ସମ୍ବଲପୁର ଦାନିପାଲିରେ ସଂଘବଦ୍ଧ ହତ୍ୟାକାଣ୍ଡ ଘଟଣା : ୧୦ଜଣଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର : ସମ୍ବଲପୁର ଦାନିପାଲି ଅଂଚଳରେ ହୋଇଥିବା ସଂଘବଦ୍ଧ ହତ୍ୟାକାଣ୍ଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ସମ୍ପୃକ୍ତ ଥିବା ୧୦ ଜଣଙ୍କୁ ଗିରଫ କଲା ସମ୍ବଲପୁର ପୁଲିସ । ୧୨ ଘଂଟା ଭିତରେ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ ରେଡ଼ କରି ହୀରାକୁଦରୁ ସମସ୍ତଙ୍କୁ ଗିରଫ କରିଛି । ଗତକାଲି ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଗତକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ପୂରା ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଦୁର୍ବୃତ୍ତ ଘଟାଇଥିଲେ ବୀଭତ୍ସ ହତ୍ୟାକାଣ୍ଡ । ନୂଆଁଖାଇରେ ରକ୍ତରଂଜିତ ହୋଇଛି ସମ୍ବଲପୁର ସହର ଅଇଁଠାପାଲି ଥାନା ଦାନୀପାଲି ମାଟି । ଜଣେ ଯୁବକଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଉତ୍ସବମୁଖର ଥିବା ସହରରେ ହଠାତ୍‌ ଆତଙ୍କ ଖେଳି ଯାଇଥିଲା। ଭେଣ୍ଡିଆ ପୁଅକୁ ହରାଇ ବାପା, ମା’ଙ୍କ ଆଖିରୁ ଲୁହ ଶୁଖୁନି । ମୃତକ ହେଲେ ବହିଦାର ବନ୍ଧ ଅଞ୍ଚଳର ସୂରଜ ବାରଙ୍କ ପୁଅ ସୌମ୍ୟରଞ୍ଜନ ବାର୍‌ ଓରଫ୍‌ ସନ୍ନି ।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ସୂରଜ ଶୋଇଥିଲେ। ହଠାତ ଖବର ଆସିଲା ତୁମ ପୁଅକୁ କିଛି ପିଲା ମାର୍‌ପିଟ୍‌ କରିବାକୁ ଗୋଡ଼ାଇଛନ୍ତି । ନିଦରୁ ଉଠି ଦୌଡ଼ି ଦେଖିଲା ବେଳକୁ ସୌମ୍ୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଥିଲେ। ସୌମ୍ୟଙ୍କୁ ମିଶାଇ ୩ ଭାଇ ଭଉଣୀ, ସୌମ୍ୟ ସବୁଠୁ ବଡ଼ ଥିଲେ। ବଡ଼ ଭାଇକୁ ହରାଇ ସୌମ୍ୟଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ କରିବା ସହ ସୌମ୍ୟଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ କହିବା ଅନୁଯାୟୀ ଶନିବାର ଦିନ ପ୍ରାୟ ୨ଟା ବେଳେ ସନ୍ନିଙ୍କ ସାଙ୍ଗ ଓ ତାଙ୍କ ସ୍ତ୍ରୀ ବାଇକରେ ଯାଉଥିଲେ । ଏହି ସମୟରେ ଦଶମତୀ ପଡ଼ାର କିଛି ଯୁବକଙ୍କ ସହିତ ତାଙ୍କର ଧକ୍କା ହୋଇଥିଲା। ପରେ ସନ୍ନିଙ୍କ ସାଙ୍ଗ ଓ ଦଶମତୀ ପଡ଼ାର ଯୁବକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହାପରେ ସେ ଏ ବାବଦରେ ସନ୍ନି ଓ ତାଙ୍କର କିଛି ଯୁବକଙ୍କୁ ଏ ବିଷୟରେ କହି ସେଠାକୁ ଡାକିଥିଲେ। ଦଶମତୀ ପଡ଼ାର ପିଲାମାନେ ମଧ୍ୟ ତାଙ୍କର ଆଉକିଛି ସାଙ୍ଗଙ୍କୁ ସେଠାକୁ ଡାକିଦେଲେ । ଫଳରେ ଘଟଣାସ୍ଥଳରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ବଢ଼ିଥିଲା। ଦଶମତୀ ପଡ଼ାର ୧୦ରୁ ଅଧିକ ଯୁବକ ଏକା ବେଳେ ସନ୍ନିଙ୍କୁ ଗୋଡ଼ାଇ ଥିଲେ। ଦାନିବନ୍ଧ ନିକଟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡଙ୍କୁ ଆକ୍ରମଣ କରାଯାଇଥିଲା। ସୌମ୍ୟଙ୍କ ମୁଣ୍ଡ ଓ ଶରୀରରେ ଏକାଧିକ ଆଘାତ ଲାଗିଛି। ଅନ୍ୟପଟେ ଅଇଁଠାପାଲି ଥାନାରେ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର