଓ ଓ ସାମ୍ବାଦିକଙ୍କ ପରୋନା ପରୀକ୍ଷା ହେବ। ଏହା ସହିତ ଅଭିଯୁକ୍ତକୁ ରଖାଯାଇଥିବା ବାଙ୍ଗିରିପୋଷି ଥାନା ମଧ୍ୟ ସାନିଟାଇଜ୍‌ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର