ଗଞ୍ଜାମ ଜିଲାକୁ ଫେରିଲେଣି ୧ଲକ୍ଷ ୩୬ହଜାର ପ୍ରବାସୀ: ଘରୋଇ ସଙ୍ଗରୋଧରେ ୯୮ହଜାର, ତଦାରଖ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ

ବ୍ରହ୍ମପୁର: ଲକ୍‌ଡାଉନ୍‌ କଟକଣା କୋହଳ ପରେ ରାଜ୍ୟ ବାହାରୁ ଗଞ୍ଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୬ହଜାର ପ୍ରବାସୀ ଓଡ଼ିଆ ଫେରିଲେଣି। ଜୁନ ‌‌ଶେଷ ପର୍ଯ୍ୟନ୍ତ ପ୍ରବାସୀ ଓଡ଼ିଆ ଫେରିବା ପ୍ରକ୍ରିୟା ଜାରି ରହିବ। ବର୍ତ୍ତମାନ ଜିଲ୍ଲାରେ ୯୮ହଜାର ପ୍ରବାସୀ ୧୪ ଦିନିଆ ଘରୋଇ ସଙ୍ଗରୋଧରେ ରହିଛନ୍ତି। ଏହାକୁ ଦେଖିଲେ ଜୁନ୍‌ ମାସ ଜିଲ୍ଲା ପାଇଁ ଘଡ଼ିସନ୍ଧିର ସମୟ। ଆନୁଷ୍ଠାନିକ ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ଅପେକ୍ଷା ଘରୋଇ ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ତଦାରଖ ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି। ଘରୋଇ ସଙ୍ଗରୋଧରେ ରହିଥିବା ପ୍ରବାସୀ ଯଦି ଠିକ୍ ଭାବେ ସଙ୍ଗରୋଧ ନିୟମ ପାଳନ ନ କରନ୍ତି କିମ୍ବା ତାଙ୍କ ଠାରେ ଲକ୍ଷଣ ଦେଖାଯାଏ ଆଉ ସେମାନେ ତାହାକୁ ଲୁଚାଇ ରଖି ଅବହେଳା କରନ୍ତି, ତେବେ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି। ପ୍ରବାସୀ ‌ଯେଭଳି ଠିକ୍‌ ଭାବେ ଘରୋଇ ସଙ୍ଗରୋଧ ଅବଧି ମାନି ଚଳିବେ ସେଥି ପ୍ରତି ପ୍ରଶାସନ ଗୁରୁତ୍ବ ଦେଉଛି।
ଇତିମଧ୍ୟରେ ଗଞ୍ଜାମକୁ ବିଭିନ୍ନ ରାଜ୍ୟରୁ ୧୦୦ରୁ ଅଧିକ ଟ୍ରେନ୍‌, ୩ ଶହରୁ ଅଧିକ ବସ୍‌ ଯୋଗେ ଜିଲ୍ଲାକୁ ୧ଲକ୍ଷ ୩୬ହଜାର ପ୍ରବାସୀ ଓଡ଼ିଆ ଆସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ହଟସ୍ପଟ୍ ଗୁଜୁରାଟ, ମହାରାଷ୍ଟ୍ର ଫେରନ୍ତାଙ୍କ ସଂଖ୍ୟା ଅଧିକ। ପ୍ରବାସୀ ଓଡ଼ିଆଙ୍କୁ ଜିଲ୍ଲାରେ ପ୍ରାୟ ୩ହଜାର ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଆନୁଷ୍ଠାନିକ ସଙ୍ଗରୋଧ ସାରି ୧୪ଦିନିଆ ଘରୋଇ ସଙ୍ଗରୋଧରେ ବର୍ତ୍ତମାନ ୯୮ହଜାର ଥିବା ବେଳେ ପ୍ରାୟ ୩୮ ହଜାର ଆନୁଷ୍ଠାନିକ ସଙ୍ଗରୋଧରେ ରହିଛନ୍ତି। ଗତକାଲି ସୁଦ୍ଧା ବ୍ରହ୍ମପୁର ପୁଲିସ ଜିଲ୍ଲାର ୨୨୬ଟି ସଙ୍ଗରୋଧ କେନ୍ଦ୍ରରେ ୫୭୬୧ଜଣ ଥିଲେ। ବାକି ଗଞ୍ଜାମ ପୁଲିସ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରରେ।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨ରୁ ୩ଟି ପଞ୍ଚାୟତକୁ ନେଇ ପୁଲିସ ପାଟ୍ରୋଲିଂ ଟିମ୍‌ ଗଠନ ହୋଇଛି। ଦ୍ବିତୀୟରେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଘରୋଇ ସଙ୍ଗରୋଧରେ ରହିଥିବା ପ୍ରବାସୀଙ୍କ ଉପସ୍ଥାନ ଓ ଗତିବିଧି ଯାଞ୍ଚ୍‌ ଦାୟିତ୍ବ ଦିଆଯାଇଛି। ଏଥିସହ ଜିଲ୍ଲା ଓ ବ୍ଲକ୍‌ ସ୍ତ‌ରରେ କଲ୍‌ ସେଣ୍ଟର୍‌ରୁ ସଙ୍ଗରୋଧରେ ରହିଥିବା ପ୍ରବାସୀ ଓ ଗ୍ରାମର କିଛି ଲୋକଙ୍କୁ ଫୋନ୍‌ କରି ତଦାରଖ କରାଯାଉଛି। ପ୍ରବାସୀ ୭ଦିନ ସଙ୍ଗରୋଧ ସାରିବା ପରେ ୧ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଛି। ଘରୋଇ ସଙ୍ଗରୋଧ ୧୪ ଦିନ ସାରିବା ପରେ ବାକି ୧ହଜାର ଟଙ୍କା ଦିଆଯିବା ବ୍ୟବସ୍ଥା ହୋଇଛି। ଘରୋଇ ସଙ୍ଗରୋଧରେ ରହିଥିବା କୌଣସି ପ୍ରବାସୀଙ୍କ ଠାରେ ଏଯାବତ୍‌ କରୋନା ଲକ୍ଷଣ ଚିହ୍ନଟ ହୋଇନାହିଁ।
ଜିଲ୍ଲାରେ ଗତ କିଛି ଦିନ ହେଲା ନୂତନ କରୋନା ପଜିଟିଭ୍‌ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଥିବା ବେଳେ ଗତ ଦୁଇଦିନ ହେଲା ସଂଖ୍ୟା ପୁଣି ବଢିଛି। ଆଜି ଗୋଟିଏ ଦିନରେ ୨୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି, ଆକ୍ଟିଭ କେସ୍‌ ଜିଲ୍ଲାରେ ୧୧୩ ଥିବା ବେଳେ ୩୩୮ ଜଣ ସୁସ୍ଥ ହୋଇଛନ୍ତି। ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥ ହାର ଜିଲ୍ଲାରେ ଭଲ ରହିଛି। ଜିଲ୍ଲାରେ ଯେଉଁମାନେ ବି ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ତାଙ୍କ ସ୍ପଂସର୍ଶରେ ଆସୁଥିବା ଲୋକଙ୍କ ପରୀକ୍ଷା କରାଯାଉଛି। ଅଧିକାଂଶଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ତେଣୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଏହା ମଧ୍ୟରେ ଜିଲ୍ଲାରେ କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଇଛି। ଏଥିସହ ସେମାନଙ୍କ ପରିବାର ପ୍ରତି ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିଛି।
କରୋନା ଚେନ୍‌ ଭାଙ୍ଗିବା ଲାଗି ସ୍ବଚ୍ଛତା ରକ୍ଷା, ସଚେତନତା ଓ ସାମାଜିକ ଦ୍ବରତ୍ବ ମୁଖ୍ୟ ଅସ୍ତ୍ର। ଜିଲ୍ଲାବାସୀଙ୍କୁ ସଚେତନ କରିବା ଲାଗି ମୋ ସ୍ବାସ୍ଥ୍ୟ ମୋ ଦାୟିତ୍ବ କାର୍ଯ୍ୟକ୍ରମ ଜରିଆରେ ୪୦ହଜାର ଲୋକଙ୍କୁ କୋଭିଡ଼-୧୯ ସଂକ୍ରାନ୍ତରେ ପ୍ରଶିକ୍ଷଣ ଓ ସଚେତନ କରାଯିବ। ସେମାନେ ଗ୍ରାମସ୍ତରରେ ଲୋକଙ୍କୁ ସଚେତନ କରିବେ। ଏଣିକି ମାସ୍କ୍‌ ନ ପିନ୍ଧିଲେ ଏବଂ ରାସ୍ତାରେ ଛେପ ପକାଇଲେ ୫ଶହ ଟଙ୍କା ଜରିମାନା ଆଦାୟ ହେବ। ତୃତୀୟ ଥର ଖିଲାପ କଲେ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଘରୋଇ ସଙ୍ଗରୋଧରେ ରହିଥିବା ଲୋକଙ୍କ ପ୍ରତି ବିଶେଷ ଗୁରୁ୍ତ୍ବ ଦିଆଯାଉଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ କହିଛନ୍ତି, ଲକ୍‌ଡାଉନ୍‌ କଟକଣାକୁ କଡାକଡ଼ି ପାଳନ କରାଯିବ। ଶନିବାର ଓ ରବିବାର ଜିଲ୍ଲାରେ ସଟ୍‌ଡାଉନ୍‌ କିଭିଳି ଠିକ୍‌ ଭାବେ ପାଳନ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ କଟକଣା ଖିଲାପ କଲେ ଜରିମାନା ଆଦାୟ ହେବ।
ସମ୍ବନ୍ଧିତ ଖବର