ଗଞ୍ଜାମରେ ବର୍ଷକରେ ୧୪୨ ନିଖୋଜ ଶିଶୁଙ୍କ ମଧ୍ୟରେ ୪୮ ଶିଶୁ କନ୍ୟା

୪୭ ଜଣଙ୍କ ଏବେ ସୁଦ୍ଧା ପତ୍ତା ନାହିଁ

ବ୍ରହ୍ମପୁର: ନୟାଗଡ଼ ଯଦୁପୁରର ୫ବର୍ଷର ଶିଶୁ କନ୍ୟା ‘ପରୀ’ ଅପହରଣ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ପୁଲିସ ନିଷ୍କ୍ରିୟତା ଲାଗି ଏଭଳି ସ୍ଥିତି ହୋଇଛି। ପରୀ ଭଳି ଶହ ଶହ ନିଷ୍ପାପ ଶିଶୁ ନିଖୋଜ ହେଉଥିଲେ ମଧ୍ୟ ଅନେକ ଘଟଣାରେ ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଯାଉଛି। ଗଞ୍ଜାମ ଜିଲ୍ଲାରେ ନିଖୋଜ ଶିଶୁଙ୍କ ସମ୍ପର୍କିତ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ‘ପରୀ’ ଓ ‘ମୁସ୍କାନ’ ଭଳି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ପ୍ରଭାବହୀନ ହୋଇ ପଡ଼ିଥିବା ଭଳି ମନେ ହେଉଛି। ଚଳିତ ବର୍ଷ ଜାନୁଆରିରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଜିଲ୍ଲାର ୧୪୨ଜଣ ଶିଶୁ ନିଖୋଜ ହୋଇଛନ୍ତି। ସେଥି ମଧ୍ୟରୁ ଅଦ୍ୟାବଧି ୫୭ ଜଣଙ୍କ ପତ୍ତା ମିଳିନି। ଏଥିରେ ୪୮ଜଣ ଶିଶୁ କନ୍ୟା ରହିଛନ୍ତି। ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ୨୪ଜଣ ଏବଂ ଗଞ୍ଜାମ ପୁଲିସ ଜିଲ୍ଲାରୁ ୨୪ଜଣ ଶିଶୁ କନ୍ୟା ନିଖୋଜ ରହିଛନ୍ତି। ଶିଶୁମାନେ କେବେ ଫେରିବେ ତାହାକୁ ନେଇ ସେମାନଙ୍କ ବାପାମାଆମାନେ ଚାତକ ଭଳି ଚାହିଁ ରହିଥିବା ବେଳେ ପୁଲିସ ହାତବାନ୍ଧି ବସିଛି।

ସଂଗୃହୀତ ତଥ୍ୟ ଅନୁଯାୟୀ, ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ଲୋକସଂଖ୍ୟା ଦୃଷ୍ଟିରେ ରଖି ଦୁଇଟି ପୁଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ଜିଲ୍ଲାରେ ଗଞ୍ଜାମ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲା କାର୍ଯ୍ୟ କରୁଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ୨୪ଟି ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୧୨ଟି ଥାନା ରହିଛି। ଅପରାଧ ଦୃଷ୍ଟିକୋଣରୁ ଜିଲ୍ଲା ଅତ୍ୟନ୍ତ ସମ୍ବେଦନଶୀଳ। ଶିଶୁ ନିଖୋଜ ସ୍ଥିତି ମଧ୍ୟ ସଙ୍ଗିନ। ୨୦୧୨ରୁ ୨୦୨୦ ଡିସେମ୍ବର ୧୪ତାରିଖ ସୁଦ୍ଧା ଗଞ୍ଜାମ ପୁଲିସ ଜିଲ୍ଲାରୁ ସମୁଦାୟ ୭୨୯ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ୫୩୩ଟି ମାମଲା ରୁଜୁ ହୋଇଛି। ନିଖୋଜ ଶିଶୁଙ୍କ ମଧ୍ୟରେ ୨୪୧ଜଣ ପୁଅ ଓ ୪୮୮ଜଣ ଝିଅ। ନିଖୋଜ ମଧ୍ୟରୁ ୬୬୮ଜଣ ଉଦ୍ଧାର ହୋଇଛନ୍ତି। ଅଦ୍ୟାବଧି ୬୧ଜଣ ଶିଶୁ ନିଖୋଜ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ପୁଅ ଏବଂ ୫୨ଜଣ ଝିଅ। ୨୦୧୨ରେ ୮୫ଜଣ ନିଖୋଜ ହୋଇଥିଲେ। ୮୪ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଶିଶୁ କନ୍ୟା ଏଯାବତ୍ ନିଖୋଜ ଅଛନ୍ତି।

ସେହିପରି ୨୦୧୩ରେ ୮୯ଜଣ ନିଖୋଜ ଶିଶୁଙ୍କ ମଧ୍ୟରୁ ୮୮ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ବାଳକ ନିଖୋଜ ଅଛନ୍ତି। ୨୦୧୪ରେ ୯୧ଜଣ ନିଖୋଜ ଶିଶୁଙ୍କ ମଧ୍ୟରୁ ୮୯ଜଣ ଉଦ୍ଧାର ହୋଇଛନ୍ତି। ଜଣେ ପୁଅ ଓ ୨ଜଣ ଶିଶୁକନ୍ୟା ନିଖୋଜ ଅଛନ୍ତି। ୨୦୧୫ରେ ୯୯ଜଣ ନିଖୋଜଙ୍କ ମଧ୍ୟରୁ ୯୮ଜଣ ଉଦ୍ଧାର ହୋଇଛନ୍ତି ଏବଂ ଜଣେ ପୁଅ ନିଖୋଜ ଅଛନ୍ତି। ୨୦୧୬ରେ ୩୬ଜଣ ନିଖୋଜ ହୋଇଥିବା ୩୨ଜଣ ଉଦ୍ଧାର ହୋଇଛନ୍ତି। ଜଣେ ପୁଅ ଓ ୩ଜଣ ଶିଶୁକନ୍ୟା ନିଖୋଜ ଅଛନ୍ତି। ସେହିପରି ୨୦୧୭ରେ ୮୧ଜଣ ନିଖୋଜଙ୍କ ମଧ୍ୟରୁ ୮୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଜଣେ ଶିଶୁ କନ୍ୟା ନିଖୋଜ ଅଛନ୍ତି। ୨୦୧୮ରେ ୮୬ଜଣ ନିଖୋଜ ହୋଇଥିବା ବେଳେ ୭୭ଜଣ ଉଦ୍ଧାର ହୋଇଛନ୍ତି। ୮ଜଣ ଶିଶୁ କନ୍ୟା ନିଖୋଜ ଅଛନ୍ତି। ୨୦୧୯ରେ ୭୭ଜଣ ନିଖୋଜଙ୍କ ମଧ୍ୟରୁ ୬୧ଜଣ ଉଦ୍ଧାର ହୋଇଛନ୍ତି। ୨ଜଣ ପୁଅ ଏବଂ ୧୨ଜଣ ଶିଶୁକନ୍ୟା ନିଖୋଜ ଅଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୮୬ଜଣ ନିଖୋଜ ହୋଇଥିବା ବେଳେ ୫୯ ଜଣଙ୍କୁ ଉଦ୍ଧାର କରାଯାଇଛି। ୩ ପୁଅ ଓ ୨୪ଜଣ ଝିଅ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଚଳିତ ବର୍ଷ ୫୬ଜଣ ଶିଶୁ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯ଜଣ ପୁଅ ଓ ୪୭ଜଣ ଝିଅ ଅଛନ୍ତି। ଏଥି ମଧ୍ୟରୁ ୨୬ଜଣ ଉଦ୍ଧାର ହୋଇଛନ୍ତି। ୩୦ଜଣ ନିଖୋଜ ମଧ୍ୟରେ ୬ଜଣ ପୁଅ ଏବଂ ୨୪ଜଣ ଝିଅ ରହିଛନ୍ତି।

ସମ୍ବନ୍ଧିତ ଖବର