ସ୍ପଞ୍ଜ ଆଇରନ କାରଖାନା ଡକାୟତି ଘଟଣା: ୧୦ ଡକାୟତ ଗିରଫ

ରାଉରକେଲା: ସ୍ପଞ୍ଜ ଆଇରନ କାରଖାନା ଡକାୟତି ଘଟଣାରେ ବ୍ରାହ୍ମଣୀତରଙ୍ଗ ପୁଲିସ ଆଜି ୧୦ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡକାୟତମାନେ ହେଲେ କଲୁଙ୍ଗା ଓରାମ ବସ୍ତିର ରାମ ଓରଫ୍‌ ରାମାରିଓ ବିଲୁଙ୍ଗ, ସେକ୍ଟର-୮ର ରିଆ ଓରଫ ରଣଜିତ୍‌ କୁମାର ମୁର୍ମୁ, ରାଜା ଓରଫ ଡି. କ୍ରିଷ୍ଣା, ସେକ୍ଟର-୧୫ର ଶେଖର ରାୟ, ଜିଆବାହାଲ ବସ୍ତିର ବାଦଲ କେର୍କେଟା, ଅମର ଏକ୍କା, ସେକ୍ଟର-୧୫ ବିଶୁ ବସ୍ତିର ବିଟୁ ଓରଫ ମୁନିଜ୍‌ ପ୍ରଧାନ, ଆଇଡିସି ୱେସ୍କୋ ଅଫିସ ନିକଟ ବସ୍ତିର ସାଗର ଓରଫ ଉମା ଶଙ୍କର ଦେବତା, ଲାଲା ଓରଫ ଏସକେ ଶହିଦ୍‌ ଅଖତାର, କଲୁଙ୍ଗା କିସାନ ବସ୍ତିର ଦାଦା ଓରଫ ରୋସନ୍‌ ବରୁଆ। ପୁଲିସ ଏମାନଙ୍କ ନିକଟରୁ କାରଖାନାରେ ବ୍ୟବହୃତ ୨୫ଟି ମୋଟର, ମାଲବାହୀ ଅଟୋ, ୨ଟି ମୋଟର ବାଇକ୍‌, ଦୁଇଟି ମୋବାଇଲ୍‌, ତମ୍ବା ତାର୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି।

ଗିରଫ ଡକାୟତମାନେ ଆଇଡିସି କଲୁଙ୍ଗାସ୍ଥିତ କଳିଙ୍ଗ ସ୍ପଞ୍ଜ ଆଇରନ ପ୍ରାଇଭେଟ୍‌ ଲିମିଟେଡ୍‌, ବଲଣ୍ଡାସ୍ଥିତ ବିଶାଲ ଫେରୋ ପ୍ରାଇଭେଟ୍‌ ଲିମିଟେଡ୍‌ କାରଖାନା ଭିତରେ ଭିତରେ ପଶି ଜବତ ସାମଗ୍ରୀ ଗୁଡ଼ିକ ଚୋରି କରିଥିଲେ। ଚୋରି ସାମଗ୍ରୀଗୁଡ଼ିକୁ ସେମାନେ ଲାଲା ଓରଫ ଏସକେ୍‌ ଶହିଦ୍‌ ଅଖତାର ବିକ୍ରି କରିଥିଲେ। ଲାଲ ଚୋରି ସାମଗ୍ରୀଗୁଡ଼ିକୁ ସହରର ବିଭିନ୍ନ ଲୋକକୁ ବିକ୍ରି କରି ଦେଇଥିଲେ। ଏ ସଂକ୍ରାନ୍ତରେ ବ୍ରାହ୍ମଣୀତରଙ୍ଗ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର