ଜଗା ଖାଉଛନ୍ତି ଟଙ୍କାକିଆ ଚାଉଳ: ଓଳିଏକୁ ୧୫ଟଙ୍କା

ଜୟପୁର: ରାଜରାଜୁଡା ଅମଳରେ ଠାକୁରଙ୍କୁ ଯେଭଳି ନିତୀକାନ୍ତି ସହ ପୂଜା କରିବା ସହ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ  ଭୋଗରାଗ ଲଗାଯାଉଥିଲା। ସମୟ ବଦଳିବା ସହ ଏବେ ଆଉ ସେଭଳି ଭୋଗରାଗ ହେଉନି। ପରିସ୍ଥିତି ଏବେ ଏମିତି ହୋଇଛି ଯେ ଶେଷରେ ଜୟପୁରର ଜଗନ୍ନାଥ ମନ୍ଦିରର ଜଗାଙ୍କୁ ବି ଟଙ୍କାକିଆ ଚାଉଳ ଖାଇବାକୁ ପଡୁଛି। କେବଳ (ଜଗା)ଜଗନ୍ନାଥ ନୁହେଁ ତା ସାଙ୍ଗକୁ ଜୟପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀ, ନାରାୟଣ,  ପଂଚାନନ, ହଟକେଶ୍ବର, ରଘୁନାଥ, ମା’ଦକ୍ଷିଣ କାଳିକା, ନୀ‌ଳକଣ୍ଠେଶ୍ବର, ଚୈତନ୍ୟ, ବାଲାଜୀ, ଗୋପିନାଥ, ରସିକଶିରୋମଣି, କୁଜଂ ବିହାରୀ, ରାଧାକାନ୍ତ, ରାଧାମାଧବ, ଲୋକେଶ୍ବର, କପିଳେଶ୍ବର, ଡଙ୍ଗରଦେବୀ, ଗଙ୍ଗାଦେବୀଙ୍କ ସହ ବାବା ଗୁପ୍ତେଶ୍ବର ସବୁ ଦେବାଦେବୀ ମାନେ ବି ଏହି ଟଙ୍କା କିଆ ଚାଉଳ ଖାଇବାକୁ ବାଧ୍ୟ ହୋଇଛନ୍ତି। ଦେବୋତ୍ତର ବିଭାଗର ନିଷ୍ପତି ଯୋଗୁଁ ଏଭଳି ଖାଇବାକୁ ବାଧ୍ୟ ହେଉଛନ୍ତି।

ଜୟପୁର ଦେବତ୍ତୋର ବିଭାଗ ଅଧିନରେ ଜୟପୁର ସହରର ୨୦ଟି ମନ୍ଦିର ସହ ଜାମୁଣ୍ଡା, ସମଦାସପୁଟ, ସଲଫା, କଣ୍ଡାପୁଟ, ରାମଗିରୀ, ଗୁପ୍ତେଶ୍ବର ଆଦି ୯ଟି ମନ୍ଦିରରେ ଏଭଳି ହିଁ ଭଗବାନ ମାନଙ୍କୁ ଖାଇବାକୁ ଦିଆଯାଉଛି। ଓଳିଏ ଭୋଗ ପାଇଁ ୧୫ଟଙ୍କା ଦିଆଯାଉଛି। ଏହି ୧୫ଟଙ୍କା ମଧ୍ୟରେ ଚାଉଳ, ପନି ପରିବା, ଡାଲି, ଜାଲେଣୀ ଆଦି କରିବାକୁ ପଡ଼ିବ। ତେବେ ଏହି ୧୫ଟଙ୍କା ମଧ୍ୟରେ ‌ଏସବୁ ଆସି ପାରିବ କି ବୋଲି ଜଗନ୍ନାଥ ଓନାରାୟଣ ମନ୍ଦିରର ପୂଜକ ଡମ୍ବୁରୁ ଧର ପଣ୍ଡା ଓ ଭଗବତୀ ମନ୍ଦିରର ପୂଜକ ଧିରେନ୍ଦ୍ର କୁମାର ରଥ ପ୍ରଶ୍ନ କରିଛନ୍ତି। ଜଗନ୍ନାଥ ମନ୍ଦିରରେ ୫ଟି ଲେଖାଏଁ ୨ ଓଳିରେ ୧୦ଟି ଭୋଗ ଓ ଭଗବତୀ ମନ୍ଦିରରେ ୪ଟି ଲେଖାଏଁ ୮ଟି ଭୋଗ କରାଯାଉଛି ବୋଲି ପୂଜକ ମାନେ କହିଛନ୍ତି। ଏପରିକି ଭଗବତୀ ମନ୍ଦିରରେ ମା’ ସଙ୍କଟ ତାରିଣୀ, ଭୁବନେଶ୍ବରୀ, ଦକ୍ଷିଣକାଳୀ, ସର୍ବମଙ୍ଗଳା, ଗଣେଶ ଓ  ଭଗବତୀ ଆଦିଙ୍କ ପାଇଁ ୭ ପଡି ଭୋଗ କରାଯାଉଛି।

ତେବେ ପୂର୍ବ ନିର୍ଦ୍ଦାରିତ ଅନୁଯାୟୀ ଦେବତ୍ତୋର ବିଭାଗ ପକ୍ଷରୁ ୧୫ଟଙ୍କା ଲେଖାଏଁ ପ୍ରସାଦ ପାଇଁ ପଇସା ଦିଆଯାଉଛି। ସେଭଳି ମାସକୁ ଆଳତୀ ପାଇଁ ୧୪୦ଟଙ୍କା, ଦନା ପାଇଁ ୧୫୪ଟଙ୍କା ଓ ଝାଡୁ ପାଇଁ୫୬ଟଙ୍କା ଦିଆଯାଉଛି  ବୋଲି ଜଣା ପଡିଛି। ଦିନକୁ ୪ଟଙ୍କା ୬୬ପଇସାରେ ଆଳତୀ ହୋଇ ପାରିବ କି ? ସେହିପରି ପୂଜକଙ୍କୁ ମାସକୁ ୧୦୫୬ଟଙ୍କା, ସୁଆର(ରୋଷଇକାର)ଙ୍କୁ ୯୬୦ଟଙ୍କା, ଗୌଡଙ୍କୁ ୬୭୨ଟଙ୍କା, ପାଇକଙ୍କୁ ୫୨୮ଟଙ୍କା ଓ ଚଉକା ଓ ମାଳିଙ୍କୁ ୪୦୮ଟଙ୍କା ଦେଉଥିବା ସୂଚନା ମିଳିଛି। ତେବେ ଏହି ମହରଗ ଯୁଗରେ ମାସକୁ ଏହି ସ୍ବଳ୍ପ ବେତନରେ ନିଜର ପରିବାରକୁ ନେଇଏମାନେ କିଭଳି ଚଳୁଛନ୍ତି ତାହା ସହଜେ ଅନୁମେୟ। କିଛି ମନ୍ଦିରକୁ ଶ୍ରଦ୍ଦାଳୁ ଭକ୍ତ ମାନେ ବହୁତ କମ୍ ସଂଖ୍ୟାରେ ଯାଉଥିବା ବେଳେ, ସବୁ ଭକ୍ତ ଯେ ଦାନ କରିବେ ତାହା ନାହିଁ। ଏହି ସ୍ଥିତିରେ ପୂଜକ ମାନଙ୍କ ପରିବାର ଭୋକ ଉପବାସରେ ଚଳୁଛନ୍ତି। ରାଜରାଜୁଡା ଦ୍ବାରା ପରିଚାଳିତ  ମନ୍ଦିର ଗୁଡିକୁ ରାଜ୍ୟ ସରକାର ୧୯୫୩ମସିହାରେ ନିଜ ଅଧିନକୁ ନେଇଥିଲେ।

୧୯୫୩ମସିହାରୁ ୧୯୯୨ମସିହା ପର୍ଯ୍ୟନ୍ତ ମନ୍ଦିର ପରିଚାଳନା କରିବା ପାଇଁ ସ୍ବତନ୍ତ୍ର ଭାବେ ୨୦ରୁ ୩୫ହଜାର ପର୍ଯ୍ୟନ୍ତ ଅନୁଦାନ ଦେଇ ଆସୁଥିଲେ। ତତ୍କାଳୀନ ରଜା ମାନଙ୍କ ସହ ସରକାର ଏନେଇ ଚୁକ୍ତି ବି କରିଥିଲେ। ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ କରିବା ସହ ପରିଚାଳନା  ପାଇଁ କିଛି ସ୍ବତନ୍ତ୍ର ଅନୁଦାନ ଦେବା ପାଇଁ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିନି ବୋଲି କହିଛନ୍ତି ପୂଜକ ଡମ୍ବୁରୁ ଧର ପଣ୍ଡା। ୧୯୯୩ମସିହାରୁ ଗତ ୩୧ବର୍ଷ ହେବ ମନ୍ଦିର ପରିଚାଳନା ଦେବତ୍ତୋର ବିଭାଗ କରିବା ପର ଠାରୁ ମନ୍ଦିର ଗୁଡିକର ଦୟନୀୟ ଅବସ୍ଥା ସାଙ୍ଗକୁ ମନ୍ଦିରରେ ରାଜା ମାନଙ୍କ ଅମଳରୁ କାମ କରି ଆସୁଥିବା ପୂଜକ, ସ୍ବାର(ରୋଷୟା), ଗୌଡ ଆଦିଙ୍କ ଅବସ୍ଥା ଆଜି ଦୟନୀୟ। ଆମ ଅନିଛା ସତ୍ବେ ଆମେ ୧୫ଟଙ୍କା ମଧ୍ୟରେ ଟଙ୍କାକିଆ ଚାଉଳ ସହ ପନି ପରିବା  , ଡାଲି ଆଦି  ଆଣି ଆଡଜେଷ୍ଟମ୍ୟାଣ୍ଟରେ ପ୍ରସାଦ ଦେଉଛୁ। କେଉଁ ଦିନ କିଛି ଦାନୀ ବ୍ୟକ୍ତି କିଛି ଦାନ ଆକାରରେ ଦେଲେ ସେ ଦିନ ଭଗବାନ ମାନଙ୍କୁ ଘିଅଭାତ ନଥିଲେ ଟଙ୍କା ଖିଆ ଚାଉଲ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର