ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଅଧିକ ଆହତ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନାଅଧୀନ ଟୋଲକ ଗ୍ରାମ ନିକଟରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ବାବା ଭୂତନାଥ ନାମକ ଏକ ଘରୋଇ ବସ୍‌(ଓଆର-୧୧ଜେ-୮୦୭୭) ଜାମଦାରୁ କାହୁତୁକା ଅଭିମୁଖେ ଯାଉଥିବା ବେଳେ ଟୋଲକ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ସମୟରେ ବସ୍‌ରେ ୧୫ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଶିକାର ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ପରେ ଗୁରୁତର ଥିବା ୨ଜଣ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ଟୋଲକ ଗ୍ରାମର ଯଶୋଦା ଗିରି ଓ ପୂଜା ବିନ୍ଧାଣୀ। ଦୁର୍ଘଟଣା ପରେ ବସ୍‌ ଚାଳକ ଫେରାର୍‌ ହୋଇଯାଇଥିବା ବେଳେ ଗୋରୁମହିଷାଣୀ ପୁଲିସ ପହଞ୍ଚି ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବସ୍‌ର ଇଞ୍ଜିନ୍‌ ପତି ହଠାତ୍‌ ଭାଙ୍ଗି ଯିବାରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର