ସତ୍ୟଙ୍କ ସାଧନା: ନିର୍ମାଣ କଲେ ୧ମି.ମି. ଉଚ୍ଚର ରଥ 

ବ୍ରହ୍ମପୁର: ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ଯାହାର ଉଚ୍ଚତା ମାତ୍ର ୧ମି.ମି.। ଶିଳ୍ପୀ ସତ୍ୟ ମହାରଣା ଏଭଳି ଏକ କ୍ଷୁଦ୍ର ରଥ ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି। ସପ୍ତାହେ ହେଲା ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିଥିଲେ। ଗତବର୍ଷ ବାହୁଡ଼ା ଯାତ୍ରା ଅବସରରେ ସେ ୧.୪ସେମିର ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନିତ ନିଜର ଏହି କୀର୍ତ୍ତିମାନକୁ ଭାଂଗିବା ପାଇଁ ଚାରଦିନ ତଳେ ପ୍ରୟାସ କରି ୧.୩ସେମିର ଏକ ରଥ ନିର୍ମାଣ କରିଥିଲେ। ଗତକାଲି ୩ମିମି ଉଚ୍ଚର ରଥ ନିର୍ମାଣ କରିଥିଲେ। ଆଜି ପ୍ରଭୁଙ୍କ ଆଶିଷରୁ ୧ମିମି ଉଚ୍ଚର ରଥ ନିର୍ମାଣ କରିବାରେ ସକ୍ଷମ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏହାର ଓସାର ମଧ୍ୟ ୧ମିମି ରହିଛି। ଏହି ରଥକୁ ରେକର୍ଡ଼ ବୁକ୍‌ରେ ସ୍ଥାନିତ ପାଇଁ ଆସନ୍ତାକାଲି ଆବେଦନ କରିବେ ବୋଲି କହିଛନ୍ତି।

ସବୁବେଳେ କିଛି ଭିନ୍ନ କରିବାର ପ୍ରୟାସ କରନ୍ତି ଶିଳ୍ପୀ ସତ୍ୟ ମହାରଣା। ଯାହାକି ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ କରିବାର ଲକ୍ଷ୍ୟ ରଖି ୨୦୧୬ମସିହାରେ ପ୍ରଥମ ପ୍ରୟାସ କରି ୧୪ଇଞ୍ଚ ଉଚ୍ଚତା ବିଶିଷ୍ଟ କ୍ଷୁଦ୍ର ରଥଟିଏ କରିବାରେ ସକ୍ଷମ ହୋଇଥିଲେ। ଯାହାକି ଅବିକଳ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଳି ହୋଇଥିଲା। ଏଥିରେ ଉତ୍ସାହିତ ହୋଇ ଗୋଟିଏ ପରେ ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ରଥ ନିର୍ମାଣ କରିବାରେ ଲାଗି ପଡ଼ିଥିଲେ। ଶ୍ରୀଜଗନ୍ନାଥଙ୍କ ଅଶେଷ କରୁଣାରୁ ଆଜି ସେ ରଥର ଆକାରକୁ ସ୍କେଲ୍‌ର ପ୍ରଥମ ଦୁଇ ଗାର ମଧ୍ୟରେ ସୀମିତ ରଖିବାକୁ ସକ୍ଷମ ହୋଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର