ସାଇବର ଲୁଟେରା ନେଇଗଲେ ୧୦ ଲକ୍ଷ! ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବ ବ୍ୟବସାୟୀ

ସୁନ୍ଦରଗଡ଼: ସାବଧାନ! ମୋବାଇଲ୍ ଆପ୍‌ରୁ ଋଣ ନେଉଛନ୍ତି ଯଦି ଫସିଯିବେ। ଏଥିପାଇଁ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ଏପରି ମୋବାଇଲ୍ ଆପ୍‌ରୁ ଋଣ ନେଇ ଫସିଛନ୍ତି ସୁନ୍ଦରଗଡ଼ର ଜଣେ ଯୁବ ବ୍ୟବସାୟୀ। ସାଇବର ଲୁଟେରା ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏପରିକି ଘଟଣାରେ ମାନସିକ ଚାପଗ୍ରସ୍ତ ହୋଇ ବ୍ୟବସାୟୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ିର ଯୁବ ବ୍ୟବସାୟୀ ମହମ୍ମଦ ଖୁର୍ସିଦ ୨ ମାସ ତଳେ ନିଜ ବ୍ୟବସାୟ ପାଇଁ ମୋବାଇଲ ଆପ୍‌ରୁ ଋଣ ଆକାରରେ କିଛି ଟଙ୍କା ନେଇଥିଲେ। ଏଥିପାଇଁ ତାଙ୍କୁ ଅନଲାଇନ ଫର୍ମ ପୂରଣ କରିବା ସହ ନିଜର ଫଟୋ, ଆଧାର କାର୍ଡ, ପାନ୍ କାର୍ଡ ପରି କାଗଜପତ୍ର ଅପଲୋଡ୍ କରିବାକୁ ପଡ଼ିଥିଲା ।

ତେବେ ଋଣ ପରିଶୋଧରେ ସାମାନ୍ୟ ବିଳମ୍ବ ହେବାରୁ ତାଙ୍କୁ ଦୁଇ ଗୁଣ ସୁଧ ସହ ମୋଟା ଅଙ୍କର ଜରିମାନା ଦେବାକୁ କହିଥିଲେ ଋଣଦାତା। ଫଳରେ ଖୁର୍ସିଦ ନିଜ ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ସହାୟତାରେ ସମସ୍ତ ଋଣ ପରିଶୋଧ କରି ଦେଇଥିଲେ। ଏହାପରେ ଋଣଦାତା ଚୁପ୍ ହୋଇ ରହିଥିଲେ। ତେବେ ଦୁଇ ମାସ ପରେ ଋଣଦାତା ପୁଣି ତାଙ୍କୁ ହ୍ଵାଟସ୍ଆପ୍ ଓ ଫୋନ୍ ଜରିଆରେ ଆହୁରି ଟଙ୍କା ଦେବା ପାଇଁ କହିଥିଲେ। ଖୁର୍ସିଦ ଋଣ ପରିଶୋଧ କରି ଦେଇଥିବାରୁ ଆଉ ଟଙ୍କା କାହିଁକି ଦେବେ ବୋଲି କହିଥିଲେ। ଏହା ପରେ ତାଙ୍କ ଋଣଦାତା ଖୁର୍ସିଦଙ୍କ ଫଟୋ ସହ ଅଶ୍ଳୀଳ ମନ୍ତବ୍ୟ ଲେଖି ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଥିଲେ। ଏପରିକି ଏହି ଅଶ୍ଳୀଳ ମନ୍ତବ୍ୟ ଓ ଫଟୋ ସେମାନେ ଇଂଟରନେଟ୍‌ରେ ଭାଇରାଲ କରିଦବେ ବୋଲି ଧମକ ଦେଇ ବ୍ଲାକମେଲ୍ କରିବାକୁ ଲାଗିଲେ।

ସାଇବର୍ ଠକମାନେ କୌଣସି ମତେ ତାଙ୍କ ମୋବାଇଲ ଫୋନର କଣ୍ଟାକ୍ଟ ନମ୍ବରଗୁଡ଼ିକୁ ହ୍ୟାକ୍ କରି ସେମାନଙ୍କୁ ମଧ୍ୟ ଏପରି ଅଶ୍ଳୀଳ ଫଟୋ ଓ ଲେଖା ପଠାଇବା ଆରମ୍ଭ କରି ଦେଇଥିଲେ। ବାଧ୍ୟ ହୋଇ ଖୁର୍ସିଦ ଋଣଦାତାଙ୍କୁ ଆହୁରି ଟଙ୍କା ଦେଇଥିଲେ। ପାଖାପାଖି ୧୦ ଲକ୍ଷ ଟଙ୍କା ଦେଲା ପରେ ମଧ୍ୟ ସେ ଋଣଦାତାଙ୍କ ବ୍ଲାକମେଲ୍ କବଳରୁ ରକ୍ଷା ପାଇ ନଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ମାନସିକ ଆଘାତ ପାଇ ଖୁର୍ସିଦ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ପରିବାରବର୍ଗ ଏହା ଜାଣିବା ପରେ ତାଙ୍କୁ ରକ୍ଷା କରିବା ସହ ସାଇବର ଠକଙ୍କ ବିରୋଧରେ ଲଢ଼ିବାକୁ ସାହସ ଦେଇଥିଲେ। ଏହା ପରେ ଖୁର୍ସିଦ ଟାଉନ ଥାନାରେ ଏତଲା ଦେଇଥିଲେ। ଏବେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଖୁର୍ସିଦଙ୍କ ପାଖକୁ ଏବେ ମଧ୍ୟ ହ୍ଵାଟସଆପରେ ଧମକ ଚମକ ଦିଆଯାଉଥିବା ଏବଂ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଜାରି ରହିଛି।

ସମ୍ବନ୍ଧିତ ଖବର