ଭଦ୍ରକ/ ରାଣୀତାଲ , ୨୧/୪(ଇମିସ): ଭଦ୍ରକ ଜିଲ୍ଲାରେ ଆଜି ପୁଣି ୩୧୦ ଗ୍ରାମର ବ୍ରାଉନ୍ ସୁଗାର ଜବତ ହୋଇଛି। ଯାହା ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଚଢାଉ କରି ରାଣୀତାଲ ନିକଟରୁ ଏଇ ଚୋରା ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତ ହେଲେ ସଂଜୟ ମଲ୍ଲିକ ଓ ଶ୍ରୀକାନ୍ତ ଦାସ। ଏଇ ଦୁଇ ଚୋରା ବେପାରୀ ଦୀର୍ଘ୍ୟ ଦିନ ହେଲା ବ୍ରାଉନ୍ ସୁଗାର ବେପାର ଚଳାଇ ଆସିଛନ୍ତି। ଏମାନେ ଜଳେଶ୍ବର ପାର୍ଟିଙ୍କଠାରୁ ବ୍ରାଉନ୍ ସୁଗାର ଆଣି ଭଦ୍ରକର ବିଭିନ୍ନ ସ୍ଥାନରେ ବେପାର କରୁଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ବ୍ରାଉନ ସୁଗାର ବେପାରୀଙ୍କ ଉପରେ ଚଢାଉ କରିଥିଲେ।
ଅତର୍କିତ ଭାବେ ଚଢାଉ କରାଯିବା ବେଳେ ରାଣୀତାଲ ବଜାର ନିକଟରୁ ଏଇ ଦୁଇ ଚୋରା ବେପାରୀଙ୍କୁ ପୁଲିସ କାବୁ କରି ନେଇଥିଲା। ଏମାନଙ୍କ ନିକଟରୁ ଏକ ବାଇକ ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି। ଏଇ ବ୍ରାଉନ୍ ସୁଗାର ବେପାରୀଙ୍କର ଅନ୍ୟ ଜିଲ୍ଲାରେ ମଧ୍ୟ ଲିଙ୍କ୍ ରହିଥିବା ନେଇ ଭଦ୍ରକ ଏସପି ଶ୍ରୀ ମୀନା ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଭଦ୍ରକ ଜିଲ୍ଲାରେ ଏବେ ମାତିଛନ୍ତି ବ୍ରାଉନ୍ ସୁଗାର ବେପାରୀ। ଏଇ ବ୍ରାଉନ୍ ସୁଗାର ବେପାରୀ ବାଙ୍ଗଲାଦେଶରୁ ବ୍ରାଉନ୍ ସୁଗାର ଆଣି ଜଳେଶ୍ବର ଦେଇ ବାଲେଶ୍ବର, ବାରିପଦା ଓ ଭଦ୍ରକ ସହରରେ ନିଜର ବେପାର ଜମେଇ ଦେଇଛନ୍ତି। କବେଳ ଭଦ୍ରକ ଜିଲ୍ଲା ନୁହେଁ ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାରେ ନିଜର ନେଟୱାର୍କ ଜମେଇ ଥିବା ପୁଲିସକୁ ସୂଚନା ମିଳିଛି।
ପୁଲିସ ଏଇ ଡ୍ରଗସ୍ ବେପାରୀଙ୍କର କଳା କାରନାମା ସଂପର୍କରେ ଅଧିକ କିଛି ପ୍ରମାଣ ପାଇବା ପରେ ଏମାନଙ୍କର ସମଗ୍ର ନେଟ୍ ୱାର୍କ ଉପରେ ନଜର ରଖି ବିଭିନ୍ନ ସମୟରେ ଚଢାଉ ଆରମ୍ଭ କରିଛି। ଭଦ୍ରକ ଏସପି ଶ୍ରୀ ମୀନାଙ୍କୁ ନିର୍ଦ୍ଦେଶରେ ଜିଲ୍ଲାରେ ଡ୍ରଗସ୍ ବେପାରୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ମାସିକ କୋଟି କୋଟି ଟଙ୍କାର ବ୍ରାଉନ୍ ସୁଗାର ବେପାର କରି ଭଦ୍ରକରେ ନିଜର କାୟା ବିସ୍ତାର କରିଥିବା ଡ୍ରଗସ୍ ମାଫିଆଙ୍କୁ ଧରିବା ପାଇଁ ଏସପି ଜାଲ ବିଛାଇଛନ୍ତି। ଏଇ ଜାଲରେ ଅନେକ ମାଫିଆ ପଡି ସାରିଥିବା ବେଳେ ସେମାନଙ୍କୁ ଜେଲ ହାଜତ ଭିତରେ ରଖାଯାଇଛି। ଆଉ ଯେଉଁମାନେ ବି ଏଇ ବେପାରରେ ରହିଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଭଦ୍ରକ ଏସପି ଏହା ପ୍ରକାଶ କରିଛନ୍ତି।