ଛତ୍ରପୁର : ମନ୍ଦିର ଓ ପୋଖରୀ ନିକଟରେ ମଦ ବିକ୍ରି ବନ୍ଦ ଦାବିରେ ସ୍ଥାନୀୟ ଲୋକଙ୍କ ଥାନା ଘେରାଉ

ଛତ୍ରପୁର : ମଦ ବ୍ୟବସାୟୀଙ୍କ ଦୌରାତ୍ମକ ବିରୋଧରେ ଏବଂ ମନ୍ଦିର ଓ ପୋଖରୀ ନିକଟରେ ମଦ ବିକ୍ରି ବନ୍ଦ ଦାବିରେ ଛତ୍ରପୁର ବ୍ଲକ ହୁମର ଗ୍ରାମ ବଡସାହିର ଶତାଧିକ ମହିଳା ଓ ପୁରୁଷ ଗତକାଲି ବିଳମ୍ବିତ ରାତିରେ ଥାନା ଘେରାଉ କରିଛନ୍ତି ।

ମନ୍ଦିର ଓ ପୋଖରୀ ନିକଟରେ କିଛିଦିନ ହେଲା ବ୍ୟବସାୟୀମାନେ ମଦ ବିକ୍ରି କରିବା ଦ୍ୱାରା ଆଡ୍ଡା ଜମିଛି । ଏହାକୁ ବିରୋଧ କରିବା ପରଠୁ ମଦ ବ୍ୟବସାୟୀଙ୍କ ସମେତ ଗ୍ରାମର କିଛି ବ୍ୟକ୍ତିଙ୍କ ମାଧ୍ୟମରେ ହୁମର ବଡସାହିରେ ଆତଙ୍କ ସୃଷ୍ଟି କରି ସାହିର ମହିଳାମାନଙ୍କୁ ଅଶ୍ଲିଳ ଭାଷାରେ ଗାଳି କରିବା ସହ ପ୍ରାୟ ୩ ଜଣଙ୍କ ଯୁବକଙ୍କୁ ଆକ୍ରମଣ କରାଯାଇଛି । ସାହିର ମହିଳାମାନେ ମନ୍ଦିର ଓ ପୋଖରୀକୁ ଯିବାବେଳେ ଅସୁରକ୍ଷିତ ମଣିବାରେ ଲାଗିଲେ । ଫଳରେ ଗତକାଲି ପୂର୍ବାହ୍ନରେ ଏଠାରେ ସଂପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବାକୁ ସାହିବାସୀ ଦାବି କରିଥିଲେ । କିନ୍ତୁ ମଦ ବ୍ୟବସାୟୀମାନେ ଏଠାରେ ମଦ ବିକ୍ରି କରିବା ପାଇଁ ଗ୍ରାମର କୋଠ ପାଇଁ ଭଦ୍ରବ୍ୟକ୍ତିଙ୍କୁ ଆମ୍ଭେ ୪୦ ହଜାର ଟଙ୍କା ଦେଇଛୁ. ଏଣୁ ତୁମ ହାତରେ ଯାହା ହେଉଛି ତାହା କର କିନ୍ତୁ ଏଠାରେ ମଦ ବିକ୍ରି ବନ୍ଦ ହେବ ନାହିଁ ଧମକ ଦେଇଥିଲେ ।

ମଦ ବ୍ୟବସାୟୀଙ୍କ ପ୍ରରୋଚନାରେ ହୁମର ଗ୍ରାମର ଲକ୍ଷ୍ମୀ ଚରଣ ପଲାଇ ଓ ତାଙ୍କର ପୁତ୍ର ବିପିନ ପଲାଇ ସାହିର ମହିଳାମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ବଡସାହିର ବିଶ୍ୱନାଥ ପଲାଇ, ବଳରାମ ଛାଟେଇ ଓ ପୂର୍ଣ୍ଣଚନ୍ଦ୍ର ପଲାଇଙ୍କୁ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ଗତକାଲି ରାତି ଗୋଟାଏ ସମୟରେ ସାହିର ଶତାଧିକ ମହିଳା ଓ ପୁରୁଷ ଛତ୍ରପୁର ଥାନାକୁ ଘେରାଉ କରିଥିଲେ । ସାହିର ମନ୍ଦିର ଓ ପୋଖରୀ ନିକଟରେ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରାଯିବ ଏବଂ ପରବର୍ତ୍ତୀ ସମୟରେ ସାହିର ଯଦି କୌଣସି ବ୍ୟକ୍ତିଙ୍କୁ ଆକ୍ରମଣର ଶିକାର ହୁଅନ୍ତି ତେବେ ଥାନାରେ ନିଆଁ ଜଳିବ ବୋଲି ରାତି ଥାନା ଘେରାଉରେ ମହିଳାମାନେ ଦାବି କରିଥିଲେ । ଛତ୍ରପୁର ଥାନା ସେକେଣ୍ଡ୍ ଅଫିସର ସତ୍ୟଜିତ୍ ବେଣିଆ ୨ ଜଣଙ୍କୁ ଧରି ଥାନାରେ ଅଟକ ରଖିଥିଲେ । ଘଟଣାର ସଂପୂର୍ଣ୍ଣ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାତିରେ ହିଁ ସାହିବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳା ଓ ପୁରୁଷମାନେ ଗ୍ରାମକୁ ଫେରିଥିଲେ । ପୁଣି ଆଜି ପୂର୍ବାହ୍ନରେ ଗଞ୍ଜାମ ଏସ୍.ପି.ଙ୍କୁ ସାହିବାସୀ ପକ୍ଷରୁ ଏକ ଦାବି ପତ୍ର ଦେଇ ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ମନ୍ଦିର ଓ ପୋଖରୀ ନିକଟରେ ମଦ ବିକ୍ରି ବନ୍ଦ କରିବା ଲାଗି ଗଞ୍ଜାମ ଅବକାରୀ ଅଧୀକ୍ଷକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର