୧.୪୫ କୋଟି ଟଙ୍କା ହଡପ କରି ଫେରାର ଥିବା ମହିଳା ନାଜିର ଛତିଶଗଡରେ ଗିରଫ

୨୬.୮୭ ଲକ୍ଷ ଟଙ୍କାର ଏକାଉଣ୍ଟ ସିଜ୍‌

ନବରଙ୍ଗପୁର: ସରକାରୀ ତହବିଲ୍‌ରୁ ୧.୪୫ କୋଟି ଟଙ୍କା ହଡପ କରି ୪ମାସ ହେବ ଫେରାର ମହିଳା ନାଜିର ଚନ୍ଦନା ମଣ୍ଡଳଙ୍କୁ ଶେଷରେ ଛତିଶଗଡରେ ବାନ୍ଧିଲା ପୁଲିସ। ମହିଳା ନାଜିରଙ୍କ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟରେ ଥିବା ୨୭ ଲକ୍ଷ ୮୭ ହଜାର ଟଙ୍କା କୁ ଫ୍ରିଜ୍‌ କରିଛି ପୁଲିସ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ପକ୍ଷରୁ ଡାବୁଗାଁ ଥାନାରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡପ ହୋଇଥିବା ନେଇ ଗତ ମଇ ୨୯ ତାରିଖରେ ଏତଲା ଦେବା ପରେ ଡାବୁଗାଁ ପୁଲିସ ଚନ୍ଦନାଙ୍କୁ ଡାକି ପଚରାଉଚରା କରିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର ଓ ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ ହେପାଜତରୁ ଡାକ୍ତରଖାନା ଯାଇଥିଲେ ମଧ୍ୟ ପୁଲିସ ଚନ୍ଦନାଙ୍କ ଉପରେ ନଜର ରଖିବା କଥା। କିନ୍ତୁ ଡାକ୍ତରଖାନା ଯିବା ପରେ ପୁଲିସର ନଜର ହଟିବା ପରେ ସେ ତା ପର ଠାରୁ ଫେରାର ହୋଇଯାଇଥିଲେ। ତାଙ୍କ କୌଣସି ସନ୍ଧାନ ନମଳିବା ପରେ ତାଙ୍କୁ ଠାବ କରିବା ପାଇଁ ଜିଲ୍ଲା ପୁଲିସର ସାଇବର ଟିମ୍‌ ଦ୍ଵାରା ତନାଘନା କରାଯାଇଥିଲା। ଶେଷରେ ଗତକାଲି ଜିଲ୍ଲା ପୁଲିସର ଏକ ଟିମ୍‌ ଡାବୁଗାଁ ଯାଇ ନାଜିର ଚନ୍ଦନା ମଣ୍ଡଳଙ୍କ ବାସଭବନ ଓ ଦୋକାନରେ ଚଢ଼ାଉ କରିବା ସହ ତାଙ୍କ ପୁଅ ଓ ଝିଅକୁ ଥାନାକୁ ଡାକି ପଚରା ଉଚରା କରିଥିଲେ। ତାଙ୍କ ପୁଅ ଓ ଝିଅଙ୍କୁ ପଚରାଉଚରା ସମୟରେ ତାଙ୍କ ସନ୍ଧାନ ମିଳିଥିଲା।

ଗତକାଲି ରାତିରେ ହିଁ ଜିଲ୍ଲା ପୁଲିସ ପ୍ରଥମେ ଛତିଶଗଡ ପୁଳିସର ସହାୟତାରେ ଜଗଦଲପୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଶେଷରେ ଆଜି ଭୋର ୬.୩୦ ମିନିଟ ସମୟରେ ଛତିଶଗଡର ଦନ୍ତେୱାଡା ଜିଲ୍ଲା ବରସୁର ଥାନା ଅନ୍ତର୍ଗତ ଇଟାଭଟା ଗ୍ରାମରୁ ଠାବ କରି ନବରଙ୍ଗପୁରକୁ ଆଣିଥିଲେ।

ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ପି.ଏସ୍‌.ପୁରୁଷୋତ୍ତମ ଦାସ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଥିଲେ ଚନ୍ଦନା ମଣ୍ଡଳ ଡାବୁଗାଁ ତହସିଲରୁ ଚଞ୍ଚକତା କରି ୧.୪୫ କୋଟି ଟଙ୍କା ଆତ୍ମସାତ କରିଥିବାର ଅଡିଟ୍‌ରୁ ଜଣାପଡିଥିଲା। ଡାବୁଗାଁ ଥାନାରେ କେସ ନଂ ୯୪/୨୧ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ସେ ଫେରାର ଥିଲେ। ତାଙ୍କ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟରେ ଥିବା ୨୭ ଲକ୍ଷ ୮୭ ହଜାର ଟଙ୍କାର ଏକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଏବେ ବି ତଦନ୍ତ ଚାଲୁ ରହିଛି। ଆବଶ୍ୟକ ହେଲେ ପୁଣି ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। ତାଙ୍କର ସମ୍ପତ୍ତି ଠାବ କରିବା ନେଇ ରାଜସ୍ୱ ବିଭାଗ ଓ ପରିବହନ ବିଭାଗକୁ ଚିଠି କରାଯାଇଛି। ସମସ୍ତ ବ୍ୟାଙ୍କକୁ ତାଙ୍କର ପ୍ରମାଣ ପତ୍ର ଦିଆଯାଇ କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ଏବଂ କେତେ ଟଙ୍କା ନେଣ ଦେଣ କରିଛନ୍ତି ତାର ହିସାବ ମଗାଯାଇଛି ବୋଲି କହିଥିଲେ।

ପ୍ରକାଶ ଥାଉକି ଡାବୁଗାଁ ତହସିଲରେ ନାଜିର ଭାବେ କାର୍ଯ୍ୟରତ ଚନ୍ଦନା ମଣ୍ଡଳ ଗତ ମଇ ମାସରେ ଏକ ବିଲ୍‌ ପାସ କରିବା ପାଇଁ ଗୋଟିଏ ଚାଲାଣ ଫର୍ମ ଧରି ତହସିଲଦାରଙ୍କ ନିକଟକୁ ଯାଇଥିଲେ। ତେବେ ସେହି ଫର୍ମରେ ଏକାଧିକ ଥର ସଂଶୋଧନ ହୋଇ ୬ ଲକ୍ଷ ୭୦ ହଜାର ଟଙ୍କା ଲେଖାଯାଇଥିବାରୁ ସନ୍ଦେହ ହେବାରୁ ସେ ଯାଞ୍ଚ କରିଥିଲେ। ସେହି ସମୟରେ ସେ ଜାଣିବାକୁ ପାଇଲେ ୪ହଜାର ୩ଶହ ଟଙ୍କା ବିଲକୁ ଚଞ୍ଚକତା କରି ୬ ଲକ୍ଷ ୭୦ ହଜାର ଟଙ୍କା କରାଯାଇଥିବା ଜାଣିବାକୁ ପାଇଥିଲେ। ତା ପରେ ତହସିଲଦାର ଉପଜିଲ୍ଲାପାଳଙ୍କ ନଜରକୁ ଆଣିବାରୁ ଉପଜିଲ୍ଲାପାଳ ଭାସ୍କର ରଇତ ୧୨ ଜଣିଆ ଟିମ୍‌ ଗଠନ କରି ତହସିଲ କାର୍ଯ୍ୟାଳୟର ବିଲ୍‌ ଓ ଭାଉଚର ଗୁଡିକୁ ଯାଞ୍ଚ କରିବା ପରେ ବ୍ୟାପକ ପରିମାଣର ସରକାରୀ ଅର୍ଥ ହେରଫର ହୋଇଥିବା ନେଇ ଜଣାପଡିଥିଲା। ଅଡିଟ୍‌ ପରେ ହଡପ ଅର୍ଥର ପରିମାଣ ୧.୪୫ କୋଟିକୁ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର