ଜିଲ୍ଲା ସ˚ଗ୍ରହାଳୟରୁ ଚୋରି ଘଟଣା; ଜଣେ ଗିରଫ, ଦୁର୍ଲଭ ସାମଗ୍ରୀ ଜବତ

ସହଯୋଗୀଙ୍କୁ ରିମାଣ୍ଡରେ ଆଣିବ ଟାଉନ ପୁଲିସ 

ଜୟପୁର: ଜିଲ୍ଲା ସ˚ଗ୍ରହାଳୟରୁ ଚୋରୀ ଘଟଣାରେ ଜୟପୁର ଟାଉନ ପୁଲିସ ଆଜି ଜଣେ ନାବାଳକଙ୍କୁ ଅଟକ ରଖିଛି। ଜୁଭେଲାଇନ ଜଷ୍ଟିସ ବୋର୍ଡ ନିକଟରେ ଆସନ୍ତାକାଲି ଉପସ୍ଥିତ କରାଯାଇ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଯିବ। ତେବେ ୧୭ ବର୍ଷୀୟ ନାବାଳକ ଜଣକ ଜୟପୁର ସହର ଗୋପବନ୍ଧୁ ନଗରର ବୋଲି ଜଣାପଡିଛି।

ତେବେ ଗତକାଲି ରାତିରେ ତାଙ୍କୁ ପୁଲିସ ପଚରାଉଚୁରା କରିବା ପରେ ସେ ସତ ମାନିଥିଲା। ଏହାସହ ତାଙ୍କର ଆଉ ଜଣେ ସହଯୋଗୀ ମଧ୍ୟ ରହିଥିବା ଜଣାପଡିଛି। ଉକ୍ତ ସହଯୋଗୀ ଜଣକ ଅନ୍ୟ ଏକ ଚୋରି ମାମଲାରେ ଏବେ ଜେଯଲରେ ରହିଥିବାବେଳେ ତାଙ୍କୁ ରିମାଣ୍ଡରେ ଆଣିବ ଟାଉନ ପୁଲିସ। ଏବେ ପୁଲିସ ଏକ ବିରଳ କୃଷ୍ଣମୂର୍ତ୍ତି, ଡୋକ୍ରା ମାଛ, ଟ୍ରାଇବାଲ ଅର୍ଣ୍ଣାମେଣ୍ଟ, କିଛି ବିରଳ ମୁଦ୍ରା, ଗୋଟିଏ ରଥ ଆଦି ଜବତ କରିଛି ପୁଲିସ।

ତେବେ ନାବାଳକଙ୍କର ସହଯୋଗୀଙ୍କ ନିକଟରେ ଜିନିଷ ରହିଥିବା ପୁଲିସ ଅନୁମାନ କରୁଛି।ଏବେ ସହଯୋଗୀ ଜଣକ ଜେଲରେ ରହିଥିବାରୁ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ଏହାସହ ତାଠାରୁ ମିଳିବାକୁ ଥିବା ତଥ୍ୟକୁ ଆଧାର କରି ପୁଲିସ ତଦନ୍ତଙ୍କୁ ଶାଣିତ କରିବ।

କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ତର ଗୋପବନ୍ଧୁ ନଗରସ୍ଥିତ ଟାଉନ ହଲ ପରିସରରେ ଥିବା ଜିଲ୍ଲା ସ˚ଗ୍ରହାଳୟରୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟବାନ ଜିନିଷ ଚୋରି ହୋଇଯିବା ଘଟଣାକୁ ତିନିମାସ ବିତି ଯାଇଥିବା ବେଳେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

ସେପ୍ଟେମ୍ବର ମାସ ୧୨ ତାରିଖ ରାତିରେ ଏହିଠାରୁ ଦୁବୃର୍ତ୍ତମାନେ ପଶି କାବାଟଭାଙ୍ଗି ହାତୀ ଦାନ୍ତ ଥିବା ଏକ ରଥ, ଏକାଧିକ ଧାତବ ମୂର୍ତି, ବିରଳ ମୁଦ୍ରା, ଆଦିବାସୀ ରୁପା ଓ ସୁନା ଅଳଙ୍କାର, ବିରଳ ନାଟରାଜ ମୂର୍ତି, ପିତ୍ତଳ ମୂର୍ତି ସହ ବହୁ ଟଙ୍କାର ଜିନିଷ ଚୋରାଇ ନେଇଥିଲେ। ଏହିଠାରୁ ଶତାଧିକ ଧାତବ କଳାକୃର୍ତ୍ତି, ୪୭ଟି ବିରଳ ଜୌନ ଓ ବୌଦ୍ଧ ମୂର୍ତ୍ତି, କୋରାପୁଟରେ ହଜିଯାଇଥିବା ୧୨୦ ପ୍ରକାରରୁ ଧାନ ନମୂନା, ୨୦ରୁ ଅଧିକ ପ୍ରକାରର କାଠ ନମୂନା, ଡାଲି ଜାତୀୟ ଦ୍ରବ୍ୟ, ଶିଳାଲିପି, ଖଣିଜ ପଦାର୍ଥ, ପେପର ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ, ଟେରାକୋଟା, ଗୋବର କଣ୍ଠେଇ, ଲାଖ କାମ, ଆଦିବାସୀ ଲୁଗା, ୬୦ରୁ ଅଧିକ ବିରଳମୁଦ୍ରା, ହାତୀ ଦାନ୍ତରେ ତିଆରି ରଥ, ଢୋକ୍ରା କଳାକୃତ୍ତି ଓ ମହମ ତିଆରି ସାମଗ୍ରୀ ରହିଥିଲା। ୨୫୦ରୁ ଅଧିକ ମୂଲ୍ୟବାନ ଜିନିଷ ମଧ୍ୟରୁ ଶତାଧିକ ଜିନିଷ ଚୋରି ହୋଇଯିବା ପରେ ମାତ୍ର ହାତଗଣତି କିଛି ଜିନିଷ ରହିଥିବା ଜଣାପଡିଛି। ଏହାକୁ ଜଣେ ଜଗି ରହୁଥିବାବେଳେ ରାତିରେ ଏହା ମୁକୁଳା ପଡୁଥିବା ଜଣାପଡିଛି।

ଏନେଇ ଆଇଆଇସି ବାଲେଶ୍ବର ଗିଦ୍ଧି କହିଛନ୍ତି ଯେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅଭିଯୋଗକୁ ଭତ୍ତି କରି ଆମେ ୨୩୯/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲୁ। ତେବେ ଘଟଣାସ୍ଥଳକୁ ବହୁ ଦିଗରୁ ତଦନ୍ତ କରିବାପରେ ଟାଉନ ହଲ ନିକଟରେ କିଛି ଚୋର ଏପରି କରିଥିବା ଅନୁମାନ କରିଥିଲୁ। ଏହାପରେ ପଚରାଉଚରା କରିବା ପରେ ଗୋବବଂଧୁ ନଗରରେ ରହିଥିବା ନାବାଳକଙ୍କ ନିକଟରେ ଏହି ସବୁ ଜିନିଷ ମିଳିଥିଲା। ଏହାପରେ ତାକୁ ପଚରାଉଚରା କରିବା ପରେ ସେ ଓ ତାଙ୍କର ଜଣେ ସହଯୋଗୀ ଟାଉନହଲକୁ ପଶି ଚୋରି କରିଥିବା ମାନିଥିଲେ। ଆଜି ତାଙ୍କଠାରୁ ଜିନିଷପତ୍ର ଜବତ କରାଯାଇଥିବାବେଳେ ଅନ୍ୟଜଣେ ସହଯୋଗୀ ଚୋରି ମାମଲାରେ ଜେଲରେ ରହିଥିବାରୁ ତାଙ୍କୁ ରିମାଣ୍ଡରେ ଆଣାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର