ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ; ଜଣେ ଶିଶୁ ଓ ମହିଳାଙ୍କ ସମେତ ୧୦ ଆହତ, ୨ ଗୁରୁତର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଦୁର୍ଜନତୈଲାରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଛି। ଏଥିରେ ଜଣେ ଶିଶୁ ଓ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାଯାଇଛି। ଆହତମାନେ ହେଲେ ସୁମତି ଜଗଦଲା (୩୫), ସମ୍ବିତ୍ ଜଗଦଲା (୩), ପୁଷ୍ପାଞ୍ଜଳି ବଗର୍ତ୍ତି( ୨୬), ତୃପ୍ତିମୟୀ ଜଗଦଲା (୧୩), ବାଇଧର ଜଗଦଲା (୬୦), ଲଳିତା ଜଗଦଲା (୫୦), ଦୀପକ ଜଗଦଲା (୧୫), ଝରଣା ଜଗଦଲା ଓ ଅମ୍ବିକା ଜଗଦଲା।

ସୂଚନା ଅନୁସାରେ କୁଞ୍ଜାପାଲି ଗ୍ରାମର ବାଇଧର ଜଗଦଲା ତାଙ୍କର ନାତି (ଝିଅର ପୁଅ)ର ଅନ୍ନପ୍ରାଶନ୍ନ ପାଇଁ ବିଶାଲପାଲି ଜ୍ବାଇଁ ଘରକୁ ଯାଉଥିଲେ। ପରିବାରର ୧୪ ଜଣ ଗୋଟିଏ ଅଟୋରେ ଯାଉଥିବା ବେଳେ ତାହା ଭାରସାମ୍ୟ ହରାଇ ଦୁର୍ଜନତୈଲାଠାରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବାଟରେ ଆସୁଥିବା ଲୋକମାନେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଆହତ ମାନଙ୍କ ତନ୍ମଧ୍ୟରୁ ସୁମତି ଓ ସମ୍ବିତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ବୁର୍ଲା ବଡ଼‌ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାିଥିବା ଜଣାଯାଇଛି।

ସନ୍ଧ୍ୟା ପର୍ଯ୍ୟନ୍ତ‌ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ଓଭର୍‌ଲୋଡିଂ, ସ୍ପିଡ୍‌ ଡ୍ରାଇଭ୍‌କୁ ବାରଣ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ମାତ୍ର ଗ୍ରାମାଞ୍ଚଳ‌େର ଏହାର ପ୍ରଭାବ ପଡ଼ୁନାହିଁ। ତେଣୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ହେଉଛି। ୫ ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଅଟୋରେ ୧୪ ଜଣ ଯାତ୍ରୀ ଯିବା ଫଳରେ ଆଜିର ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର