ଝାରସୁଗୁଡ଼ା: ବଡ଼ମାଳ ଥାନା ଅନ୍ତର୍ଗତ ବେଦାନ୍ତରେ କାର୍ଯ୍ୟରତ ଜମ୍ମୁ କଶ୍ମୀରର ଶୈଳା ନାମକ ଜଣେ ଯୁବତୀଙ୍କଠାରୁ ସାଇବର ଲୁଟେରା ୧ ଲକ୍ଷ ୧୪୨ ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବଡ଼ମାଳ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ସୋମବାର ଶୈଳାଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଯେଉଁଥିରେ‌ ତାଙ୍କର ଆଇସିଆଇସିଆଇ କ୍ରେଡିଟ୍‌ କାର୍ଡ ବନ୍ଦ ହୋଇଯିବ ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା। ଏହାର ସମାଧାନ ପାଇଁ ଦିଆଯାଇଥିବା ଲିଙ୍କ୍‌ରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ତାଙ୍କୁ କୁହାଯାଇ ଥିଲା।

Advertisment

ଏହାପରେ ମୋବାଇଲ୍‌କୁ ଆସିଥିବା ଆଇସିଆଇସିଆଇ ଡଟ୍‌ ଏପିକେ ନାମକ ଏକ ଆପ୍ଲିକେସନକୁ ସେ ଡାଉନ୍‌ଲୋଡ୍‌ କରିଥିଲେ। ଏହାପରେ ତାଙ୍କ କ୍ରେଡିଟ୍‌ କାର୍ଡରୁ ୧ ଲକ୍ଷ ୧୪୨ ଟଙ୍କା କଟି ଯାଇଥିଲା। ସେ ଠକେଇର ଶିକାର ହୋଇଥିବା ଜାଣି ମଙ୍ଗଳବାର ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ। ସେହିପରି ବଡ଼ମାଳ ଥାନାଞ୍ଚଳରେ ଆଉ ୨ଟି ସାଇବର ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଉଭୟ ଘଟଣାରେ ସାଇବର ଲୁଟେରା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସଦର ଥାନାଞ୍ଚଳରେ ରହୁଥିବା ବିଳାସପୁରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ସମାନ ଉପାୟରେ ୪୦ ହଜାର ଟଙ୍କା କଟିଥିବା ଜଣାପଡ଼ିଛି। ମାତ୍ର ଖବର ଲେଖାହେବା ଯାଏଁ ଏହି ଅଭିଯୋଗଗୁଡ଼ିକ ନେଇ ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।