ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ

୧୦ଜଣ ମାଓବାଦୀ କଲେ ଆତ୍ମସର୍ମପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଅପହରଣ କରିବା ପରେ ସୋମବାର ଅପରାହ୍ନରେ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି।

ସୂଚନାଯୋଗ୍ୟ, ବିଜାପୁରସ୍ଥିତ କଇତପାଲରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଏହି ସମୟରେ ସଶସ୍ତ୍ର ମାଓବାଦୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ଜେସିବି ଓ ଟ୍ରାକ୍ଟର ଆଦିକୁ ଜଳାଇ ଦେଇଥିଲେ। ତେବେ ଏହାକୁ ଠିକାଦାର ବିରୋଧ କରିବାରୁ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଆଜି ଅପରାହ୍ନରେ ସେହି ଠିକାଦାରଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି। ଠିକାଦାରଙ୍କ ଘର ବିଜାପୁରରେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ସୋମବାର ଅପରାହ୍ନରେ କପ୍ତା ଗ୍ରାମରେ ପୁଲିସ ନିକଟରେ ୧୦ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ମହିଳା ମାଓବାଦୀଙ୍କ ନାମ ସରିତା ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ୯ଜଣ ମାଓବାଦୀଙ୍କ ନାମ ବିକାଶ ସଲାମ୍‌, ରାମଲାଲା ବଟେ, ଜଗରାମ ସଲାମ୍‌, ପ୍ରତିରାମ୍‌ ବଟେ, ରେଅସିଂହ ସଲାମ୍‌, ପହଡୁ ମୁଡିଆ, ଦସୃ ଗାଓଡେ, ମଙ୍ଗଳରାମ ଗାଓଡେ ଓ ବଜୁ ଲୋହାର।

ସମ୍ବନ୍ଧିତ ଖବର