୮ ବଖରା ଜଳିଗଲା, ୩ ପରିବାର ବେସାହାରା: ଆଖି ଆଗରେ ଜଳିଗଲା ତାଇୱାନ ଯିବାର ସ୍ବପ୍ନ

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଶାସନ୍ଦା ପଞ୍ଚାୟତ ତାଉନ୍ତରା ଧଳସାହିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରାଘର ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ ଚାହୁଁଚାହୁଁ ୮ ବଖରା ଘର ଜଳିଯାଇଥିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ବିଂଝାରପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ଆଜି ସନ୍ଧ୍ୟାରେ କୌଣସି କାରଣରୁ ତାଉନ୍ତରା ଧଳସାହିରେ ନିଆଁ ଲାଗି ପ୍ରେମାନନ୍ଦ ଧଳ, ବିନୋଦ ଧଳ ଓ ଅଶୋକ ନାୟକଙ୍କ ୮ ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା। ଘରେ ଥିବା ବିଭିନ୍ନ ଆସବାବପତ୍ର ସମେତ ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ିଯାଇଛି। କେବଳ ପିନ୍ଧା ବସ୍ତ୍ରକୁ ଛାଡ଼ିଦେଲେ ବିପନ୍ନମାନେ ଆଉ କୌଣସି ସାମଗ୍ରୀ ଉଦ୍ଧାର କରିପାରି ନାହାନ୍ତି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ସାର୍ଟିଫିକେଟ ପୋଡ଼ି ପାଉଁଶ

ଏହି ଅଗ୍ନିକାଣ୍ଡରେ ୩ ପରିବାରର ଘରଦ୍ବାର ପୋଡ଼ି ପାଉଁଶ ହେବା ସହ ବିଦେଶ ଯାଇ ଗବେଷଣା କରିବାକୁ ପ୍ରସ୍ତୁତ ହୋଇଥିବା ଅଜିତେଶ ନାୟକଙ୍କ ସ୍ବପ୍ନ ମଧ୍ୟ ଧୂମାଚ୍ଛାଦିତ ହୋଇଯାଇଛି। କାରଣ ତାଙ୍କର ସବୁ ସାର୍ଟିଫିକେଟ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏହି ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଶୋକ ନାୟକଙ୍କ ପୁଅ ଅଜିତେଶ ଆଉମାତ୍ର ୪ ଦିନ ପରେ କର୍କଟରୋଗ ଉପରେ ଅଧିକ ଗବେଷଣା କରିବା ପାଇଁ ତାଇଓ୍ଵାନ ଗସ୍ତ କରିଥାନ୍ତେ। ସେଥିପାଇଁ ଗତକାଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟି ସହାୟତା ଲୋଡ଼ିଥିଲେ ସେ। ଜିଲ୍ଲାପାଳ ତାଙ୍କୁ ଦେଢ଼ଲକ୍ଷ ଟଙ୍କା ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିଆଁ ସବୁକିଛି ଛାରଖାର କରିଦେଇଛି। ତାଙ୍କ ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ନିଜ ଆଖି ଆଗରେ ସ୍ବପ୍ନ ସବୁ ଜଳିଯାଉଥିବାର ଦେଖି ଅଜିତେଶ ଭୋଭୋ କାନ୍ଦୁଛନ୍ତି। କ’ଣ କରିବେ କିଛି ଭାବିପାରୁ ନାହାନ୍ତି। ଆଉ ମାତ୍ର ୪ ଦିନ ଭିତରେ ସେ କିଭଳି ତାଇୱାନ ଯାଇପାରିବେ, ସେ ଦିଗରେ ପ୍ରଶାସନ ତୁରନ୍ତ ସହଯୋଗର ହାତ ବଢ଼ାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର