ଶଙ୍କରାଖୋଲରେ ପୁଣି ମାତିଲେ ଲୁଟେରା, ମୋବାଇଲ୍ ଦୋକାନରେ ବୁଲାଇଲେ କଳାକନା

ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଶଙ୍କରାଖୋଲରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି। ପୁଲିସ ପ୍ରଶାସନ ଚୋରଙ୍କୁ ଧରିବାରେ ଅସଫଳ ହେଉଥିବାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଗତକାଲି ସ୍ଥାନୀୟ ମୋବାଇଲ୍ ଦୋକାନୀ ସନ୍ତୋଷ ଚିନରାଙ୍କ ଦୋକାନରୁ ଚୋରମାନେ କଳାକନା ବୁଲାଇଛନ୍ତି। ଗୋଟିଏ ଆଣ୍ଡ୍ରଏଡ଼୍ ମୋବାଇଲ୍, ୩ଟି ହୋମ୍ ଥିଏଟର୍, ଗୋଟିଏ ବ୍ଲୁଟୁଥ୍ ଓ ୧ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ସନ୍ତୋଷ ଥାନାରେ ଅଭିଯୋଗ କରିବା ପରେ ଟିକାବାଲି ପୁଲିସ ଆଜି ଫୁଲବାଣୀର ସନ୍ଧାନୀ କୁକୁର ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନା ଥାଉକି କିଛି ଦିନ ପୂର୍ବେ ଉକ୍ତ ମୋବାଇଲ୍ ଦୋକାନରୁ ଚୋରି କରିବା ପାଇଁ ଚାରିଜଣ ଦୁର୍ବୃତ୍ତ ଆସିଥିଲେ। ତେବେ ସେମାନେ ଦୋକାନର ତାଲା ଭାଙ୍ଗି ନପାରିବାରୁ ପାଖରେ ଥିବା ଏସବିଆଇ୍ ମିନି ବ୍ୟାଙ୍କର ତାଲା ଭାଙ୍ଗି କିଛି ଟଙ୍କା ଚୋରାଇ ନେଇଥିଲେ। ପରେ ଟିକାବାଲି ଥାନାରେ ବିଷ୍ଣୁ ଚରଣ ବଗର୍ତ୍ତୀ ଅଭିଯୋଗ କରିବା ପରେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ୍ କରାଯାଇଥିଲା। ଯେଉଁଥିରେ ଚାରିଜଣ ଦୁର୍ବୃତ୍ତଙ୍କ ଫୋଟ ସମ୍ନାକୁ ଆସିଥିଲା। ତେବେ କିଛି ଦିନ ପରେ ସ୍ଥାନୀୟ ହୋମିଓପାଥି ଚିକିତ୍ସକଙ୍କ ଘରୁ ଚୋରି ହୋଇଥିଲା। ରାତିରେ ଦୁଇ ଜଣ ହୋମଗାର୍ଡ଼୍ କାର୍ଯ୍ୟରତ ଥିଲେ ମଧ୍ୟ ଚୋରି ଉପରେ ଅଙ୍କୁଶ ଲାଗି ପାରୁ ନାହିଁ। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଚୋରଙ୍କୁ ଧରିବାରେ ପୁଲିସ ସଫଳ ନହେଲେ ଜନସାଧାରଣ ଓ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର