ଖରିଫ୍ ପାଗଭିଡ଼ା, ଗଞ୍ଜାମରେ ୧.୯୯ ଲକ୍ଷ ହେକ୍ଟର୍ ଜମିରେ ଧାନଚାଷ 

ଛତ୍ରପୁର : ଜ୍ୟେଷ୍ଠ ସରି ଆଷାଢ଼ ଆରମ୍ଭ ହୋଇସାରିଥିବା ବେଳେ ଅନୁକୂଳ ପାଗ ଯୋଗୁଁ ଚାଷ ପାଇଁ ଜମି ବି ପ୍ରସ୍ତୁତ ହୋଇଛି। ବିହନ ବଣ୍ଟା ହୋଇଥିବା ବେଳେ ସାର ବି ମହଜୁଦ୍ ଅଛି। କିନ୍ତୁ କରୋନା ମହାମାରୀର ପ୍ରାଦୁର୍ଭାବ ହେତୁ ଚଳିତ ବର୍ଷ ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ବୈଠକ ବସି ପାରୁ ନ ଥିଲା। ଶେଷରେ ଆଜି ଛତ୍ରପୁର ଠାରେ ଭିଡ଼ିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ବୈଠକ ବସିଛି। ବିହନ ଓ ସାର ମହଜୁଦ୍ ରଖି ଚାଷୀ ଯେମିତି ଅସୁବିଧାରେ ନପଡ଼ିବେ, ଏଥିପ୍ରତି ଦୃଷ୍ଟି ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରି ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ସବୁ ଚାଷୀ ଯେଭଳି ବିହନ ଓ ସାର ପାଇବେ ତାହା ନିଶ୍ଚିତ କରାଇବାକୁ କୃଷି ଓ ସମବାୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଜିଲ୍ଲାରେ ଫାର୍ମ ପଣ୍ତ୍ ନ ଖୋଲି ଗଭୀର ନଳକୂପ ଖନନ ଉପରେ ଗୁରୁତ୍ବ ଦେବାକୁ କୃଷି ବିଭାଗକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଖରିଫ୍ ଋତୁରେ ଜିଲ୍ଲାରେ ୧୫୨୬.୩୭ କୋଟି ଟଙ୍କା କୃଷିଋଣ ବାବଦକୁ ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨ ଲକ୍ଷ ୩୪ ହଜାର ୮୪୨ ଚାଷୀଙ୍କୁ ଋଣ ଦିଆଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଚଳିତ ବର୍ଷ ଜିଲ୍ଲାରେ ୪ ଲକ୍ଷ ୮ ହଜାର ୮୧୭ ହେକ୍ଟର୍ ଜମିରେ ଫସଲ ଅମଳ ହେବ।ଏଥିମଧ୍ୟରୁ ୧ ଲକ୍ଷ ୯୯ ହଜାର ହେକ୍ଟର୍ ଜମିରେ କେବଳ ଧାନ ଏବଂ ୧୬ ହଜାର ୯୬ ହେକ୍ଟର୍ ଜମିରେ ଧାନ ଜାତୀୟ ଫସଲ ଅମଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ୪୫ ହଜାର ୫୮୮ ହେକ୍ଟର୍ ଜମିରେ ଡାଲି ଜାତୀୟ ଫସଲ, ୨୦ ହଜାର ୨୨୯ ହେକ୍ଟର୍ ଜମିରେ ତୈଳ ଜାତୀୟ, ୯୧ ହଜାର ୫୭୬ ହେକ୍ଟର୍ ଜମିରେ ପନିପରିବା ଜାତୀୟ, ୪ ହଜାର ୧୦ ହେକ୍ଟର୍ ଜମିରେ କପା, ୪ ହଜାର ୩୬୬ ହେକ୍ଟର୍ ଜମିରେ ମସଲା ଜାତୀୟ ଏବଂ ୨୬୭୫ ହେକ୍ଟର୍ ଜମିରେ ଆଖୁ ଚାଷ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ୩ ଲକ୍ଷ ୨ ହଜାର ୪୨୬ ହେକ୍ଟର୍ ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯିବ ବୋଲି ଜଳସେଚନ ବିଭାଗ ତଥ୍ୟ ରଖିଛି।

ଚଳିତ ବର୍ଷ ଜିଲ୍ଲାରେ ୫୫ ହଜାର ୫୦୦ କ୍ବିଣ୍ଟାଲ୍ ଧାନ ବିହନ ମହଜୁଦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୭ ପଏଣ୍ଟରେ ୪୩. ୭୨୯ କ୍ବିଣ୍ଟାଲ୍ ବିହନ ବଣ୍ଟନ ହୋଇଛି। ସେହିପରି ୩୩ ହଜାର ମେଟ୍ରିକ୍ ଟନ୍ ସାର ମହଜୁଦ ଅଛି। ଆଜି ୨୯୦୦ ମେଟ୍ରିକ୍ ଟନ୍ ସାରର ଆଉ ଏକ ରେକ୍ ବନ୍ଦରରେ ଲାଗିଥିବା ବୈଠକରେ ଆଲୋଚନା ହୋଇଛି। ଫସଲବୀମା ପାଇଁ ଏବେ ସୁଦ୍ଧା କୌଣସି କମ୍ପାନିକୁ ସ୍ଥିର କରାଯାଇ ନାହିଁ। ଅଧିକରୁ ଅଧିକ ଚାଷୀ ଯେଭଳି ଫସଲବୀମା ପାଇଁ ଆବେଦନ କରିବେ ତାହା ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡିଆରସିଏସ୍‌ ବିଶ୍ବରଞ୍ଜନ ଦାଶ, ଏଲ୍‌ଡିଏମ୍ ଅଶୋକ କୁମାର ପଣ୍ତା ଓ ନାବାର୍ଡ ଏଜିଏମ୍ ସଞ୍ଜିବ୍ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର